17.1 C
Bhubaneswar
Thursday, January 16, 2025
Homeଓଡିଶାମାଟ୍ରିକ୍ ପରୀକ୍ଷାରେ ୪୬ ହଜାର ପିଲା ଅନୁପସ୍ଥିତ: କେଳେଙ୍କାରୀର ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି

ମାଟ୍ରିକ୍ ପରୀକ୍ଷାରେ ୪୬ ହଜାର ପିଲା ଅନୁପସ୍ଥିତ: କେଳେଙ୍କାରୀର ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାରେ ୪୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି । କଟକ ଜିଲ୍ଲାରେ ୩୧୫୩୬ ଜଣ ଫର୍ମ ଫିଲପ୍ କରିଥିବା ବେଳେ ସେଥିରୁ ୧୪୫୦ ଜଣ ଅନୁପସ୍ଥିତ ରହିଛନ୍ତି । ବିଶେଷକରି ଡମପଡା,ନରସିଂହପୁର,ସାଲେପୁର, ଆଠଗଡ଼ ଓ ତିଗିରିଆ ବ୍ଲକ୍ ଅଞ୍ଚଳରେ ଏହି ସଂଖ୍ୟା ଅଧିକ ରହିଛି । ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ଏହି ଛାତ୍ରଛାତ୍ରୀମାନେ ଫର୍ମ ପୂରଣରେ ଯେଉଁ ଠିକଣା ଦେଇଛନ୍ତି ସେହି ଠିକଣାରେ ସେମାନେ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାରେ ୩୬୮୮୬ ଜଣ ଫର୍ମ ଫିଲପ୍ କରିଛନ୍ତି ମାତ୍ର ଅନୁପସ୍ଥିତ ରହିଛନ୍ତି ୪୫୪୯ ଜଣ ଛାତ୍ରଛାତ୍ରୀ । ବଲାଙ୍ଗୀର ଜିଲ୍ଲାରେ ୨୭୩୧୮ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲପ୍ କରିଥିବା ସ୍ଥଳେ ୩୩୧୬ ଜଣ ଓ ବାଲେଶ୍ୱର ଜିଲ୍ଲାରେ ୩୨୯୫୭ ଜଣ ଛାତ୍ରଚାତ୍ରୀଙ୍କ ମଧ୍ୟରୁ ୨୮୧୮ ଜଣ ପରୀକ୍ଷା ଦେଇ ନାହାନ୍ତି ।

ଉପକୂଳ ତଥା ଆଗୁଆ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ଉପାନ୍ତ ତଥା ପଛୁଆ ଜିଲ୍ଲାରେ ଅବସ୍ଥା ଆହୁରି ସଂଗୀନ ହୋଇଥିବା କୁହାଯାଉଛି । ତେବେ ଏଭଳି ପରିସ୍ଥିତି କାହିଁକି ହୋଇଛି ତା’ର ତର୍ଜମା ଏବେ ରାଜ୍ୟରେ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ଦର୍ଶାଇ ସରକାରୀ ସୁବିଧାସୁଯୋଗ ପାଇବା, ସ୍କୁଲ୍‌ର ସ୍ୱୀକୃତି ବଜାୟ ରଖିବା ଉଦ୍ଦେଶ୍ୟରେ ମିଛ ନାମ ପଞ୍ଜୀକରଣ କରି ଫର୍ମ ପୂରଣ କରାଯାଇଥିବାର ଅନେକ ଶିକ୍ଷାବତ୍ ଆଶଙ୍କା କରୁଛନ୍ତି । ଅନ୍ୟପଟେ ଏହି ଛାତ୍ରଛାତ୍ରୀମାନେ ସମ୍ମେଟିଭ୍ ଆସେସମେଣ୍ଟ୍‌-୧ ପରୀକ୍ଷା ଦେଇ ନଥିଲେ ବି କିଭଳି ସମ୍ମେଟିଭ୍ ଆସେସମେଣ୍ଟ୍‌-୨ ପରୀକ୍ଷା ପାଇଁ ଫର୍ମପୂରଣ କଲେ ଏବଂ ପରୀକ୍ଷାରୁ ଅନୁପସ୍ଥିତ ରହିଲେ, ତାହାକୁ ନେଇ ବି ପ୍ରଶ୍ନ ଉଠୁଛି । ଏଭଳି ଘଟଣା ଏବେ ରହସ୍ୟଜନକ ହୋଇ ପଡ଼ିଥିବା ବେଳେ ଏହାର ବିଧିବଦ୍ଧ ତଦନ୍ତ ହେଲେ ବ୍ୟବସ୍ଥାର ଗୁମର ଫିଟିବ ବୋଲି କୁହାଯାଉଛି ।

ଅନୁପସ୍ଥିତ ଥିବା ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଏ ସଂପର୍କରେ ଯୋଗାଯୋଗ କଲେ କହୁଛନ୍ତି ସେମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଇଛନ୍ତି । ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ଆବଶ୍ୟକ ସ୍ତରରୁ କମ୍ ରହିବା, ସରକାରୀ ସ୍ତରରେ ଲକ୍ଷ୍ୟଧାର୍ଯ୍ୟ କରାଯିବା ଭଳି କାରଣରୁ ପିଲାଙ୍କର ନାମ ପଞ୍ଜୀକରଣ କରାଯାଇ ସେମାନଙ୍କ ପାଇଁ ଫର୍ମପୂରଣ କରାଯାଉଥିବା କୁହାଯାଉଛି । ଏସଂକ୍ରାନ୍ତରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ପଚାରିଲେ ସେମାନଙ୍କଠାରୁ କିଛି ସ୍ପଷ୍ଟ ଉତ୍ତର ମିଳିପାରୁ ନାହିଁ । ମାଟ୍ରିକ ଫର୍ମ ପୂରଣ ପାଇଁ କୌଣସି ଦେୟ ପଡୁ ନଥିବାରୁ ସ୍କୁଲର ସ୍ୱୀକୃତି ପାଇଁ ଆବଶ୍ୟକ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଡମିସନ୍ ରେଜିଷ୍ଟରରେ ଉଲ୍ଲେଖ କରାଯାଉଛି ଏବଂ ସମସ୍ତଙ୍କ ନାମରେ ଫର୍ମ ପୂରଣ କରି ଦିଆଯାଉଥିବାରୁ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି ବୋଲି ଶିକ୍ଷାବିତ୍‌ମାନେ ମତ ଦେଉଛନ୍ତି । ତେବେ ଏଭଳି କେଳେଙ୍କାରୀ ପାଇଁ ପ୍ରକୃତପକ୍ଷେ ସ୍କୁଲ ନା ବୋର୍ଡ କର୍ତ୍ତୃପକ୍ଷ ଦାୟୀ ତାହା ତଦନ୍ତ କରିବା ଲାଗି ବିଭିନ୍ନ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking