ଚଣ୍ଡିଗଡ: ହଷ୍ଟେଲ ଛାତ୍ରୀଙ୍କ ଅଶ୍ଲୀଳ ଏମ୍ଏମ୍ଏସ୍ ଭାଇରାଲ ଘଟଣାର ତଦନ୍ତ ନିମନ୍ତେ ଚଣ୍ଡିଗଡ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ସୋମବାର ତିନିଜଣିଆ ଏସ୍ଆଇଟି (ସ୍ପେଶାଲ ଇନ୍ଭେଷ୍ଟିଗେସନ ଟିମ୍) ଗଠନ କରାଯାଇଛି । ଏଥିରେ କେବଳ ମହିଳା ସଦସ୍ୟଙ୍କୁ ସାମିଲ କରାଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇଟି ଗଠନ କରାଯାଇଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ ସୂଚନା ଦେଇଛନ୍ତି । ଏହି ମାମଲାରେ ସଂପୃକ୍ତ ଲେଡିଜ୍ ହଷ୍ଟେଲର ୱାର୍ଡେନଙ୍କୁ ନିଲମ୍ବିତ କରାଯାଇଛି । ଏସ୍ଆଇଟି ଗଠନ ଓ ୱାର୍ଡେନଙ୍କୁ ନିଲମ୍ବନ କରାଯିବାପରେ ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ସନ୍ତୋଷ ବ୍ୟକ୍ତ କରିବା ସହ ଧାରଣାରୁ ଓହରିଯାଇଛନ୍ତି । ପୁଲିସ ଏହି ମାମଲାରେ ସଂପୃକ୍ତ ଛାତ୍ରୀଙ୍କ ସମେତ ମୋଟ ୩ ଜଣଙ୍କୁ ଗିରଫ କରିସାରିଛି ।
ଅନ୍ୟ କେତେଜଣଙ୍କୁ ଅଟକ ରଖି ଜେରା ମଧ୍ୟ କରାଯାଉଛି । ସୂଚନାଯୋଗ୍ୟ ବିଶ୍ୱବିଦ୍ୟାଳୟର ଜନୈକା ଛାତ୍ରୀ ହଷ୍ଟେଲ ବାଥ୍ରୁମରେ ସ୍ନାନ କରୁଥିବା କେତେକ ଛାତ୍ରୀଙ୍କ ଭିଡିଓ ଚିତ୍ର ଉତ୍ତୋଳନ କରିବା ସହ ଏହାକୁ ସିମଳାରେ ରହୁଥିବା ସାହିଲ ନାମକ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଥିଲେ । ଅପରପକ୍ଷରେ ସାହିଲ ଉକ୍ତ ଆପତ୍ତିଜନକ ଭିଡିଓକୁ ଇଣ୍ଟରନେଟ୍ରେ ଭାଇରାଲ କରିଥିଲେ । ଶନିବାର ରାତିରେ ଏହା ଜଣାପଡିବାପରେ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଥିଲା । ରବିବାର ଛାତ୍ରଛାତ୍ରୀ ଓ ଅଭିଭାବକ ଏହାକୁ ନେଇ ବ୍ୟାପକ ହଙ୍ଗାମା ସୃଷ୍ଟି କରିଥିଲେ ।
ହଷ୍ଟେଲର ପ୍ରାୟ ୫୦ ଜଣ ଛାତ୍ରୀଙ୍କର ଭିଡିଓ ଭାଇରାଲ କରାଯାଇଛି ବୋଲି ଜଣେ ଅନ୍ତେବାସୀ ବୟାନ ଦେଇଛନ୍ତି । ଅଭିଯୁକ୍ତ ଛାତ୍ରୀଙ୍କୁ ଏ ସମ୍ପର୍କରେ ପଚାରିବାପରେ ସେ ଭିଡିଓଗୁଡିକୁ ଡିଲିଟ୍ କରିଥିବା ଅନ୍ତେବାସୀଜଣକ କହିଛନ୍ତି । ତେବେ ସଂଖ୍ୟାଧିକ ଛାତ୍ରୀଙ୍କର ଭିଡିଓ ଭାଇରାଲ ହୋଇଥିବା ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ଅଭିଯୁକ୍ତ ଛାତ୍ରୀ କେବଳ ନିଜର ଭିଡିଓକୁ ବନ୍ଧୁଙ୍କ ନିକଟକୁ ପଠାଇଥିବା କର୍ତ୍ତୃୃପକ୍ଷ ସଫେଇ ଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟକୁ ଦୁଇଦିନ ବନ୍ଦ ରଖାଯାଇଛି ।