ବେଙ୍ଗାଲୁରୁ: ଚଳିତ ଆଇପିଏଲ୍ରେ ସୋମବାର ସଂସ୍କରଣର ୨୪ତମ ମ୍ୟାଚ୍ ଘରୋଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଓ ଭ୍ରମଣକାରୀ ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି । ଏଥିରେ ପ୍ରଥମେ ବ୍ୟାଟିଂ ପାଇ ଚେନ୍ନାଇ ୬ ୱିକେଟ୍ ବିନିମୟରେ ୨୨୬ ରନ୍ କରିଥିବା ବେଳେ ଏହାର ଜବାବରେ ବାଙ୍ଗାଲୋର୍ ୮ ୱିକେଟ୍ ବିନିମୟରେ ୨୧୮ ରନ୍ କରିଥିଲା । ଫଳରେ ସଂସ୍କରଣରେ ନିଜର ପଞ୍ଚମ ମ୍ୟାଚ୍କୁ ଚେନ୍ନାଇ ୮ ରନ୍ରେ ଜିତିନେଇଛି । ଦଳର ଏହି ତୃତୀୟ ବିଜୟରେ ଓପନର ଡେଭନ୍ କୋନ୍ୱେ ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶିବମ୍ ଦୁବେଙ୍କ ଅର୍ଦ୍ଧଶତକ ମୁଖ୍ୟ ଭୂମିକା ନିର୍ବାହ କରିଛି ।
ଓପନର ଋତୁରାଜ ଗାଏକ୍ୱାଡ୍ ମାତ୍ର ୩ ରନ୍ କରି ଆଉଟ୍ ହେବା ପରେ କୋନ୍ୱେ ଓ ଆଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନ୍ର ଭାଗୀଦାରୀ ହୋଇଥିଲା । ରାହାଣେ ୨୦ ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ସହ ୩୭ ରନ୍ର ଅବଦାନ ଦେବା ପରେ ପ୍ୟାଭିଲିଅନ୍ ଫେରିଥିଲେ । କିନ୍ତୁ କୋନ୍ୱେ ତାଙ୍କ ବ୍ୟାଟିଂ ଜାରି ରଖିବା ସହ ତୃତୀୟ ୱିକେଟ୍ରେ ଦୁବେଙ୍କ ସହ ଆଉ ଏକ ମଜଭୁତ ଭାଗୀଦାରୀ କରିଥିଲେ । ଉଭୟଙ୍କ ମଧ୍ୟରେ ୮୦ ରନ୍ର ଭାଗୀଦାରୀ ହେବା ଫଳରେ ଦଳ ବଡ଼ ସ୍କୋର୍ ଆଡ଼କୁ ଅଗ୍ରସର ହୋଇଥିଲା । କୋନ୍ୱେ ମାତ୍ର ୪୫ଟି ବଲ୍ ଖେଳି ୬ଟି ଲେଖାଏଁ ଚୌକା ଓ ଛକା ସହ ୮୩ ରନ୍ କରି ଆଉଟ୍ ହେବା ପରେ ଦୁବେଙ୍କ ୱିକେଟ୍ର ମଧ୍ୟ ପତନ ଘଟିଥିଲା । ତେବେ ସେତେବେଳକୁ ଦୁବେ ମାତ୍ର ୨୭ ବଲ୍ରେ ୨ଟି ଚୌକା ଓ ୫ଟି ଛକା ମାଧ୍ୟମରେ ୫୨ ରନ୍ କରିସାରିଥିଲେ । ଏହାଛଡ଼ା ମୋଇନ୍ ଅଲୀ ମାତ୍ର ୯ ବଲ୍ରେ ୨ଟି ଛକା ମାଧ୍ୟମରେ ଅପରାଜିତ ୧୯ ରନ୍ କରିଥିବା ବେଳେ ଅମ୍ବାତି ରାୟୁଡୁ ୬ଟି ବଲ୍ ଖେଳି ଗୋଟିଏ ଲେଖାଏଁ ଚୌକା ଓ ଛକା ସହାୟତାରେ ୧୪ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଛକା ସହ ୧୦ ରନ୍ କରିଥିଲେ । ବାଙ୍ଗାଲୋର୍ ପକ୍ଷରୁ ମହମ୍ମଦ ସିରାଜ୍, ୱେନ୍ ପାର୍ନେଲ୍, ବିଜୟକୁମାର ବିଶକ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ୱାନିନ୍ଦୁ ହସରଙ୍ଗା ଓ ହର୍ଷଲ୍ ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ବ୍ୟାଟିଂରେ ଦଳ ଓପନର ବିରାଟ କୋହଲି (୬) ଓ ମହିପାଲ୍ ଲୋମରୋର୍ (୦)ଙ୍କ ୱିକେଟ୍ ସ୍କୋର୍ ୧୫ରେ ପହଞ୍ଚିବା ବେଳକୁ ହରାଇସାରିଥିଲା । କିନ୍ତୁ ତୃତୀୟ ୱିକେଟ୍ରେ ଅନ୍ୟତମ ଓପନର ତଥା ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଓ ମ୍ୟାକ୍ସୱେଲ୍ଙ୍କ ମଧ୍ୟରେ ୧୨୬ ରନ୍ର ଭାଗୀଦାରୀ ହେବା ଫଳରେ ବାଙ୍ଗାଲୋର୍ ଦର୍ଶକ ବିଜୟ ଆଶା ବାନ୍ଧିଥିଲେ । କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ସେମାନଙ୍କ ଆଶାକୁ ଆଉ କୌଣସି ବ୍ୟାଟ୍ସମ୍ୟାନ୍ ଉଜ୍ଜୀବିତ ରଖିପାରି ନ ଥିଲେ । ମ୍ୟାକ୍ସୱେଲ୍ ମାତ୍ର ୩୬ଟି ବଲ୍ରେ ୩ଟି ଚୌକା ଓ ୮ଟି ଛକା ସହ ୭୬ ରନ୍ କରିଥିବା ବେଳେ ଡୁ ପ୍ଲେସିସ୍ ମାତ୍ର ୩୩ଟି ବଲ୍ରେ ୫ଟି ଚୌକା ଓ ୪ଟି ଛକା ଜରିଆରେ ୬୨ ରନ୍ କରିଥିଲେ । ଏହାଛଡ଼ା ଦୀନେଶ କାର୍ତ୍ତିକ ୧୪ ବଲ୍ରେ ୩ଟି ଚୌକା ଓ ଗୋଟିଏ ଛକା ସହ ୨୮, ସୂୟାଶ ପ୍ରଭୁଦେଶାଇ ୨ଟି ଛକା ସହ ୧୯ ଓ ଶାହବାଜ୍ ଅହମ୍ମଦ ଗୋଟିଏ ଛକା ସହ ୧୨ ରନ୍ କରିଥିଲେ । ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ୩ଟି ଏବଂ ମାଥିଶା ପାଥିରାନା ୨ଟି ୱିକେଟ୍ ନେଇଥିବା ବେଳେ ଆକାଶ ସିଂହ, ମହୀଶ ତିକ୍ଶାନା ଓ ମୋଇନ୍ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।