ଅମୃତସର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂହ ମହାରାଷ୍ଟ୍ରର ପରବର୍ତ୍ତୀ ରାଜ୍ୟପାଳ ହୋଇପାରନ୍ତି । ବିଜେପିର ଶୀର୍ଷ ନେତୃତ୍ୱ ଏହାକୁ ନେଇ ସହମତ ଥିବା କୁହାଯାଉଛି । କ୍ୟାପ୍ଟେନ୍ଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଉତ୍ତମ ସମ୍ବନ୍ଧ ଥିବାରୁ ତାଙ୍କୁ ନୂଆ ଭୂମିକା ପ୍ରଦାନ କରାଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ସେହିପରି ବିଜେପି କ୍ୟାପ୍ଟେନ୍ଙ୍କୁ ୮୩ ଜଣିଆ ଜାତୀୟ କାର୍ଯ୍ୟକାରିଣୀରେ ପୂର୍ବରୁ ହିଁ ସାମିଲ କରିସାରିଛି । ତେବେ ଏ ସମ୍ପର୍କରେ ପଞ୍ଜାବ ବିଜେପି ପ୍ରମୁଖ ଅଶ୍ୱିନୀ ଶର୍ମା କିଛି ଜାଣି ନଥିବା କହିଛନ୍ତି । ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଜାନୁଆରୀ ୨୯ରେ ହେବାକୁ ଥିବା ରାଲି ରଦ୍ଦ କରାଯିବା ପରେ ଅମ୍ରିନ୍ଦରଙ୍କ ନୂଆ ଭୂମିକା ନେଇ ହେଉଥିବା ଚର୍ଚ୍ଚାକୁ ଆହୁରି ବଳ ଯୋଗାଇଛି । ଏହି ରାଲି ମାଧ୍ୟମରେ ପଞ୍ଜାବରେ ବିଜେପିର ଲୋକସଭା ନିର୍ବାଚନ କ୍ୟାମ୍ପେନ୍ ଆରମ୍ଭ ହେବାର ଥିଲା । ରାଲି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଥିବା ବେଳେ ଏହାର ନେତୃତ୍ୱ କ୍ୟାପ୍ଟେନ୍ ଅମ୍ରିନ୍ଦରଙ୍କ ହାତରେ ଥିଲା । ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଗତ କିଛି ସମୟ ଧରି ବିବାଦ ମଧ୍ୟରେ ରହିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବା ଅବସରରେ ପଦ ଛାଡ଼ିବା ଇଚ୍ଛା ପ୍ରକାଶ କରିଥିବା ସେ ଗତ ସପ୍ତାହରେ କହିଥିଲେ ।