ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଗଡ଼ିବ କ୍ୟାନ୍ସର କେୟାର ଭ୍ୟାନ୍ । ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ୟାନ୍ସର କେୟାର କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ୍ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ରହିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।କ୍ୟାନ୍ସର ଚିକିତ୍ସାକୁ କେବଳ ବଡ଼ ସହର ମଧ୍ୟରେ ସୀମିତ ନରଖି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ରୋଗୀଙ୍କ ନିକଟରେ ପହଞ୍ଚାଇବାକୁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏହାସହ ରାଜ୍ୟର ୩୨ଟି ଜିଲ୍ଲା ହସ୍ପିଟାଲରେ ଡେ-କେୟାର ସିଷ୍ଟମ୍ ଲାଗୁ କରାଯିବ । ଏହି ବ୍ୟବସ୍ଥା ଲାଗୁ ହେଲେ କ୍ୟାନ୍ସର ରୋଗୀଙ୍କୁ ପ୍ରତିଥର ଚିକିତ୍ସା ପାଇଁ ଦୂର ଜିଲ୍ଲା କିମ୍ବା କଟକ ଯିବାକୁ ପଡ଼ିବ ନାହିଁ ।
କ୍ୟାନ୍ସର ଚିହ୍ନଟ ହେବା ପରେ ରୋଗୀ ଆଚାର୍ଯ୍ୟ ହରିହର କ୍ୟାନ୍ସର ସେଣ୍ଟରରେ ପ୍ରଥମ କେମୋଥେରାପି ନେବେ । ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକ ପରବର୍ତ୍ତୀ କେମୋଥେରାପି ନିଜ ଜିଲ୍ଲା ହସ୍ପିଟାଲରେ ନେଇପାରିବେ । ଫଳରେ ରୋଗୀ ଓ ତାଙ୍କ ପରିବାରକୁ ବାରମ୍ବାର ଦୂର ସ୍ଥାନକୁ ଯାତାୟାତ କରିବାର ଖର୍ଚ୍ଚ ଓ ଅନ୍ୟାନ୍ୟ ଆର୍ଥିକ ବୋଝରୁ ଆଶ୍ୱସ୍ତି ମିଳିବ ।










