ଭୁବନେଶ୍ୱର : ଯାଜପୁର ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରାଯାଉଛି । ବିଭିନ୍ନ ମେଗା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକମାନଙ୍କୁ ଯଥାଶିଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରବିବାର ପୁର୍ବାହ୍ନରେ ଯାଜପୁର ଜିଲାକୁ ଦିନିକିଆ ଗସ୍ତରେ ଆସି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ପରେ ମନ୍ଦିର ଚତୁଃପାଶ୍ୱ ପରିଦର୍ଶନ କରିବା ସହ ମନ୍ଦିରର ଉନ୍ନୟନ ପାଇଁ ୬କୋଟି ୫୦ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ । ମା’ଙ୍କ ମନ୍ଦିରର ଉନ୍ନୟନ ଓ ଉନ୍ନତିକରଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବାକୁ ଶ୍ରୀ ମହାପାତ୍ର ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ କୁସୁମା ପୋଖରୀ ପରିଦର୍ଶନ ସହ ତାହାର ଉନ୍ନତି କରଣ ପାଇଁ ବିଭିନ୍ନ ପରାମର୍ଶ ମୁଖ୍ୟ ସଚିବ ଦେଇଥିଲେ । ପରେ ପରେ ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ପ୍ରସାରିତ ନିର୍ମାଣ କାର୍ଯ୍ୟକୁ ପରିଦର୍ଶନ କରିବା ସହ ପ୍ରକଳ୍ପ ସାରିବାକୁ ଧାର୍ଯ୍ୟ ହୋଇଥିବା ଦେଢ଼ ବର୍ଷ ସମୟସୀମା ମଧ୍ୟରେ ଏହା ଯେପରି ଲୋକଙ୍କ ସେବାରେ ଲାଗେ ସେ ସମ୍ପର୍କରେ ନିର୍ଦ୍ଦେଶ ଦେଇଥିଲେ ।
ଏହା ପରେ ଜିଲା ସ୍କୁଲର ସ୍ମାର୍ଟ କ୍ଲାସକୁ ମୁଖ୍ୟ ସଚିବ ଅନୁଧ୍ୟାନ କରିବା ସହ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ମେଗା ପ୍ରକଳ୍ପ ସମ୍ପର୍କରେ ମୁଖ୍ୟ ସଚିବ ସମୀକ୍ଷା କରିଥିଲେ । ଯାଜପୁର ଟାଉନ୍, ବ୍ୟାସନଗର, କଳିଙ୍ଗନଗର ଓ ଜିଲାର ଅନ୍ୟାନ୍ୟ ଅଞ୍ଚଳ ଗୁଡ଼ିକର ଉନ୍ନୟନ ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଗୁଡ଼ିକୁ ସେ ଅନୁଧ୍ୟାନ କରିଥିଲେ । ଏହାକୁ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯିବ ଏବଂ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ଡ଼ିଏମ୍ଏଫ୍ ଓ ଓମ୍ବାର୍ଡ଼ସି ସହାୟତାରେ ଚାଲୁଥିବା କାର୍ଯ୍ୟ ଓ ପ୍ରସ୍ତୁତ ହୋଇଥିବା ଯୋଜନା କାର୍ଯ୍ୟକୁ ମଧ୍ୟ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । ଜିଲାର ବିକାଶ ଓ ଉନ୍ନୟନ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରାଯାଉଛି । ୪୦ ଏକର ଜମିରେ ପ୍ରଶାସନିକ ଭବନ ନିର୍ମାଣ ହେଉଛି । ସମସ୍ତ ସ୍କୁଲ ମାନଙ୍କର ପିଲାମାନେ ଯେପରି ବେଷ୍ଟ ଏଜୁକେଶନ ପାଇପାରିବେ ତାହାପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି । ଜୀବିକା ମିଶନ ମାଧ୍ୟମରେ ଲୋକମାନଙ୍କୁ କର୍ମନିଯୁକ୍ତି ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ମାପାତ୍ର କହିଥିଲେ ।