27.1 C
Bhubaneswar
Sunday, September 8, 2024
Homeଓଡିଶାକଟକରେ ବଢ଼ୁଛି ବାଲ୍ୟବିବାହ!; ୩ ବର୍ଷରେ ୧୧୨ ଘଟଣା; ଥାନାରେ ମାତ୍ର ୪ ମାମଲା

କଟକରେ ବଢ଼ୁଛି ବାଲ୍ୟବିବାହ!; ୩ ବର୍ଷରେ ୧୧୨ ଘଟଣା; ଥାନାରେ ମାତ୍ର ୪ ମାମଲା

କଟକ: ବାଲ୍ୟ ବିବାହକୁ ପ୍ରୋତ୍ସାହିତ କରୁଛନ୍ତି ବାପା-ମା’ । ଏଭଳି ଉଦବେଗଜନକ ଚିତ୍ର ଏବେ କଟକରେ ସାମନାକୁ ଆସିଛି । ଗତ ତିନି ବର୍ଷ ଭିତରେ ୧୧୨ ଶିଶୁ କନ୍ୟାଙ୍କୁ ଅପ୍ରାପ୍ତ ବୟସରେ ପରିବାର ଲୋକେ ବିବାହ କରାଇଛନ୍ତି । ଏହାଠାରୁ ଆହୁରି ଉଦବେଗଜନକ ପରିସ୍ଥିତି ହେଉଛି ଯେ, ଏଭଳି ନିୟମ ବିରୋଧ କାମ ପାଇଁ ପରିବାର ଲୋକଙ୍କ ବିରୋଧରେ ମାତ୍ର ୪ଟି ଅଭିଯୋଗ ଥାନାରେ ରୁଜୁ ହୋଇଛି । ଅବଶିଷ୍ଟ ବାଲ୍ୟ ବିବାହ ମାମଲାରେ ରଫାଦଫା କରିବାକୁ ଉଦ୍ୟମ କରାଯାଇଛି ।

ବାଲ୍ୟ ବିବାହ ପରେ ଅପ୍ରାପ୍ତ ବୟସ୍କା ଶିଶୁ ମା’ହେବା ଦ୍ୱାରା ତା’ର ଜୀବନ ପ୍ରତି ବିପଦ ରହୁଥିବାରୁ ଏଭଳି ସମ୍ବେଦନଶୀଳ ପ୍ରସଂଗରେ ସଚେତନତା ଅଭାବ ସମସ୍ୟା ସୃଷ୍ଟି କରିଛି । ବାଲ୍ୟ ବିବାହ ନିରୋଧ ଆଇନର ଧାରା ୧୧(୧)ରେ ବାଲ୍ୟ ବିବାହ କରାଉଥିବା ପୁଅର ବାପା, ନାବାଳିକା ଝିଅର ବାପା, ମନ୍ଦିର ପୂଜକ କିମ୍ବା ମଣ୍ଡପ ମାଲିକ, ମଧ୍ୟସ୍ଥି କିମ୍ବା ମୁରବୀ ଏବଂ ବିବାହରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବାର ନିୟମ ରହିଛି । ଏଭଳି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଓ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରିବ । ଏଥିପାଇଁ ବ୍ଲକସ୍ତରରେ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ବାଲ୍ୟ ବିବାହ ବନ୍ଦ କରିବାର କ୍ଷମତା ଦିଆଯାଇଛି ।

ସେ ହିଁ ଥାନାରେ ଉଭୟ ବର ଓ କନ୍ୟା ପକ୍ଷଙ୍କ ବିରୋଧରେ ଏତଲା ଦେବାକୁ ସ୍ୱୀକୃତିପ୍ରାପ୍ତ ଅଧିକାରୀ ଅଟନ୍ତି । କିନ୍ତୁ କଟକର ୧୪ଟି ବ୍ଲକ ଓ ସହରରେ ଥିବା ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କ ଭୂମିକା ଏବେ ସନ୍ଦେହକୁ ଆସିଛି । ସିଡବ୍ଲୁସି ପକ୍ଷରୁ ନିକଟରେ ଜାରି ତଥ୍ୟ ମୁତାବକ, ଜିଲ୍ଲାରେ ୨୦୨୦ମସିହାରେ ୧୫ଟି ବାଲ୍ୟ ବିବାହ ବନ୍ଦ ହୋଇଥିବା ବେଳେ ୨୦୨୧ରେ ୪୧ଟି, ୨୦୨୨ରେ ୫୬ଟି ବନ୍ଦ କରାଯାଇଛି । ଏହାକୁ ଉଭୟ ସିଡବ୍ଲୁସି ଓ ଚାଇଲ୍ଡ ଲାଇନ୍ ମିଳିତ ଭାବେ ବନ୍ଦ କରିଥିବା ବେଳେ ଏଥିରେ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କ ନିଷ୍କ୍ରିୟତା ଏବେ ସମସ୍ୟା ସୃଷ୍ଟି କରୁଛି । ଗୋଟିଏ ପଟେ କଟକ ଜିଲ୍ଲାରେ ବାଲ୍ୟ ବିବାହ ହାର ଗତ ୩ ବର୍ଷ ଭିତରେ କ୍ରମାଗତ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଲିଙ୍ଗଗତ ଅସମାନତା ହାର ମଧ୍ୟ ଉଦବେଗ ଜନକ ସ୍ଥିତିରେ ପହଞ୍ଚିଛି ।

ଚଳିତ ବର୍ଷ ଜିଲ୍ଲାରେ ପ୍ରତି ୧ ହଜାର ପୁରୁଷ ଅନୁପାତରେ ୯୪୦ ଜଣ ମହିଳା ଅଛନ୍ତି । ଏଥିପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ଯଦିଓ ‘ବେଟି ବଚାଓ ଓ ବେଟି ପଢ଼ାଓ’ କାର୍ଯ୍ୟକ୍ରମ ଜିଲ୍ଲାରେ ହାତକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି, କିନ୍ତୁ ବିଭାଗୀୟ ଅଧିକାରୀ ବାଲ୍ୟ ବିବାହ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ ନକରିବା ଚିନ୍ତାଜନକ ପ୍ରସଂଗ ହୋଇଛି । ସିଡବ୍ଲୁସି ପୂର୍ବତନ ସଦସ୍ୟ ଅମୀୟ ବିଶ୍ୱାଳ କହିଛନ୍ତି ଯେ, ଯେଉଁ ହାରରେ ବାଲ୍ୟ ବିବାହ ମାମଲାରେ କନ୍ୟାକୁ ଉଦ୍ଧାର କରାଯାଉଛି ଏବଂ ବିବାହ ବନ୍ଦ କରାଯାଉଛି, ସେହି ହାରରେ ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଉ ନାହିଁ । କରୋନା ସମୟରେ ଚାଇଲ୍ଡ ଲାଇନ୍ ପକ୍ଷରୁ ଗୁରୁଡ଼ିଝାଟିଆ, ଜଗତପୁର, ଚୌଦ୍ୱାର, ନରସିଂହପୁର ଅଞ୍ଚଳର ୪ଟି ଏତଲା ଥାନାରେ ନିଜ ଆଡ଼ୁ ଦେଇଛି । ବାଲ୍ୟ ବିବାହ ସମ୍ପର୍କିତ ଖବର ଆସିଲେ ବି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବନ୍ଦ କରିବା ଏବଂ ପୁଲିସର ସହାୟତା ନେବା କ୍ଷେତ୍ରରେ ନିଷ୍କ୍ରିୟତାକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ଶ୍ରୀ ବିଶ୍ୱାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking