23.1 C
Bhubaneswar
Wednesday, January 15, 2025
Homeଓଡିଶାମୋଦୀଙ୍କ ବିରୋଧରେ ନବୀନ ଯାଇପାରିବେ କି?

ମୋଦୀଙ୍କ ବିରୋଧରେ ନବୀନ ଯାଇପାରିବେ କି?

ଭୁବନେଶ୍ୱର: ବିଜେଡିରେ ହଠାତ୍ ମୋଦି ବିରୋଧୀ ମନୋଭାବ ଦେଖି ବିରୋଧୀ ବେଶ୍ ଚକିତ କରିବା ସହ ବେଶ୍ ଉତ୍ସାହ କରିଛି । ବିଜେଡି ମନୋଭାବକୁ ଦେଖି ବିରୋଧୀଙ୍କ ମନରେ ଆଶା ସଞ୍ଚାର ହୋଇଛି । ଜାତୀୟସ୍ତରରେ ବିଜେପି ବିରୋଧୀମାନଙ୍କୁ ଏକାଠି କରିବା ପାଇଁ ଉଦ୍ୟମ ଚଳାଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ରାଜନୈତିକ ମହଲରେ ଅନେକ ଆଲୋଚନା ଚାଲିଛି । ସମସ୍ତଙ୍କ ମନରେ ପ୍ରଶ୍ନ ସତରେ କ’ଣ ବିଜେଡି ବିଜେପି ବିରୋଧରେ ଯାଇପାରିବ?

ଜାତୀୟସ୍ତରରେ ଏବେ ବିଜେପି ବିରୋଧରେ ଏାକଠି ହେବା ପାଇଁ ବିଭିନ୍ନ ରାଜନୌତିକ ଦଳ ପକ୍ଷରୁ ଏକ ଉଦ୍ୟମ ପୁର୍ନବାର ଆରମ୍ଭ ହୋଇଛି । ଯଦିଓ ପୂର୍ବରୁ ଏପରି ଉଦ୍ୟମ ଏକାଧିକବାର ଆରମ୍ଭ ହୋଇ ଫେଲ୍ ମାରିଛି ତଥାବି ଏବେକାର ରାଜନୈତିକ ପାଣିପାଗକୁ ଦେଖି ପୁଣି ବିରୋଧୀ ଏକାଠି ହେବା ପାଇଁ ଅଣ୍ଟା ଭିଡ଼ୁଛନ୍ତି । ନୀତୀଶ କୁମାର ଏହାର ମଙ୍ଗ ଧରିଛନ୍ତି । ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତପ୍ରଦଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ, ବିହାର ଆର୍‌ଜେଡି ନେତା ତେଜେଶ୍ୱୀ ଯାଦବଙ୍କ ସହ ଆଲୋଚନା କରିସାରିଛନ୍ତି । କଂଗ୍ରେସ ମଧ୍ୟ ଇତିମଧ୍ୟରେ ସାମିଲ୍ ପାଇଁ ସବୁଜ ସୂଚନା ଦେଇଛି ବୋଲି କୁହାଯାଉଛି । ଏଣୁ ସବୁବେଳେ ବିଜେପି ବିରୋଧୀ ମେଣ୍ଟରୁ ଦୂରେଇ ରହୁଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏଥର ମନ ପରିବର୍ତ୍ତନ କରିଥିବା କଥା ଜାତୀୟସ୍ତରର ନେତା ଭାବୁଛନ୍ତି ।

ସେମାନେ ଏପରି ଭାବିବା ପଛରେ କାରଣ ମଧ୍ୟ ରହିଛି । କେନ୍ଦ୍ରରେ ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରଠାରୁ ରାଜନୈତିକ ପାଣିପାଗକୁ ଗୋଳିଆ କରିବା ପାଇଁ ନିର୍ବାଚନ ପୂର୍ବରୁ ବିଜେଡ଼ି-ବିଜେପି ବିରୋଧୀ ମନୋଭବ ପ୍ରଦର୍ଶନ କରିବା ଦେଖାଦେଇଆସିଛି । ଆଜି ପର୍ଯ୍ୟନ୍ତ କେବେ ହେଲେ ସିଧାସଳଖ ଭାବରେ ବିଜେଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନା’ ନେଇ ତାଙ୍କୁ ସିଧାସଳଖ ଭାବରେ ଆକ୍ରମଣ କରିବା ଦେଖାଯାଇ ନାହିଁ । ଏବେ କିନ୍ତୁ ଏହି ଧାରାରେ ପରିବର୍ତ୍ତନ ହୋଇଛି । କେନ୍ଦ୍ର ସରକାର ନା’ରେ ମୋଦୀ ସରକାରଙ୍କୁ ସମାଲୋଚନା କରିଆସୁଥିବା ବିଜେଡି ଏଥର ପ୍ରଥମ ଥର ଲାଗି ମୋଦିଙ୍କ ନା’ ନେଇ କଟୁ ମନ୍ତବ୍ୟ ଦଇଛି । ସମ୍ବଲପୁର ହିଂସା ପରୀପ୍ରେକ୍ଷୀେରେ ବିଜେପି ଏକ କେନ୍ଦ୍ରୀୟ ଟିମ୍ ପଠାଇବା ପରେ ବିଜେଡି ଅଧିକ ପ୍ରତିକ୍ରିୟାଶୀଳ ହୋଇଯାଇଛି । ଏହି ଘଟଣାକୁ ଦଳ ସହଜରେ ଗ୍ରହଣ କରି ନାହିଁ । ସମ୍ବଲପୁର ହିଂସାକୁ ଦୃଷ୍ଟି ଦେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଲେ ୨୦୧୪ ପରେ ନରେନ୍ଦ୍ର ମୋଦି ଯେବେଠାରୁ ଭାରତର ପ୍ରଧାନମନ୍ତ୍ରୀ ହେଲେଣି ବିଜେପି ଭାରତ ବର୍ଷରେ ଏ ପ୍ରକାର ମାନସିକତା ବୃଦ୍ଧି କରିବା ପାଇଁ ଉଦ୍ୟମ ଚଳାଇଛି । ବିଭିନ୍ନ ରାଜ୍ୟରେ ଏପରି ଘଟଣାମାନ ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଏହିକଥା ଦର୍ଶାଇ ଦେଶରେ ଯେଉଁ ସାମ୍ପ୍ରଦାୟିକ ହିଂସା ଦେଖାଦେଉଛି ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଧାସଳଖ ଦାୟୀ କରିଥିଲେ ।

ଏହି ଘଟଣା ପ୍ରସାରିତ ହେବା ପରେ ବିରୋଧୀ ଉତ୍ସାହିତ ହେବା ସ୍ୱାଭାବିକ୍ ଯେ ସେମାନଙ୍କୁ ଆଉ ଜଣେ ବିରୋଧୀ ସହଯୋଗୀ ମିଳିଗଲେ । କିନ୍ତୁ ବାସ୍ତବ କ୍ଷେତ୍ରରେ ବିଜେଡି କେତେଦୂର ବିଜେପି ବିରୋଧରେ ଯାଇପାରିବ ତାହା ହେଉଛି ବଡ଼ ପ୍ରଶ୍ନ । ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଇଡି ଓ ସିବିଆଇ ଲଗାଇ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ବିରୋଧୀ ରାଜନୈତିକ ଦଳର ନେତାମାନଙ୍କୁ ଯେପରି ଭାବରେ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚଳାଇଛି ତାହା ଆଉ ଅଛପା ନାହିଁ । କିନ୍ତୁ ଏହି ଉଦ୍ୟମରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରାପଦ ଦୂରତାରେ ରହିଛନ୍ତି । ବିଜେପିର ରାଜ୍ୟ ଓ କେନ୍ଦ୍ର ନେତାମାନେ କେବଳ ଲୋକଦେଖାଣିଆ ଭାବରେ ବିରୋଧୀ ମନୋଭାବ ଦେଖାଇବା ପାଇଁ ସମାେଲୋଚନା କରୁଛନ୍ତି । ବାସ୍ତବ କ୍ଷେତ୍ରେରେ ବିଭିନ୍ନ ରାଜ୍ୟରେ ବିରୋଧୀ ନେତା ଓ ଦଳମାନଙ୍କ ବିରୋଧରେ ବିଜେପି ଯେଭଳି ଆଭିମୁଖ୍ୟ ପୋଷଣ କରୁଛି ସେପରି ଓଡ଼ିଶା କ୍ଷେତ୍ରରେ କରିବା ଏଯାଏଁ ଦେଖାଯାଇ ନାହିଁ । ଏଣୁ ବିଜେଡି ପ୍ରତିକ୍ରିୟାଶୀଳ ହୋଇ ମୋଦୀଙ୍କ ନା’ ନେଇ ବକ୍ତବ୍ୟ ଦେଇଥିବା ବେଳେ ବାସ୍ତବ କ୍ଷେତ୍ରରେ କେତେଦୁର ବିରୋଧ କରିବ ତାହା ହେଉଛି ବଡ଼ ପ୍ରଶ୍ନ । ବିଜେପି ବିରୋଧୀ ମେଣ୍ଟରେ ନବୀନ ଯେଉଁଦିନ ସାମିଲ୍ ହେବେ ତାଙ୍କ ସ୍ଥିତି କ’ଣ ହେବ ସେ ଭଲ ଭାବରେ ଜାଣିଛନ୍ତି । ତେଣୁ ଅତିତରେ ନୀତୀଶ କୁମାର, ମମତା ବାନାର୍ଜୀ, ଅଖିଳେଶ ଯାଦବ ଆସି ନବୀନଙ୍କ ସହ ଆଲୋଚନା କରିଥିଲେ ବି କିଛି ଫଳ ହୋଇନାହିଁ । ବିରୋଧୀ ମେଣ୍ଟକୁ ନିରାଶ ହେବାକୁ ପଡ଼ିଛି । ଏଥର ବି ସେହି ସ୍ଥିତି ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking