ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ ଏବଂ ସିକ୍କିମ ଆଦି ୪ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏହାକୁ ନେଇ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଆଶାୟୀ ପ୍ରାର୍ଥୀମାନେ ଦଳ ପକ୍ଷରୁ ହେଉ କିମ୍ବା ବ୍ୟକ୍ତିଗତ ଭାବେ (ସ୍ୱାଧୀନ ପ୍ରାର୍ଥୀ) ପ୍ରାର୍ଥପତ୍ର ଦାଖଲ କରୁଛନ୍ତି । ତେବେ ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ପ୍ରାର୍ଥୀମାନେ ନିଜ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ନିଜ ସମ୍ପତ୍ତି ପରିମାଣ ସମ୍ପର୍କରେ ଏକ ସତ୍ୟପାଠ ନିଶ୍ଚିତ ଭାବେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିିବେ । ତେବେ ବେଳେ ବେଳେ ଆଶାୟୀ ପ୍ରାର୍ଥୀମାନଙ୍କୁ ସେମାନଙ୍କ ନିଜର ତଥା ନିଜ ପରିବାର ସଦସ୍ୟଙ୍କ ମୋଟ୍ ସମ୍ପତ୍ତି ପରିମାଣ ସମ୍ପର୍କୀତ ସବିଶେଷ ସୂଚନା ଦେବାକୁ ବାଧ୍ୟ କରାଯାଇଥାଏ । ତେବେ ମଙ୍ଗଳବାର ଏପ୍ରକାର ଏକ ପିଟିସନ୍ ଉପରେ ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ କହିଛନ୍ତି ନିଜର ତଥା ନିଜ ପରିବାରର ଅନ୍ୟ ସଦସ୍ୟଙ୍କ ନାମରେ ଥିବା ସବୁ ସମ୍ପତ୍ତିର ତାଲିକା ପ୍ରଦାନ କରିବାକୁ ଆଶାୟୀ ପ୍ରାର୍ଥୀ ବାଧ୍ୟ ନହଁନ୍ତି । କେବଳ ନିଜ ଆୟ ଏବଂ ଜୀବନ ଶୈଳୀ ସହ ଜଡିତ ସୂଚନାକୁ ପ୍ରାର୍ଥୀମାନେ ଦାଖଲ କଲେ ମଧ୍ୟ ଏହା ଗ୍ରହଣଯୋଗ୍ୟ ହେବା ଉଚିତ୍ । ସୁପ୍ରିମକୋର୍ଟ କହିଛନ୍ତି, ଭୋଟରଙ୍କୁ କୌଣସି ପ୍ରାର୍ଥୀଙ୍କ ସମସ୍ତ ସମ୍ପତ୍ତି ବିଷୟରେ ଜାଣିବାର କୌଣସି ଅଧିକାର ନାହିଁ । କାରଣ ଅପ୍ରାସଙ୍ଗିକ ପ୍ରସଙ୍ଗରେ ପ୍ରାର୍ଥୀଙ୍କ ପାଖରେ ଗୋପନୀୟତାର ଅଧିକାର ରହିଛି । କେବଳ ଅଧିକ ମୂଲ୍ୟ ତଥା ବିଳାସପୂର୍ଣ୍ଣ ଜୀବନ ଶୈଳୀକୁ ଦର୍ଶାଉଥିବା ସମ୍ପତ୍ତିର ତାଲିକା ପ୍ରାର୍ଥୀ ପ୍ରକାଶ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ପ୍ରକାଶ, ଅରୁଣାଚଳର ତେଜୁ ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ କାରିଖୋକ୍ରି ନାମକ ଜଣେ ଆଶାୟୀ ଦାଖଲ କରିଥିବା ନିଜ ପ୍ରାର୍ଥୀପତ୍ରସହ ନିଜ ପରିବାର ସଦସ୍ୟଙ୍କ ସମ୍ପତ୍ତି ବିବରଣୀ ଦେଇନଥିବାରୁ ତାଙ୍କ ପ୍ରାର୍ଥୀପତ୍ର ନାକଚ କରିଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅନିରୁଦ୍ଧ ବୋସ ଏବଂ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେବା ସହ କାରିଖୋକ୍ରିଙ୍କ ପ୍ରାର୍ଥୀତ୍ୱକୁ ସୁରକ୍ଷିତ ରଖିଛନ୍ତି । ମାମଲାର ଶୁଣାଣି ଅବସରରେ ସୁପ୍ରିମକୋର୍ଟଙ୍କ ଏହି ୨ଜଣିଆ ଖଣ୍ଡପୀଠ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।