ଗାଁ ମଝିରେ ହାତୀପଲ ଦେଖି ଗ୍ରାମବାସୀ ଆତଙ୍କିତ

ଦେବଗଡ଼ : ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟ ଅନ୍ତର୍ଗତ ମହା ସିନ୍ଧୁ ଗ୍ରାମରେ ଗତ ୨ ଦିନ ଧରି ହାତୀଙ୍କ ଉପଦ୍ରବ ଯୋଗୁଁ ଜନସାଧାରଣ ଭୟଭିତ ଥିବା ବେଳେ ଚାଷ ଜମିରୁ ହାତୀ ପଲ ଧାନ ଖାଇବା ସହ ଫସଲନଷ୍ଟ କରୁଥିବାରୁ ଚାଷୀ ଏବେ ଉପାୟ ଶୂନ୍ୟ ହୋଇପଡିଛି । ମିଳିଥିବା ସୂଚନା ଅନୁଯାୟୀ, ରିଆମାଳ ଫରେଷ୍ଟ ଅନ୍ତର୍ଗତ ଫୁଲଝରି ଜଙ୍ଗଲରୁ ୫ ଦନ୍ତା ସମେତ ୨୫ଟି ହାତୀର ଏକ ଦଳ ବୁଧବାର ସନ୍ଧ୍ୟାରୁ ମହାସିନ୍ଧୁ ଗ୍ରାମକୁ ଆସି ଗୌର କିସାନଙ୍କ ଅଗଣାରେ ରଖାଯାଇଥିବା ଧାନକୁ ଖାଇଥିଳେ । ଏଥିସହ ନିକଟସ୍ଥ ଚାଷ ଜମି ଗୁଡିକରେ କଟାଯାଇଥିବା ଧାନ ଫସଲକୁ ଖାଇବା ସହ ପାଦରେ ଦଳି ନଷ୍ଟ କରିଦେଇଥିଲେ । ଏ ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେବା ପରେ ସ୍ଥାନୀୟ ଫରେଷ୍ଟର ଗିରିଧାରୀ ପ୍ରଧାନ, ବନରକ୍ଷୀ କାନ୍ଦୁ କିରେଇ ଓ ମାନସୀ ମଞ୍ଜରୀ ନାଏକ ବନ ବିଭାଗର ଏଲିଫ୍ୟାଣ୍ଟ ସ୍କାର୍ଡ ସହ ଉକ୍ତ ଅଞ୍ଚଳକୁ ଯାଇ ହାତୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ରହିଥିଲେ । ଆଜି ସକାଳ ପ୍ରାୟ ୬ଟା ସମୟରେ ଉକ୍ତ ହାତୀପଲ ପୁଣିଥରେ ନିର୍ଭୟରେ ଗ୍ରାମ ରାସ୍ତା ପାର କରି ଫୁଲଝରି ଜଙ୍ଗଲ ଅଭିମୁଖେ ଯାଉଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ । ତେବେ ସଂପୃକ୍ତ ଅଞ୍ଚଳରେ ବନ ବିଭାଗ କର୍ମଚାରୀ ହାତୀ ପଲ ଉପରେ ନଜର ରଖିଥିବା ଜଣାପଡ଼ିଛି ।