କଟକ: କଟକସ୍ଥିତ ଶିଶୁଭବନ ମାମଲାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସଂକ୍ରନ୍ତ ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣି ନିମନ୍ତେ ଅଗଷ୍ଟ ୩ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ମାମଲାର ବିବରଣୀ ଅନୁଯାୟୀ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଆଡ୍ଭୋକେଟ୍ କମିଟି ଶିଶୁଭବନ ସଂକ୍ରାନ୍ତୀୟ ରିପୋର୍ଟ ୨୦୨୨ ଜୁଲାଇ ୧୯ ତାରିଖରେ ହାଇକୋର୍ଟଙ୍କ ପ୍ରଦାନ କରିଥିଲେ । ଏହି ରିପୋର୍ଟ ଆଧାରରେ ମାମଲାର ଶୁଣାଣି କରି ୨୦୨୩ ଫେବୃୟାରୀ ୨୦ ତାରିଖରେ ଶିଶୁଭବନର ନୂଆ ଅଟ୍ଟାଳିକା ନିର୍ମାଣ ମାମଲାରେ କାର୍ଯ୍ୟର ଅଗ୍ରଗତି ନେଇ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟ ଶେଷ ହେବାର ସମୟ ସୀମା ଓ ବର୍ତ୍ତମାନର ସ୍ଥିତି ସଂକ୍ରାନ୍ତରେ ସେଥିରେ ଉଲ୍ଲେଖ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହି ସମୟ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ରିପୋର୍ଟ ଦାଖଲ କରାଗଲା ନାହିଁ ।
ଫଳରେ ଶେଷ ସୁଯୋଗ ଭାବେ ଜୁଲାଇ ୪ ସୁଦ୍ଧା ଶିଶୁଭବନ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଅଦାଲତଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସରକାରଙ୍କ ପକ୍ଷରୁ କୌଣସି ଜବାବ ଦାଖଲ କରାଗଲାନାହିଁ । ଫଳରେ ଅଦାଲତ ଆଜି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁଭବନରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ରହିବା,ନିର୍ମାଣାଧୀନ ନୂତନ ଅଟ୍ଟାଳିକା କାର୍ଯ୍ୟ ଅଗ୍ରଗତି ନହେବା ଓ ଅଟ୍ଟାଳିକା ନିର୍ମାଣ ପରେ ମଧ୍ୟ ସେଠାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ନେଇ ଆବେଦନକାରୀ ମୈତ୍ରୀ ସଂସଦ ସମେତ ଅନ୍ୟମାନଙ୍କ ପକ୍ଷରୁ ସତ୍ୟପାଠରେ ଦର୍ଶାଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଜୟ କୁମାର ମହାନ୍ତି ଓ ଅରୁଣ କୁମାର ବୁଦ୍ଧିଆ ମାମଲା ପରିଚାଳନା କରୁଥିଲେ ।