36.1 C
Bhubaneswar
Tuesday, May 21, 2024
Homeଓଡିଶାପୂର୍ବରୁ କିପରି ପାଳନ ହେଉଥିଲା ରଥ ଯାତ୍ରା

ପୂର୍ବରୁ କିପରି ପାଳନ ହେଉଥିଲା ରଥ ଯାତ୍ରା

ଭୁବନେଶ୍ୱର : ଖ୍ରୀ.ଅ ଅଷ୍ଟମ ବା ନବମ ଶତାଦ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବିଷୟ ଭିକାରୀ ପଟ୍ଟନାୟକଙ୍କ ୧୮୫୯ ସାଲରେ ରଚିତ ରଥ ଚକଡା ପୋଥିରୁ ଉଦ୍ଧାର କରି ଗବେଷକ ସଦାଶିବ ରଥଶର୍ମା ପ୍ରକାଶ କରିଛନ୍ତି । ଏହି ରଥ ଚକଡା ପାଣ୍ଡୁଲିପିଟି ପୁରୀ ବାସେଳି ସାହିର ତତକାଳୀନ ରଥ ଅମୀନ ଓ ରଥକାର ଫକୀର ମହାପାତ୍ରଙ୍କ ଠାରୁ ପ୍ରାପ୍ତ ଓ ପୁରୀ ବଡ଼ ଓଡ଼ିଆ ମଠରେ ତାହା ସୁରକ୍ଷିତ ଥିଲା ବୋଲି ରଥଶର୍ମା ଉଲ୍ଲେଖ କରିଛନ୍ତି। ଯଯାତିଙ୍କ ବେଳେ ଜଗନ୍ନାଥ ମନ୍ଦିରର ଉଚ୍ଚତା ମାତ୍ର ୪୮ ହାତ ଥିଲା। ଠାକୁରେ ୨ହାତ ୧୦ଆଙ୍ଗୁଳର ଥିଲେ ଓ ରଥମାନ ୧୮ ହାତ ଉଚ୍ଚ ଥିଲା । ତିନି ରଥ ବୋଧେ ସମାନ ଥିଲା। ରଥ ଛଅ ଗୋଟି ହେଉଥିଲା । ବଳଗଣ୍ଡି ପର୍ଯ୍ୟନ୍ତ ତିନିରଥ ଯାଉଥିଲା । ଇନ୍ଦ୍ରଦ୍ୟୁମ୍ନ ପାଟଣାରେ ତିନିରଥ ନିର୍ମାଣ କରାଯାଉଥିଲା। ଏହା ଚାରି ଚକିଆ ଶଗଡି ସଦୃଶ୍ୟ ହେଉଥିଲା । ଏହି ତିନିଗୋଟି ରଥ ମାଳିନୀ ବା ବଡ଼ ନଈର ଉତ୍ତର ଭୂମିରେ ଆଡ଼ପ ମଣ୍ଡପ ବା ଗୁଣ୍ଡିଚା ଘରକୁ ଯାଉଥିଲା । ସିଂହଦ୍ୱାର ଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ଯାଉଥିବା ରଥ ଷୋହଳ ଚକିଆ , ଚଉଦ ଚକିଆ ଓ ବାର ଚକିଆ। ରଥ ଉପରେ ସୁନାର ତିନିବେଣ୍ଟିଆ ଧ୍ୱଜ କଳସ ଲାଗୁଥିଲା। କନକ ମୁଣ୍ଡାଇରେ ରତ୍ନ ଚାନ୍ଦୁଆ ଟଣା ହେଉଥିଲା। ଅନ୍ୟ ଗୋଟିଏ ଛୋଟ ରଥରେ ବଜନ୍ତରି, ରଥ ଘଣ୍ଟୁଆ, ବାଦ୍ୟକାରମାନେ ଯାଉଥିଲେ ଆଗେ ଆଗେ। ପଛରେ ତିନି ରଥକୁ ଟାଣୁଥିଲେ ଭକତମାନେ । ରଥରେ ଚାଉଳ, ନଡିଆ ଖଣ୍ଡ ପଡି ଭୋଗ ଲାଗୁଥିଲା । ତାହା ଅଳ୍ପ ସଂଖ୍ୟକ ସମବେତ ଭକ୍ତଗଣଙ୍କୁ ବଣ୍ଟନ କରାଯାଉଥିଲା । ବଳଗଣ୍ଡିଠାରେ ରଥ ପହଞ୍ଚିଲେ ଦୋଳଚାପରେ ନଈ ପାରି ହୋଇ ଅର ପଟକୁ ଠାକୁରମାନେ ବିଜେ କରି ଚାରି ଚକିଆ ଶଗଡି ରଥରେ ବସି ଗୁଣ୍ଡିଚା ମନ୍ଦିର ବେଢାକୁ ଯାଆନ୍ତି । ସାତ ଦିନ ପରେ ନବଦିନ ଯାତ୍ରା ସମାପ୍ତ କରି ବାହୁଡା ଯାତ୍ରା ହେଉଥିଲା।

ପ୍ରାବନ୍ଧକ ଡକ୍ଟର ହରିହର କାନୁନଗୋଙ୍କ ମତରେ ଯଯାତିଙ୍କ ସମୟରେ ହୋଇଥିବା ଘଟଣାଟି ବିଶ୍ୱାସଯୋଗ୍ୟ ମନେହୁଏ। ସମ୍ଭବତଃ ଜଗନ୍ନାଥଙ୍କୁ ୩୮ହାତର ଏକ ପଟୋଳରେ ସ୍ଥାପନା କଲା ବେଳେ ପୂର୍ବରୁ ଅନୁସୃତ ରଥଯାତ୍ରା ପରମ୍ପରାର ପ୍ରଭାବରେ ଯଯାତି ଏହି ରଥଯାତ୍ରାର ପ୍ରଚଳନ କରିଥିଲେ । ପରବର୍ତ୍ତୀ ଦ୍ୱାଦଶ ଶତାଦ୍ଦୀରେ ୧୦୦ ହାତର କିମ୍ବା ୧୨୫ ହାତର ବଡ଼ ଦେଉଳ ନିର୍ମାଣ ସମାପ୍ତି ଓ ଠାକୁରମାନଙ୍କ ବିଜେ ତୃତୀୟ ଅନଙ୍ଗଭୀମ ଦେବ (ଖ୍ରୀ.ଅ.୧୨୧୧-୧୨୩୮)ଙ୍କ ସମୟ ହୋଇଥିବାରୁ ସେହି ବର୍ଷଠାରୁ ପୂର୍ବ ସ୍ମୃତିକୁ ମନେ ରଖିବା ପାଇଁ ବଡ଼ ଦେଉଳରୁ ଗୁଣ୍ଡିଚା ଘରକୁ ଦିଅଁଙ୍କର ରଥଯାତ୍ରା ଦକ୍ଷିଣାଭିମୁଖୀରେ ହୋଇଥିବା ସମ୍ଭବପର । ଯଯାତିଙ୍କ ସମୟରେ ବଡ଼ ଦାଣ୍ଡର ବଳଗଣ୍ଡିଠାରେ ମାଳିନୀ ନଦୀ ପ୍ରବାହିତ ହେଉଥିବାରୁ ଛଅ ରଥ ନିର୍ମାଣ କରାଯାଉଥିଲା ଏବଂ ବୀର ନରସିଂହ ଦେବ ଓରଫ ପ୍ରଥମ ଭାନୁଦେବ (ଖ୍ରୀ.ଅ.୧୨୬୪-୧୨୭୮) କିମ୍ବା ଦ୍ୱିତୀୟ ନରସିଂହ ଦେବ (ଖ୍ରୀ.ଅ ୧୨୭୮-୧୩୦୭)ଙ୍କ ସମୟରେ ଏହି ମାଳିନୀ ନଦୀ (ଶରଧାବାଲି)କୁ ପୋତି ଦେବା ଫଳରେ ଛଅ ରଥ ପରିବର୍ତ୍ତେ ତିନି ରଥ ତିନି ରଥ ନିର୍ମିତ ହୋଇ ଆସୁଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking