ସମ୍ବଲପୁର : ହଜ୍ ପାଇଁ ଟିକେଟ ଓ ରହିବା ବନ୍ଦୋବସ୍ତ କରାଇବା ପ୍ରତିଶ୍ରୁତି ଦେଇ ସମ୍ବଲପୁର କୁମ୍ଭାରପଡ଼ା ବାସିନ୍ଦା ଅବଦୁଲ ରହିମ ୩୫ ଜଣଙ୍କ ଠାରୁ ୨୮ ଲକ୍ଷ ଟଙ୍କା ସଂଗ୍ରହ କରି ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗକାରୀମାନେ ଏସପି ଡ. କନୱାର ବିଶାଲ ସିଂଙ୍କୁ ଭେଟି ଅଭିଯୋଗ କରିବା ପରେ ଧନୁପାଲି ଥାନାରେ ରହିମଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାମଲାର ତଦନ୍ତ ଆରମ୍ଭ ହୋଇଯାଇଥିବା ଅତିରିକ୍ତ ଏସପି ପ୍ରଦୀପ ମହାପାତ୍ର କହିଛନ୍ତି ।
ସୂଚନା ଅନୁଯାୟୀ, ହଜ ଓ ହମରାହ ତୀର୍ଥସ୍ଥାନ ପାଇଁ ରହିମ ତାଙ୍କର ଅଲ ଖାତିବ ଟୁରସ ଆଣ୍ଡ୍ ଟ୍ରାଭେଲ୍ସ ସଂସ୍ଥା ୩୫ ଜଣଙ୍କଠାରୁ ୨୮ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ । କିନ୍ତୁ ତାଙ୍କୁ ଅଭିଯୋଗକାରୀମାନେ ଟିକେଟ ବିଷୟରେ ପଚରାଉଚୁରା କରିବାରୁ ରହିମ ସମସ୍ତ ଟଙ୍କା ଛତିଶଗଡ଼ ରାୟପୁରରୁ ଆକବର ଟୁରସ ଆଣ୍ଡ ଟ୍ରାଭେଲ୍ସକୁ ହସ୍ତାନ୍ତର କରିଥିବା କହିଥିଲେ । ଅଭିଯୋଗକାରୀମାନେ ରାୟପୁର ଆକବର ଟୁରସରେ ସନ୍ଧାନ କରିବାରୁ ରହିମଙ୍କ ଠାରୁ କୌଣସି ଟଙ୍କା ମିଳିନଥିବା ଉତ୍ତର ଦିଆଯାଇଥିଲା । ଏଣେ ରହିମ ସେ ଟଙ୍କା ଆକବର ଟୁରସରେ ଜମା କରିସାରିଥିବାରୁ ସେ କିଛି କରିପାରିବେ ନାହିଁ କହି ଓଲଟା ଧମକ ଦେଇଥିବା ଅଭିଯୋଗକାରୀମାନେ ଅଭିଯୋଗ କରିଛନ୍ତି ।