26.1 C
Bhubaneswar
Thursday, September 19, 2024
Homeଓଡିଶାଜଳବାୟୁ ପରିବର୍ତ୍ତନ ବଡ଼ ସମସ୍ୟା : ଜୀବନଚର୍ଯ୍ୟା ବଦଳାଅ

ଜଳବାୟୁ ପରିବର୍ତ୍ତନ ବଡ଼ ସମସ୍ୟା : ଜୀବନଚର୍ଯ୍ୟା ବଦଳାଅ

ବାରିପଦା : ସ୍ୱାଧୀନତା ସଂଗ୍ରାମ ସମୟରେ ଅନେକ ସାହିତ୍ୟିକ ଆମ ଜାତୀୟ ଆନ୍ଦୋଳନକୁ ନୂଆ ରାହା ଦେଖାଇଥିଲେ ଓ ସଂଗ୍ରାମର ବାର୍ତ୍ତାକୁ ପୁରପଲ୍ଲୀରେ ପହଞ୍ଚାଇଥିଲେ। ଜଣେ ସାହିତ୍ୟିକ ଖାଲି ସମାଜକୁ ସଚେତନ କରାଇଥାନ୍ତି ତା ନୁହେଁ, ନିଜ ଜାତିର ସଂସ୍କୃତିକୁ ମଧ୍ୟ ସାହିତ୍ୟରେ ପ୍ରତିଫଳିତ କରାଇଥାନ୍ତି। ତେଣୁ ଲେଖନୀ ମାଧ୍ୟମରେ ଲୋକମାନଙ୍କ ଭିତରେ ସଚେତନତା ଓ ସାମାଜିକ ଜାଗରଣ ସୃଷ୍ଟି ପାଇଁ ଆହ୍ବାନ ଦେଇଛନ୍ତି ମହାମହିମ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋମବାର ବାରିପଦାରେ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି କହିଲେ; ପୃଥିବୀ ଆଗରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା ଭାବରେ ଠିଆ ହୋଇଛି। ସେହି ସମସ୍ୟାରୁ ମୁକୁଳିବା ପାଇଁ ପ୍ରକୃତି ଅନୁକୂଳ ଜୀବନଯାପନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଦିବାସୀମାନେ ଏହାର ଶ୍ରେଷ୍ଠ ଉଦାହରଣ। ତେଣୁ ସବୁ ସମାଜ ଆଦିବାସୀ ଜୀବନଶୈଳୀ ବିଷୟରେ ଜାଣିବା ଓ ଏଥିରୁ ଶିକ୍ଷାଲାଭ କରିବା ହେଉଛି ବର୍ତ୍ତମାନ ସମୟର ଆହ୍ୱାନ। ସାହିତ୍ୟିକମାନେ ନିଜ ଲେଖାରେ ଜନଜାତୀୟ ସମାଜଭିତ୍ତିକ ପ୍ରସଙ୍ଗ ସବୁକୁ ସ୍ଥାନୀତ କଲେ ଆଦିବାସୀ ସମାଜର ମୂଲ୍ୟବୋଧ ବିଷୟରେ ଅନ୍ୟମାନେ ଜାଣିପାରିବେ। ସେହିପରି ଭାରତବର୍ଷ ବିଭିନ୍ନ ଭାଷାସାହିତ୍ୟର ଏକ ସୁନ୍ଦର ବଗିଚା। ଯାହାଦ୍ୱାରା ଗୋଟିଏ ଜାତି ଏକତାର ବନ୍ଧନ ସୂତ୍ରରେ ଆବଦ୍ଧ ହୋଇଥାଏ। ଭାଷାସାହିତ୍ୟର ସମୃଦ୍ଧି ପାଇଁ ଅନୁବାଦ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ସାନ୍ତାଳୀ ଭାଷାର ପାଠକପାଠିକାମାନଙ୍କୁ ଅନୁବାଦ ମାଧ୍ୟମରେ ଅନ୍ୟ ଭାଷାର ସାହିତ୍ୟ ସହିତ ପରିଚିତ କରାଯିବା ଉଚିତ। ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଏ ଦିଗରେ ନିଶ୍ଚିତ ପ୍ରୟାସ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଶିଶୁ ସାହିତ୍ୟ ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ ରାଷ୍ଟ୍ରପତି। ଶିଶୁ ସାହିତ୍ୟ ହେଉଛି ବ୍ୟକ୍ତିତ୍ୱ-ବିକାଶର ମୂଳଦୁଆ। ତେଣୁ ପିଲାଦିନୁ ପଢ଼ାପଢ଼ି ଅଭ୍ୟାସ କଲେ ଯାଇ ଜଣେ ଉତ୍ତମ ପାଠକ ହୋଇପାରିବ। କିନ୍ତୁ ପିଲାମାନେ ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ ସାହିତ୍ୟ ପଢ଼ିଲେ ବିଶେଷ କିଛି ବୁଝିପାରନ୍ତି ନାହିଁ। ତେଣୁ ସରଳ ଓ ସାବଲୀଳ ଭାଷାରେ ଲିଖିତ ରୋଚକ ଗପ ଓ କବିତା ପିଲାମାନଙ୍କ ପାଇଁ ଆବଶ୍ୟକତା ରହିଛି। କେବଳ ସାନ୍ତାଳୀ ଭାଷାସାହିତ୍ୟରେ ନୁହେଁ, ସବୁ ଭାରତୀୟ ଭାଷାସାହିତ୍ୟରେ ରୁଚିପୂର୍ଣ୍ଣ ଶିଶୁ ଓ କିଶୋର ସାହିତ୍ୟ ରଚନା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ କହିଥିଲେ। ସମାଜ ଓ ରାଷ୍ଟ୍ରନିର୍ମାଣରେ ସାନ୍ତାଳୀ ସାହିତ୍ୟର ଭୂମିକା ଆଗାମୀ ଦିନରେ ଆହୁରି ବ୍ୟାପକ ହେଉ ବୋଲି ଆଶା ରଖି ରାଷ୍ଟ୍ରପତି ନିଜ ଅଭିଭାଷଣ ସାରିଥିଲେ। ସାନ୍ତାଳୀ ଭାଷାରେ ସେ ନିଜ ଭାଷଣ ରଖିଥିବା ବେଳେ ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଏହାର ଓଡ଼ିଆ ଅନୁବାଦ କରିଥିଲେ। ସହିଦ୍‌ ସ୍ମୃତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ପଶ୍ଚିମବଙ୍ଗ ‌ଲୋକସଭା ସାଂସଦ କୁନାର ହେମ୍ବ୍ରମ୍‌, ଆସାମ ବିଧାନସଭାର ପୂର୍ବତନ ବାଚସ୍ପତି ପୃଥିବୀ ମାଝୀ ପ୍ରମୁଖ ଉଦ୍‌ବୋଧନ ଦେଇଥି‌ଲେ। ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ଜାତୀୟ ସଭାପତି ଲକ୍ଷ୍ମଣ କିସ୍କୁ ସମ୍ମିଳନୀରେ ସଭାପତିତ୍ବ କରିଥିବା ବେଳେ ଟାଟା ଷ୍ଟିଲ୍‌ ଆଦିବାସୀ ସାଂସ୍କୃତିକ ସଂଗଠନର ମୁଖ୍ୟ ଜିରେନ୍‌ ଜାଭିୟର କି‌ସ୍କୁ ମଞ୍ଚାସୀନ ଥିଲେ। ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଆୟୋଜକ କମିଟିର ଅଧ୍ୟକ୍ଷା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ଅର୍ଜୁନ ମାରାଣ୍ଡି ଧନ୍ୟବାଦ ଦେଇଥିଲେ। ରବୀନ୍ଦ୍ର ମୁର୍ମୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ରାଜ୍ୟ ସଭାପତି ସରୋଜ ସୋରେନ୍‌, ମୁଖ୍ୟ ସଂଯୋଜକ ରାକେଶ ସିଂ, ଲସ ହେମ୍ବ୍ରମ୍‌, କନକଲତା ମୁର୍ମୁ, ସରସ୍ବତୀ ହେମ୍ବ୍ରମ୍‌, ପାହାନ ହେମ୍ବ୍ରମ୍‌, ନିହାରିକା ସୋରେନ୍‌, ତପନ ମାଝୀ, ପୁରୁଷୋତ୍ତମ ମାରାଣ୍ଡି, ମାନକା ହାଁସଦା, ରାଉତ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking