କଟକ: ଚୌଦ୍ଵାର ଜେଲ ଗଲା ଠକ ମୌଲାନା କୈଫି ଖାନ। ସେ ତନ୍ତ୍ରମନ୍ତ୍ର ନାଁରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକି ମଙ୍ଗଳାବାଗ ଥାନା ପୁଲିସ ହାତରେ ଧରାପଡ଼ିଥିଲା। ପରେ ଗିରଫ ହୋଇ ୪ ଦିନିଆ ରିମାଣ୍ଡରେ ଯାଇଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଛି। ସେ ବିଭିନ୍ନ ଲୋକଙ୍କ ଠାରୁ ୧ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କା ଠକିଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।
ସେ କହିଛନ୍ତି, ପୁଲିସ ତା’ ନିକଟରୁ ୯୧ ଲକ୍ଷ ୮୨ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି। ତା ନାଁରେ ମଙ୍ଗଳାବାଗ ଥାନାରେ ୫ଟି ଓ ସଦର ଥାନାରେ ଗୋଟିଏ ଏତଲା ପଞ୍ଜୀକୃତ ହୋଇଛି। ମୌଲାନାର ୯୫ଟି ବ୍ୟାଙ୍କ(ଏଫ୍ଡି ଓ ଆରଡି) ଆକାଉଣ୍ଟ ଜବତ କରାଯାଇଛି। ଯେଉଁଥିରେ ୨୯ ଲକ୍ଷ ୫୬ ହଜାର ଟଙ୍କା ରହିଛି। ଏହି ଟଙ୍କାକୁ ଫ୍ରିଜ କରାଯାଇଛି। ଏହାସହ ୫ ଏଲ୍ଆଇସି ବଣ୍ଡକୁ ମଧ୍ୟ ଜବତ କରାଯାଇଛି। ଯେଉଁଥିରେ ୧୨ ଲକ୍ଷରୁ ଅଧିକ ଟଙ୍କା ଜମା କରିଥିଲା। ଏହାକୁ ମଧ୍ୟ ଫ୍ରିଜ୍ କରାଯାଇଛି। ତେବେ ସେ ଠକେଇ ଟଙ୍କା ଏଥିରେ ବିନିଯୋଗ କରିଛି କି ନାହିଁ ସେନେଇ ତଦନ୍ତ ଚାଲିଛି।
ଗିରଫ ହୋଇଥିବା ମୌଲାନାର ଡ୍ରାଇଭର ଶେଖ ଇସ୍ରାଏଲ ମୁଖ୍ୟ ସହଯୋଗୀ ଥିଲା ବୋଲି ପଚରାଉଚରା ସମୟରେ ସେ ସ୍ୱୀକାର କରିଛି। ଏନେଇ ପୁଲିସକୁ ପ୍ରମାଣ ମଧ୍ୟ ମିଳିଛି। ଏହା ବ୍ୟତୀତ ଆଉ କେଉଁମାନେ ତାହାର ସହଯୋଗୀ ଥିଲେ ସେମାନଙ୍କୁ ମଧ୍ୟ ପୁଲିସ ଖୋଜୁଛି। ସେମାନଙ୍କୁ ଖୁବ୍ଶୀଘ୍ର ତଥ୍ୟ ପ୍ରମାଣ ଆଧାରରେ ଗିରଫ କରାଯିବ। ସଚେତନତା ଅଭାବରୁ ଲୋକେ ଠକେଇର ଶିକାର ହେଉଥିଲେ। ଗୁପ୍ତଧନ ମିଳିବ ବୋଲି କୈଫ ଯେଉଁସ୍ଥାନକୁ ଚିହ୍ନଟ କରୁଥିଲା ଲୋକଙ୍କୁ ସେଠାରୁ ହଟାଇବା ଭିତରେ ଭୟର ବାତାବରଣ ସୃଷ୍ଟି କରୁଥିଲା। ପରେ ଏଠାରେ ବିଭିନ୍ନ ପ୍ରତାର ଧାତୁ ନିର୍ମିତ ଜିନିଷ ପୋତି ଦେଉଥିଲା। ଏହାକୁ ପରେ ବାହାର କରି ଲୋକଙ୍କୁ ଦେଉଥିଲା ଓ ଲୋକଙ୍କୁ ଏହାକୁ ଦାମୀ ରତ୍ନ ବୋଲି କହି ଟଙ୍କା ଠକି ନେଉଥିଲା। ସେହିପରି ବିଭିନ୍ନ ଲୋକଙ୍କୁ ତନ୍ତ୍ରବିଦ୍ୟା ପ୍ରୟୋଗ କରି ବାଦବିବାଦ ଓ କୋର୍ଟ ମାମଲା ସମାଧାନ କରିଦେବାର ପ୍ରଲୋଭନ ଦେଇ ଟଙ୍କା ଠକି ନେଉଥିଲା।