32.7 C
Bhubaneswar
Thursday, May 14, 2026
Homeଓଡିଶାଆଉ ୩ ଦିନ ମେଘୁଆ ପାଗ: ୫ରେ ଆଉ ଏକ ଘୂର୍ଣ୍ଣିବଳୟ

ଆଉ ୩ ଦିନ ମେଘୁଆ ପାଗ: ୫ରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ତାମିଲନାଡ଼ୁରେ ବାତ୍ୟା ‘ଫେଙ୍ଗାଲ’ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି। ଏହାସହିତ ଶୀତ କମିଛି। ଆସନ୍ତା ୪ ତାରିଖ ଯାଏଁ ମେଘୁଆ ପାଗ ଲାଗି ରହିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ନୂଆପଡାରେ ସର୍ବାଧିକ ୧୬.୪ ମି.ମି. ବର୍ଷା ହୋଇଥିବାବେଳେ ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଆଜି କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝରଗଡ଼, ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ୫ ତାରିଖରେ ସୁମାତ୍ରା ନିକଟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡ଼ୁ ଆଡ଼େ ମୁହାଁଇବ। ଏହାର ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବନାହିଁ ବୋଲି ସେ କହିଛନ୍ତି। ସେହିପରି ୪ ରୁ ୬ ତାରିଖ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ଯାଏଁ କମିବା ସମ୍ଭାବନା ରହିଛି। ତେଣୁ ଶୀତ ବଢ଼ିବ। ୭ରୁ ୯ ତାରିଖରେ ତାପମାତ୍ରା ପୁଣି ବୃଦ୍ଧି ପାଇବ। ୯ତାରିଖ ଯାଏଁ ପାଗ ମେଘୁଆ ରହିବା ସମ୍ଭାବନା ରହିଛି। ଗତକାଲି ରାତିରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍ ୧୧ ଡିଗ୍ରୀ, ବୌଦ୍ଧରେ ୧୧.୨, ଭୁବନେଶ୍ବରରେ ୨୦.୪ ଏବଂ କଟକରେ ୧୮.୫ ଡିଗ୍ରୀ ରେକର୍ଡ଼ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking