ସିମୁଳିଆ : ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକାଦେଇଛି ପ୍ରେମିକ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବରିପଡ଼ିଆ ଅଞ୍ଚଳର ପୀଡ଼ିତା ଯୁବତୀ ଜଣଙ୍କ ଦିନ ମଜୁରିଆ ଭାବେ କାମ କରନ୍ତି । ତାଙ୍କ ସହିତ ସେହି ଅଞ୍ଚଳର ଗୋବିନ୍ଦ ସରକାରଙ୍କ ପୁଅ ବିକ୍ରମ ସରକାର ମଧ୍ୟ ତାଙ୍କ ସାଙ୍ଗରେ କାମ କରିବାକୁ ଯାଆନ୍ତି । ଦୁହେଁ ଏକାଠି କାମ କରୁଥିବାବେଳେ ପ୍ରେମ ସମ୍ପର୍କ ଗଢ଼ିଉଠିଲା । ବିକ୍ରମ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତା’ ସହିତ ୫ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖିଆସୁଥିଲେ ।
ଯୁବତୀ ଜଣଙ୍କ ଯେତେବେଳେ ବିବାହ କରିବାକୁ କୁହନ୍ତି ସେ ଘର ଲୋକଙ୍କୁ କହି ବିବାହ କରିବା ଆଉ ଟିକିଏ ଅପେକ୍ଷା କର ବୋଲି କହି ପ୍ରତିଶ୍ରୁତି ଦେଇଚାଲିଥିଲେ । ବାରମ୍ବାର ଏଭଳି ପ୍ରତିଶ୍ରୁତି ଶୁଣି ଶେଷରେ ଯେତେବେଳେ ଯୁବତୀ ଜଣଙ୍କ ଜିଦ୍ ଧରିଲେ ବିବାହ କରିବାକୁ, ସେତେବେଳେ ବିକ୍ରମ ରୋକଠୋକ ମନା କରିଦେଲେ । ଏଥିରେ ଯୁବତୀ ଜଣଙ୍କ ଭାଙ୍ଗିପଡ଼ି ଗ୍ରାମବାସୀ ତଥା ବିକ୍ରମଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇ ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ବି ସୁଫଳ ମିଳିନଥିଲା । ଶେଷରେ ସେ ନ୍ୟାୟ ପାଇଁ ସିମୁଳିଆ ଥାନାର ଆଶ୍ରୟ ନେଇଥିବା ବେଳେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଅଭିଯୋଗ ପାଇ ସିମୁଳିଆ ପୁଲିସ ଘଟଣାର ତଦନ୍ତ କରୁଥିବାର ଜଣାପଡ଼ିଛି ।