18.1 C
Bhubaneswar
Tuesday, January 7, 2025
Homeଓଡିଶାପାଣି ପଞ୍ଚାୟତ ଗୁଡିକର ନିର୍ବାଚନ ଓ ଅଡିଟ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପାଣି ପଞ୍ଚାୟତ ଗୁଡିକର ନିର୍ବାଚନ ଓ ଅଡିଟ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ ଠାରେ  ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପନ ଅବସରରେ ପାଣି ପଞ୍ଚାୟତ ଗୁଡିକର ନିୟମ ଅନୁଯାୟୀ ନିର୍ବାଚନ ଓ କାଗଜ ପତ୍ର ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପାଣି ପଞ୍ଚାୟତ ଗୁଡିକୁ ସଶକ୍ତ କରି ଏଗୁଡିକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳସେଚନ ଏବଂ କୃଷି ବୈଜ୍ଞାନିକଙ୍କ ଗବେଷଣା ସହିତ ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆଜି ଆମେ ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁଛୁ ଏବଂ ବିଦେଶକୁ ମଧ୍ୟ ରପ୍ତାନୀ କରିପାରୁଛୁ । ଏଥିପାଇଁ ଚାଷୀର ଜମିକୁ ଜଳଯୋଗାଣ ଅତ୍ୟନ୍ତ ଆବଶ୍ୟକ । ତେଣୁ, ଜଳସେଚନର ସମସ୍ତ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟର କୃଷକମାନଙ୍କ ଜମିକୁ ପାଣି ଯୋଗାଇଦେବା ପାଇଁ ନୂଆ ଫିଲ୍ଡ ଚ୍ୟାନେଲ ନିର୍ମାଣ ସହିତ ପୁରୁଣା ଚ୍ୟାନେଲ ଗୁଡିକୁ କଂକ୍ରିଟ୍ ଚ୍ୟାନେଲରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୮୦ ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୨୪୦୦ କିଲୋମିଟର ନୂତନ କଂକ୍ରିଟ୍ କରନାଳୀ ନିର୍ମାଣ କରାଯିବ । ଏହା ସହିତ ୬୨ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୧୮୬୦ କିଲୋମିଟର ଅତି ପୁରୁଣା ଓ ଜରାଜୀର୍ଣ୍ଣ କ୍ଷେତ୍ରନାଳୀକୁ କଂକ୍ରିଟ ନାଳୀରେ ପୁନଃନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳର ସୁବ୍ୟବହାର, ଜଳ ବଣ୍ଟନରେ ସମତା ଏବଂ ଚାଷୀର ଜମିକୁ ପର୍ଯ୍ୟାପ୍ତ ଜଳ ସେଚନର ବ୍ୟବସ୍ଥା ସୁନିଶ୍ଚିତ କରିବା ଆମର ପ୍ରାଥମିକତା । ଏ ଦିଗରେ ପାଣି ପଞ୍ଚାୟତର ବଡ ଭୂମିକା ରହିଛି । ରାଜ୍ୟରେ ବର୍ତ୍ତମାନ ୩୯ ହଜାର ରୁ ଅଧିକ ପାଣି ପଞ୍ଚାୟତ ଜଳ ପରିଚାଳନାର ନେତୃତ୍ୱ ନେଉଛନ୍ତି । ଏହା ଦ୍ୱାରା ଜଳ ପରିଚାଳନାରେ ସମସ୍ତଙ୍କର ସହଭାଗିତା ରହିପାରୁଛି ଓ ଜଳର ଅପଚୟ ମଧ୍ୟ ରୋକା ଯାଇ ପାରୁଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଜଳ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷର ବଜେଟରେ ୧୩,୨୨୩ କୋଟି ରୁ ଅଧିକ ଟଙ୍କା ପ୍ରାବଧାନ କରାଯାଇଛି । ଚଳିତ ବଜେଟରେ ନୟାଗଡ ଜିଲ୍ଲାରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ, ଗଂଜାମ ଜିଲ୍ଲାର ପିପଳପଙ୍କ ପ୍ରକଳ୍ପ, ବଲାଙ୍ଗିର ଜିଲ୍ଲାର ଉପର ଲାନ୍ଥ ଜଳସେଚନ ପ୍ରକଳ୍ପ, ଅନୁଗୁଳ ଜିଲ୍ଲାର ସମାକୋଇ ବ୍ୟାରେଜ ପ୍ରକଳ୍ପ, ବରଗଡ ଜିଲ୍ଲାରେ ୩ଟି ଓ ନୂଆପଡା ଜିଲ୍ଲାର ୭ଟି ଉଠାଜଳସେଚନ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାରେ ୩ଟି ଓ ନୂଆପଡା ଜିଲ୍ଲାରେ ୨ଟି ଏମ.ଆଇ.ପି., କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ ନୂଆପଡା ଜିଲ୍ଲାରେ ୩୫୯ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ଏବଂ ୧୧,୮୮୬ ଗଭୀର ନଳକୂପ ପ୍ରକଳ୍ପ ଆରମ୍ଭ କରିବା ପ୍ରକ୍ରିୟା ତ୍ୱାରାନ୍ୱିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଭାବେ ମୁଁ ବ୍ୟକ୍ତିଗତ ଭାବେ ଏହି ସବୁ ପ୍ରକଳ୍ପକୁ ସମୀକ୍ଷା କରୁଛି ବୋଲି ସେ କହିଥିଲେ । ସେ ପୁଣି କହିଥିଲେ ଯେ, କୃଷି କାର୍ଯ୍ୟରେ ବୈପବ୍ଳିକ ପରିବର୍ତ୍ତନର ଲକ୍ଷ୍ୟ ରଖି ଆମ ସରକାର ଜଳ ପରିଚାଳନା କ୍ଷେତ୍ରରେ ଟେକ୍‌ନୋଲୋଜିର ବ୍ୟାପକ ବ୍ୟବହାର ପାଇଁ ପଦକ୍ଷେପ ନେଇଛନ୍ତି । ଡିଜିଟାଲ ଟେକ୍‌ନୋଲୋଜିର ବ୍ୟବହାର କରି ମାଟିର ଆଦ୍ରତା ନିରୁପଣ ପ୍ରଣାଳୀ ବିକଶିତ କରାଯିବ । ଏଥିପାଇଁ ICAR ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ଅନୁବନ୍ଧିତ ହୋଇଛି । ପାଣି ପଞ୍ଚାୟତ ମାନଙ୍କର ଦକ୍ଷତା ବିକାଶ ପାଇଁ ଜାଭିୟର ୟୁନିଭରସିଟି ସହିତ ମଧ୍ୟ ଯୋଗାଯୋଗ ହୋଇଛି । ଉପସ୍ଥିତ କୃଷକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷକମାନେ ହେଉଛନ୍ତି ରାଜ୍ୟ ବିକାଶର ମୂଳ ସୂତ୍ରଧର । ସେମାନେ ସମସ୍ତଙ୍କ ମୁହଁରେ ଆହାର ଯୋଗାଉଛନ୍ତି । ସେଥିପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଆପଣମାନଙ୍କୁ ଅନ୍ନଦାତା ଭାବେ ସମ୍ମାନିତ କରି ଆସିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟରେ କୃଷିର ବିକାଶ ପାଇଁ ଚଳିତ ବର୍ଷ କୃଷି ବଜେଟରେ ୩୩ ହଜାର ୯୧୯ କୋଟି ଟଙ୍କା ପ୍ରାବଧାନ କରାଯାଇଛି । କୃଷକମାନଙ୍କ ସୁଖଦୁଃଖରେ ଆମ ସରକାର ଅଛନ୍ତି । ଅଦିନିଆ ବର୍ଷାକୁ ଏକ ବିପର୍ଯ୍ୟୟ ଭାବେ ଗ୍ରହଣ କରି  ଆମ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ୨୯୧ କୋଟି ରୁ ଅଧିକ ଟଙ୍କା ସହାୟତା ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୬.୬୬ ଲକ୍ଷ ଚାଷୀ ଏହି ସହାୟତା ପାଇବେ । ପରିଶେଷରେ ମୁଖ୍ୟମନ୍ତ୍ରୀ କହିଲେ ଯେ,  କୃଷକମାନେ ସମୃଦ୍ଧ ହେଲେ, ଓଡିଶା ସମୃଦ୍ଧ ହେବ। ତେଣୁ ରାଜ୍ୟର ବିକାଶ ପାଇଁ, କୃଷି କ୍ଷେତ୍ରର ବିକାଶ ପାଇଁ ଆମର ସବୁ କାର୍ଯ୍ୟକ୍ରମରେ ଚାଷୀ ଭାଇମାନଙ୍କୁ ସାମିଲ ହେବାକୁ ସେ ନିବେଦନ କରିଥିଲେ । ଏହି ଅବସରରେ ନିଜର ଅଭିଭାଷଣ ରଖି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ ଯେ, ଓଡିଶା ସରକାର ଚାଷୀମାନଙ୍କ ସହ ଅଛନ୍ତି ଏବଂ ସେମାନଙ୍କୁ ଆଗକୁ ବଢିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରୁଛନ୍ତି । ଚାଷୀମାନଙ୍କ ଉତ୍ପାଦନ ପାଇଁ ମାର୍କେଟ ଲିଂକେଜ୍ ଦେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ସମସ୍ତେ ପାଣିର ଉଚିତ୍ ବ୍ୟବହାର କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, ପାଣି ପଞ୍ଚାୟତରେ ଏବେ ବହୁ ସଂଖ୍ୟାରେ ମହିଳାମାନେ ନେତୃତ୍ୱ ନେଉଛନ୍ତି ଏବଂ ଖୁବ୍ ଭଲ କାମ କରୁଛନ୍ତି । ତେଣୁ, ଆମର ଫୋକସ୍ ହେଉଛି ପାଣି ପଞ୍ଚାୟତରେ ଅଧିକରୁ ଅଧିକ ମହିଳାମାନଙ୍କୁ ଯୋଡିବା । ଓଡିଶାର ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ଉପରେ ବିଭିନ୍ନ ରାଜ୍ୟର ଆଗ୍ରହ ବୃଦ୍ଧି ପାଇଛି । ତେଣୁ, ସମସ୍ତେ ମିଶି ଭଲ କାମ କଲେ ଜାତୀୟ ସ୍ତରରେ ଓଡିଶାର ପ୍ରସିଦ୍ଧି ଆହୁରି ବୃଦ୍ଧି ପାଇବ ବୋଲି ସେ କହିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ଏବଂ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ  ଶ୍ରୀ ଚନ୍ଦ୍ର ଶେଖର ପାଢୀ ଅଭିଭାଷଣ ରଖିଥିଲେ । ଏହି ଅବସରରେ ଢେଙ୍କାନାଳର ଗୋଟିଏ ପାଣି ପଞ୍ଚାୟତର ସଫଳ ମହିଳା ଚାଷୀ ସଶ୍ମିତା ନାୟକ ଏବଂ କେନ୍ଦୁଝର ଜିଲ୍ଲା ପାଣି ପଞ୍ଚାୟତର ସଫଳ ଚାଷୀ ବଗଲ ଚରଣ ବ୍ରହ୍ମା ପାଣି ପଞ୍ଚାୟତର ସଫଳତା ବିଷୟରେ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀ ସେଚ ସହଭାଗୀତା ୩.୦ ନାମକ ଏକ କଫି ଟେବଲ୍ ବହିର ଉନ୍ମୋଚନ କରିଥିଲେ । ଏହି ଅବସରରେ ସହଭାଗୀ ସେଚ ସମ୍ପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇଥିଲା । କୃତୀ ବିଦ୍ୟାର୍ଥୀ, ସଫଳ ଚାଷୀ, ସଫଳ ପାଣି ପଞ୍ଚାୟତ ଓ ଦକ୍ଷ ଅଧିକାରୀମାନଙ୍କୁ ସମ୍ମାନିତ କରାଯାଇଥିଲା ।
https://www.youtube.com/watch?v=tT_JRwDI_mo

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking