ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କରଞ୍ଜଆଡିଆ ଗ୍ରାମର ଧାନନଡ଼ା ବୋଝେଇ ଏକ ଟ୍ରାକ୍ଟର ଚଢିଯିବା ଫଳରେ ଜଣେ ଶିଶୁର ମୃତ୍ୟୁ ହୋଇଯାଇଛି । ଏଥିସହ ଅନ୍ୟ ଜଣେ ଶିଶୁର ଗୁରୁତର ଆହତ ହେଇ କଟକ ମେଡକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । କରଂଜଆଡିଆ ଗ୍ରାମର ଅଭୟ ମଳିକଙ୍କ ଶିଶୁପୁତ୍ର ଅଂଶୁମାନ ମଳିକ ଓ ଶରତ ମଳିକର ପୁତ୍ର ଅନିରୁଦ୍ଧ ମଳିକ ।
ସୂଚନା ଅନୁଯାୟୀ, ଗାଁ ଦାଣ୍ଡରେ ଖେଳୁଥିବାବେଳେ ଟ୍ରାକ୍ଟର ଟି ପଛେଇ ପଛେଇ ଚଢିଯାଇଥିଲା । ଘଟଣାସ୍ଥଳରେ ଅଂଶୁମାନର ମୁଣ୍ଡ ଉପରେ ଚଢିଯାଇଥିବାବେଳେ ଅନିରୁଦ୍ଧର ଗୋଡ ଉପରେ ଚଢିଯାଇଥିଲା । ଦୁର୍ଘଟଣା ଘଟାଇ ଡ୍ରାଇଭର ଟ୍ରାକ୍ଟର ଛାଡି ଫେରାର୍ ହୋଇଯାଇଥିଲା । ସଂକଟାପର୍ଣ୍ଣ ଅବସ୍ଥାରେ ଉଭୟଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଥିବାବେଳେ ଅଂଶୁମାନକୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଅନିରୁଦ୍ଧର ଅବସ୍ଥା ଉଦବେଗଜନକ ଥିବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଥିଲା । ମୃତ ଅଂଶୁମାନର ପରିବାର ପକ୍ଷରୁ ଏ ସଂପର୍କରେ ନାଇକାଣିଡିହି ଥାନାରେ ଅଭିଯୋଗ ହେବା ପରେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ଅଟକ ଥିବାବେଳେ କେଉଁ ପରିସ୍ଥିତିରେ ଅଭାବନୀୟ ଘଟଣା ହେଲା ତାହାର ତଦନ୍ତ ଚାଲୁ ରହିଛି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି ।