17.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଜ୍ଞାନବ୍ୟାପୀ ମସ୍‌ଜିଦ୍‌ସ୍ଥିତ ଶିବଲିଙ୍ଗର କାର୍ବନ ଡେଟିଂ ପ୍ରସଙ୍ଗ; ଏପ୍ରିଲ ୫ ସୁଦ୍ଧା ରିପୋର୍ଟ ଦେବାକୁ ଏଏସ୍‌ଆଇକୁ...

ଜ୍ଞାନବ୍ୟାପୀ ମସ୍‌ଜିଦ୍‌ସ୍ଥିତ ଶିବଲିଙ୍ଗର କାର୍ବନ ଡେଟିଂ ପ୍ରସଙ୍ଗ; ଏପ୍ରିଲ ୫ ସୁଦ୍ଧା ରିପୋର୍ଟ ଦେବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ

ପ୍ରୟାଗରାଜ: ଉତ୍ତରପ୍ରଦେଶର ବାରାଣସୀସ୍ଥିତ ଜ୍ଞାନବ୍ୟାପୀ ମସ୍‌ଜିଦରେ ଠାବ କରାଯାଇଥିବା ଶିବଲିଙ୍ଗର କାର୍ବନ ଡେଟିଂ (ଏହା କେତେ ବର୍ଷ ପୁରୁଣା) ପ୍ରସଙ୍ଗରେ ଏପ୍ରିଲ ୫ ସୁଦ୍ଧା ଚୂଡାନ୍ତ ରିପୋର୍ଟ ଦାଖଲ କରିବାକୁ ଆହ୍ଲାବାଦ ହାଇକୋର୍ଟ ପକ୍ଷରୁ ବୁଧବାର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)କୁ ନିର୍ଦ୍ଦେଶ ଦିଆଯାଇଛି । କାର୍ବନ ଡେଟିଂ କରାଗଲେ ଶିବଲିଙ୍ଗର କୌଣସି କ୍ଷତି ଘଟିବ କି ନାହିଁ, ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଗତବର୍ଷ ମେ’ ମାସରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ମସ୍‌ଜିଦର ସର୍ଭେ ଓ ଭିଡିଓଗ୍ରାଫି କରାଯାଇଥିବାବେଳେ ପରିସରରେ ଶିବଲିଙ୍ଗ ଆକୃତିର ଏକ ପ୍ରାଚୀନ ପ୍ରସ୍ତର ଠାବ କରାଯାଇଥିଲା । ହିନ୍ଦୁ ସଂପ୍ରଦାୟ ଏହାକୁ ଶିବଲିଙ୍ଗ୍ ବୋଲି ଦାବି କରୁଥିବାବେଳେ ମସ୍‌ଜିଦ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ଖଣ୍ଡନ କରୁଛନ୍ତି ।

ଏହା ମସ୍‌ଜିଦ ପରିସରରେ ଥିବା ଝରଣାର ଅଂଶବିଶେଷ ବୋଲି କର୍ତ୍ତୃପକ୍ଷ ଯୁକ୍ତି ଦର୍ଶାଇଛନ୍ତି । ଶିବଲିଙ୍ଗର କାର୍ବନ ଡେଟିଂ ପାଇଁ କେତେକ ହିନ୍ଦୁ ମହିଳା ଯେଉଁ ପିଟିସନ ଦାଏର କରିଥିଲେ, ତାହାକୁ ବାରାଣସୀର ଏକ କୋର୍ଟ ୨୦୨୨ ଅକ୍ଟୋବରରେ ଖାରଜ କରିଦେଇଥିଲେ । ଫଳରେ ହିନ୍ଦୁ ମହିଳା ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିବାଦର ସମାଧାନ ପାଇଁ ସେତେବେଳେ ଶିବଲିଙ୍ଗର କାର୍ବନ ଡେଟିଂ ପ୍ରସଙ୍ଗରେ ଏଏସ୍‌ଆଇର ମତାମତ ଲୋଡାଯାଇଥିଲା । ଇତିମଧ୍ୟରେ ୮ ମାସ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ଏଏସ୍‌ଆଇ କୌଣସି ରିପୋର୍ଟ ଦାଖଲ କରିନାହିଁ । ତେଣୁ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଏପ୍ରିଲ ୫ ପର୍ଯ୍ୟନ୍ତ ଏଏସ୍‌ଆଇକୁ ମହଲତ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୫କୁ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking