29.1 C
Bhubaneswar
Saturday, May 4, 2024
Homeଓଡିଶାଦୁଇ ପରିବାରରେ ସଂଘର୍ଷ: ଘରେ ପଶି ହାଣିଲେ, ମାଆ, ପୁଅ ଓ ଝିଅ ଗୁରୁତର

ଦୁଇ ପରିବାରରେ ସଂଘର୍ଷ: ଘରେ ପଶି ହାଣିଲେ, ମାଆ, ପୁଅ ଓ ଝିଅ ଗୁରୁତର

ଦିଗପହଣ୍ଡି : ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ଗୁରୁବାର ରାତିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି । ଆକ୍ରମଣ ଅଭିଯୋଗରେ ନରସିଂହପୁର ଗ୍ରାମର ଦୁଇଭାଇ ଡମ୍ବୁରୁ ସେଠୀ ଏବଂ ରବିଙ୍କୁ ଦିଗପହଣ୍ଡି ପୁଲିସ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦୁଇଭାଇଙ୍କୁ ଦିଗପହଣ୍ଡି ଉପକାରାଗରକୁ ପଠାଇ ଦିଆଯାଇଥିବା ଆଇଆଇସି ବସନ୍ତ କୁମାର ସେଠୀ ସୁଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ ସାମାନ୍ୟ ବଚସାକୁ ନେଇ ଗ୍ରାମର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ସୁତ୍ରପାତ ହୋଇଥିଲା । ଡମ୍ବରୁ ଏବଂ ତାଙ୍କ ପରିବାରର ଅନ୍ୟାନ୍ୟ ସଦସ୍ୟ ହାତରେ କାତି, ଛେଲ, ତେଣ୍ଟା, ଠେଙ୍ଗା ପ୍ରଭୃତି ମାରଣାସ୍ତ୍ରରେ ସ୍ୱର୍ଗତ କାଶୀ ସେଠୀଙ୍କ ଘରେ ପଶି ସମସ୍ତଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ରଇବାରି ସେଠୀ ନାମ୍ନୀ ଜଣେ ବୃଦ୍ଧାଙ୍କ ସମେତ ତାଙ୍କ ପୁଅ ତବତିଆ, ଟୁକୁନା ଏବଂ ଝିଅ ଜୟନ୍ତୀ ଗୁରୁତର ଆହତ ହୋଇଥିଲେ । ଜୟନ୍ତୀଙ୍କ ବେକରୁ ୩ ଭରି ଓଜନର ସୁନା ନାନୁ ମାଳି ଅଭିଯୁକ୍ତମାନେ ଛଡାଇ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଆହତମାନଙ୍କ ସମ୍ପର୍କୀୟ ଲୋକେ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ରଇବାରି , ଟୁକୁନା ଏବଂ ଜୟନ୍ତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ଏତଲା ହେବା ପରେ ପୁଲିସ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ୨ ଭାଇଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଜବତ କରି ତଦନ୍ତ ଚଳାଇଛି । ଅନ୍ୟ ଅଭିଯୁକ୍ତମାନେ ଗିରଫ ଭୟରେ ଫେରାର ଥିବା ପୋଲିସ କହିଛି । ଅପରପକ୍ଷରେ ଡମ୍ବରୁ ସେଠୀର ଝିଅ ସୁମିତ୍ରା ସେଠୀଙ୍କ ପାଲଟା ଏତଲା କ୍ରମେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking