ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଅରୁଣାଚଳ ପ୍ରଦେଶ ଆଥ୍ଲେଟ୍ଙ୍କୁ ଚୀନ୍ ପକ୍ଷରୁ ପ୍ରବେଶ ଅନୁମତି ନଦେବାକୁ ନେଇ ଭାରତ ବଡ଼ ପଦକ୍ଷେପ ନେଇଛି । ଭାରତ ପକ୍ଷରୁ ଏହାର କଡ଼ା ବିରୋଧ କରାଯାଇଥିବା ବେଳେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏସିଆନ୍ ଗେମ୍ସ ଯାତ୍ରା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଶୁକ୍ରବାର ସରକାରଙ୍କ ପକ୍ଷରୁ ଜାରୀ ବୟାନରେ କୁହାଯାଇଛି, ଚୀନ୍ ଅଧିକାରୀ ଜାଣିଶୁଣି ଏବଂ ପୂର୍ବ ନିର୍ଦ୍ଧାରିତ ଭାବେ ହାଙ୍ଗ୍ଝୋରେ ଆୟୋଜିତ ୧୯ତମ ଏସିଆନ୍ ଗେମ୍ସରେ ଅରୁଣାଚଳ ପ୍ରଦେଶର କେତେକ ଭାରତୀୟ ଆଥ୍ଲେଟ୍ଙ୍କ ସହିତ ଭେଦଭାବ କରିବାକୁ ସହିତ ପ୍ରବେଶ ଅନୁମତି ଦେଇନଥିବା ଜଣାପଡ଼ିଛି । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚୀ କହିଛନ୍ତି, ଜାତୀୟତା ଆଧାରରେ କେତେକ ଭାରତୀୟ ଆଥ୍ଲେଟ୍ଙ୍କ ସହିତ ଭେଦଭାବପୂର୍ଣ୍ଣ ବ୍ୟବହାରକୁ ଖାରଜ କରୁଛୁ ।
ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଏବଂ ଅବିଭାଜିତ ଅଙ୍ଗ ଥିଲା, ଅଛି ଏବଂ ରହିବ । ବାଗ୍ଚୀ ଆହୁରି କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନ ଏସିଆନ୍ ଗେମ୍ସର ଭାବନା ଏବଂ ଏହାର ଆଚରଣକୁ ନିୟନ୍ତ୍ରିତ କରୁଥିବା ନିୟମର ଉଲ୍ଲଂଘନ କରୁଛି । ସୂଚନାଯୋଗ୍ୟ, ଏସିଆନ୍ ଗେମ୍ସରେ ଭାଗନେବା ପାଇଁ ଅରୁଣାଚଳ ପ୍ରଦେଶର ତିନିଜଣ ଉଷୁ ପ୍ରତିଯୋଗୀ ଚୀନ୍ ଯାତ୍ରା କରିବାର ଥିଲା । ମାତ୍ର ଚୀନ୍ ଏହି ମହିଳା ଖେଳାଳିଙ୍କୁ ଭିସା ଦେବାକୁ ମନା କରିଦେଇଛି । ଏହି ଭେଦଭାବପୂର୍ଣ୍ଣ କାର୍ଯ୍ୟାକୁ ନେଇ ଭାରତ ନିଜର କଡ଼ା ବିରୋଧ ଦର୍ଶାଇଛି ।