ନୂଆଦିଲ୍ଲୀ: ଗତ ଟି-୨୦ ବିଶ୍ୱକପରେ ଗୋଟିଏ ବି ମ୍ୟାଚ ଖେଳିବା ପାଇଁ ସୁଯୋଗ ପାଇ ନାହାନ୍ତି ଭାରତୀୟ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ । ଇଂଲଣ୍ଡ ବିପକ୍ଷ ସେମି ଫାଇନାଳରେ ତାଙ୍କ ଖେଳିବା ନେଇ ଜୋରଦାର ଚର୍ଚ୍ଚା ହୋଇଥିଲେ ମଧ୍ୟ ସେ ପ୍ଲେଇଙ୍ଗ-୧୧ରେ ସ୍ତାନ ପାଇ ପାରି ନଥିଲେ । ଯାହାକୁ ନେଇ ସେ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଦଳରେ ତାଙ୍କୁ ସୁଯୋଗ ନ ମିଳିବାର ପ୍ରକୃତ କାରଣ ସେ ଏବେ ସ୍ପଷ୍ଟ କରିଛନ୍ତି ।
ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର ୟୁଜବେନ୍ଦ୍ର ଚହଲ କହିଛନ୍ତି ଯେ, ମୁଁ ବିଶ୍ୱକପରେ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିଲି । କିନ୍ତୁ ମୋତେ ଖେଳିବା ପାଇଁ ସୁଯୋଗ ମିଳିଲା ନାହିଁ । ତେବେ ଏହା ଟିମ କମ୍ବିନେସର ଉପରେ ନିର୍ଭର କରୁଥିଲା । ତେଣୁ ଚୟନ ହେବା ନ ହେବା ଇତ୍ୟାଦି ଭଳି ନିଷ୍ପତ୍ତି ମୋର କୌଣସି ହାତ ନାହିଁ । ଅଶ୍ୱୀନ ଏବଂ ଅକ୍ସର ପଟେଲ ଭଲ ଖେଳୁଥିଲେ । ତେବେ ମୁଁ କୌଣସି ବି ମୁହୂର୍ତ୍ତରେ ମ୍ୟାଚ ଖେଳିବା ପାଇଁ ଆଶାବାଦୀ ଏବଂ ପ୍ରସ୍ତୁତ ରହିଥିଲି । କିନ୍ତୁ ଏହି ସ୍ୱପ୍ନ ପୂରଣ ହୋଇ ପାରିଲା ନାହିଁ ।
ଏହାପରେ ଚହଲ କହିଛନ୍ତି ଯେ, ଚଳିତବର୍ଷ ଟି-୨୦ ବିଶ୍ୱକପରେ ସୁଯୋଗ ପାଇଲିନି ତ କ’ଣ ହେଲା? ୨୦୧୯ ଦିନିକିଆ ବିଶ୍ୱକପରେ ଦଳ ତରଫରୁ ଖେଳିବାର ସୁଯୋଗ ପାଇଥିଲି । ଟିମ ଇଣ୍ଡିଆ ପାଇଁ ଖେଳିବା ଅତ୍ୟନ୍ତ ଗୌରବର ବିଷୟ । ତେବେ ଏସବୁକୁ ଭୁଲି ଆଗାମୀ ବର୍ଷ ଦିନିକିଆ ବିଶ୍ବକପରେ ଖେଳିବା ପାଇଁ ପ୍ରସ୍ତୁତ ହେଉଛଇ ବୋଲି କହିଛନ୍ତି ୟୁଜବେନ୍ଦ୍ର ଚହଲ ।