28.1 C
Bhubaneswar
Saturday, September 21, 2024
Homeଓଡିଶାଲୋକାର୍ପିତ ହେଲା ଓଡିଶା ଟେବୁଲ ଟେନିସ୍‌ ଏକାଡେମୀ; ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୩ ଟେବୁଲ...

ଲୋକାର୍ପିତ ହେଲା ଓଡିଶା ଟେବୁଲ ଟେନିସ୍‌ ଏକାଡେମୀ; ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ୩୩ ଟେବୁଲ ଟେନିସ୍‌ ସେଣ୍ଟର

ଭୁବନେଶ୍ୱର : କ୍ରୀଡ଼ା ଓ ଯୁବପିଢ଼ୀଙ୍କ ଉପରେ ନିବେଶ, ଏକ ଉଜ୍ଜ୍ୱଳ ଭବିଷ୍ୟତ ଉପରେ ନିବେଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଏହା କହିନାହାନ୍ତି ବରଂ ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ସ୍ଥାପନ କରି ଚାଲିଛନ୍ତି । ଏହି କ୍ରମରେ ଟେବୁଲ ଟେନିସ୍‌ ଖେଳକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଅତ୍ୟାଧୁନିକ ଓଡିଶା ଟେବୁଲ ଟେନିସ୍‌ ଏକାଡେମୀର ଲୋକାର୍ପଣ କରିଛନ୍ତି ।

ଏହି ଅବସରରେ ସମଗ୍ର ରାଜ୍ୟରେ ୩୩ଟି ଟେବୁଲ ଟେନିସ୍‌ ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ୨୯ତମ ଷ୍ଟେଟ୍‌ ଟେବୁଲ୍‌ ଟେନିସ୍‌ ଚାମ୍ପିଅନ୍‌ସିପ୍‌-୨୦୨୩ର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଓଡିଶା ଟେବୁଲ ଟେନିସ୍‌ ଏକାଡେମୀରେ ୧୬ଟି ଟିଟି ଟେବୁଲ ସହିତ ବୃହତ ଏରିନା, ଜିମନାସିୟମ୍‌, ଭାରଉତ୍ତୋଳନ କୋଠରୀ, ଚେସ୍‌ ଏରିନା ଆଦି ରହିଛି । ଏଥିସହ ଯୋଗ, ଜୁମ୍ଭା ପାଇଁ ବ୍ୟବସ୍ଥା ଜରିଆରେ କ୍ରୀଡ଼ାବିତ୍‌ଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ସୁନିଶ୍ଚିତ ପାଇଁ ପଦକ୍ଷେପ ନିଆଯାଇଛି । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଓଡିଶା ଟେବୁଲ ଟେନିସ୍‌ ଏକାଡେମୀର ଶୁଭାରମ୍ଭ ସହିତ ଟେବୁଲ୍‌ ଟେନିସ୍‌ରେ ଉକ୍ରର୍ଷତା ଆଡକୁ ଓଡ଼ିଶା ଆଉ ଏକ ପାଦ ବଢ଼ାଇଛି ।

ଏହି ଅନୁଷ୍ଠାନ ନା କେବଳ କ୍ରୀଡ଼ା ପ୍ରତିଭାର ବିକାଶ କରିବ ବରଂ ପ୍ରତିଯୋଗୀ ମନୋଭାବ ସୃଷ୍ଟି ଦିଗରେ ସହାୟକ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିର୍ମାଣ ହେଉଥିବା ଇଣ୍ଡୋର ହଲ୍‌ ପରିସରରେ ୩୩ଟି ଟେବୁଲ ଟେନିସ୍‌ ସେଣ୍ଟର ପ୍ରତିଷ୍ଠା ହେବ । ଚଳିତ ବର୍ଷ ଡିସେମ୍ବର ମାସରେ ଏସବୁ ଟେବୁଲ ଟେନିସ୍‌ ସେଣ୍ଟର କାର୍ଯ୍ୟକ୍ଷମ ହେବ । ସେଥିରୁ ୧୬ଟି ଟେବୁଲ୍‌ ସହିତ କଟକ ଟେବୁଲ ଟେନିସ୍‌ ସେଣ୍ଟର ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଟେବୁଲ ଟେନିସ୍‌ର ବିକାଶ ପାଇଁ ନିଆଯାଉ ଥିବା ପଦକ୍ଷେପ ପାଇଁ ଓଡିଶା ରାଜ୍ୟ ଟେବୁଲ ଟେନିସ୍‌ ଆସୋସିଏସନ୍‌କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଏହି କ୍ରୀଡ଼ାରେ ଓଡ଼ିଶାର ପିଲାମାନଙ୍କୁ ଭାରତର ପ୍ରତିନିଧିତ୍ୱ କରିବା ଲାଗି ସବୁ ପ୍ରକାର ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହି ଅବସରରେ ଉପସ୍ଥିତ ଥିବା ଟେବୁଲ ଟେନିସ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ (ଟିଟିଏଫ୍‌ଆଇ) କର୍ତ୍ତୃପକ୍ଷ କମଲେଶ ମେହେତା, ଶ୍ରୀ ଚୌଧୂରୀ କ୍ରୀଡ଼ାର ବିକାଶ ପାଇଁ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ୨୦୧୯ରେ ଅନୁଷ୍ଠିତ କମନୱେଲଥ୍‌ ଟିଟି ଚାମ୍ପିଅନ୍‌ସିପ୍‌ ଓ ନ୍ୟାସନାଲ ଟିଟି ଚାମ୍ପିଅନସିପ୍‌ର ସଫଳ ଆୟୋଜନ ଲାଗି ମଧ୍ୟ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ, ଅତିରିକ୍ତ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, ଓଏସ୍‌ଟିଟିଏର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking