ଭୁବନେଶ୍ୱର: ଖଣି ଲିଜ୍ଧାରୀଙ୍କଠାରୁ ବକେୟା କ୍ଷତିପୂରଣ ଟଙ୍କା ତୁରନ୍ତ ଆଦାୟ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନିଅ। ଉକ୍ତ ଅର୍ଥକୁ ଖଣି ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥିବା ଲୋକଙ୍କ ସାମଗ୍ରିକ ବିକାଶ କାର୍ଯ୍ୟରେ ବିନିଯୋଗ କର। ବିଧାନସଭାରେ ଉପସ୍ଥାପିତ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ବା ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କୁ ଏହି ପରାମର୍ଶ ଦିଆଯାଇଛି। ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି ଯେ ସୁପ୍ରିମ୍କୋର୍ଟଙ୍କ ୨୭ ଜାନୁଆରୀ ୨୦୧୪ରେ ନିର୍ଦ୍ଦେଶାନାମା ଅନୁଯାୟୀ, ଜଙ୍ଗଲ ଜମିର, ଅଣ-ଜଙ୍ଗଲ ଉପଯୋଗ ପାଇଁ ଓଡ଼ିଶା ରାଜ୍ୟ ଦ୍ୱାରା ଖଣି ଲିଜ୍ଧାରୀଙ୍କ ଠାରୁ ଅସୁଲ କରାଯାଇଥିବା ଅତିରିକ୍ତ ନେଟ୍ ପ୍ରୋଜେକ୍ଟ ମୂଲ୍ୟର ୫୦% ନିର୍ଦ୍ଦିଷ୍ଟ ଆଦିବାସୀ କଲ୍ୟାଣ ଏବଂ କ୍ଷେତ୍ର ବିକାଶ ପାଇଁ ବ୍ୟବହୃତ ହେବ। ସେହି ଅନୁଯାୟୀ ଓଡ଼ିଶା ଖଣିକ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍ବିଏଡିସି) ନିର୍ଦ୍ଧିଷ୍ଟ ଆଦିବାସୀ କଲ୍ୟାଣ ଓ ଖଣିଜ କ୍ଷେତ୍ର ବିକାଶ କାର୍ଯ୍ୟ ପାଇଁ ୨ ଡିସେମ୍ବର ୨୦୧୪ ପ୍ରତିଷ୍ଠା କରାଯାଇଥିଲା। ଉପରୋକ୍ତ କାର୍ଯ୍ୟ ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଡ୍ହକ୍ କାମ୍ପା ଓଏମ୍ବିଏଡିସି ଏହାକୁ ୮୬୯.୪୨ କୋଟି ଟଙ୍କା ଦେଇଥିଲେ। ପୁଣି, ସୁପ୍ରିମ୍କୋର୍ଟଙ୍କ ଆଦେଶାନୁସାରେ ଯେକୌଣସି ଲୌହ ଧାତୁ ବା ମାଙ୍ଗାନିକ୍ ଧାତୁ ପରିବେଶ ପ୍ରଭାବ ଆକଳନ (ଇଆଇଏ) ବିଜ୍ଞପ୍ତି ୧୯୯୪ କିମ୍ବା ୨୦୦୬ ଅନୁପାଳନ ନକରି ହୋଇଥିଲେ, ତାହା ବେଆଇନ୍ ବା ବେନିୟମ କାର୍ଯ୍ୟ ରୂପେ ପରିଗଣିତ ହେବ। ୨୦୦୦-୦୧ ଠାରୁ ଖଣିଜ ମୂଲ୍ୟର ଶତ ପ୍ରତିଶତ କ୍ଷତିପୂରଣ ଆଦାୟ କରାଯିବ।
ରିପୋର୍ଟ ଅନୁସାରେ, ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ୧୬,୮୩୩.୫୪ କୋଟି ତଥା ଖଣି ଲିଜ୍ଧାରୀଙ୍କ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ବିକାଶ କାର୍ଯ୍ୟ ପାଇଁ କ୍ଷତିପୂରଣ ଅର୍ଥ ଦ୍ୱିତୀୟ ପର୍ଯ୍ୟାୟ ଭାବରେ ଆଦାୟ ହୋଇ ଓଏମ୍ବିଏଡିସି ପାଣ୍ଠିରେ ଜମା ହୋଇଥିଲା। ଖଣି ପ୍ରଭାବିତ ଆଠଟି ଜିଲ୍ଲାରେ କାମ୍ଫା ପାଣ୍ଠିିର ପ୍ରଥମ ପର୍ଯ୍ୟାୟରେ ତିନିଟି କ୍ଷେତ୍ର ଯଥା ଗୃହ ବ୍ୟବସ୍ଥା, ପାନୀୟଜଳ ଓ ପରିମଳ, ଫାର୍ମ ଜଙ୍ଗଲ, ସାମାଜିକ ଜଙ୍ଗଲ କାର୍ଯ୍ୟାନ୍ୱୟନ ପାଇଁ ଫେବୃଆରୀ ୨୦୧୬ରେ ପ୍ରକଳ୍ପ ଅନୁମୋଦନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟୟରେ ସେମିତି କ୍ଷତିପୂରଣ ପାଣ୍ଠିରୁ ଆଠଟି କାର୍ଯ୍ୟ ପ୍ରକଳ୍ପ ଯଥା ଜୀବିକା, ଜଳଯୋଗଣ, ପରିମଳ, ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ କାର୍ଯ୍ୟ ପାଇଁ ଜାନୁଆରୀ ୨୦୧୮ରେ ଅନୁମୋଦନ କରାଯାଇଥିଲା। ଏହି ଅର୍ଥ ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନଧାରଣର ମାନର ଉନ୍ନତି ପାଇଁ ଏସବୁ ପଦକ୍ଷେପ ନିଆଯାଇଛି। ମାତ୍ର ଏହାର ଅଧିକାଂଶ ସ୍ଥାନରେ ବିଚ୍ୟୁତି ଘଟିଛି ସିଏଜି ଅନୁଭବ କରିଛନ୍ତି।
ପାଣ୍ଠିର ସୁବିନିଯୋଗ କରିବା ନିମେନ୍ତ ସିଏଜି ରାଜ୍ୟ ସରକ।।ଙ୍କୁ ଆଉ କିଛି ଜରୁରୀ ପରାମର୍ଶ ଦେଇଛନ୍ତି। ତାହା ହେଉଛି, ଖଣି ପ୍ରଭାବିତ ଅଞ୍ଚଳରେ ଆବଶ୍ୟକୀୟ ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ କାର୍ଯ୍ୟକରିବା ପାଇଁ ପରବର୍ତ୍ତୀ ଦଶ ବର୍ଷ ପାଇଁ ଉଦ୍ଦିଷ୍ଟ ପ୍ରକଳ୍ପଗୁଡ଼ିକୁ ନେଇ ପିଏମ୍ୟୁ ଦ୍ୱାରା ଦାଖଲ ଭବିଷ୍ୟ ଯୋଜନାକୁ ଅନୁମୋଦନ କରିବା, ଡିପିଆର୍ ଦେଇନଥିବା ବିଭାଗଗୁଡ଼ିକୁ ଚିହ୍ନଟ କରିବା, ଏକ ପୂର୍ବକାଳୀନ ସିଇଓ ନିଯୁକ୍ତି ଓ ପ୍ରକଳ୍ପ କାର୍ଯ୍ୟକାରିତା ତଦାରଖ ଉପ-କମିଟି ଗଠନ କରିବା, ଓଏମ୍ବାଡିସି ଅଧୀନସ୍ଥ ଜିଲ୍ଲାରେ ଖଣି ପ୍ରଭାବିତ ଅଞ୍ଚଳରେ ପାନୀୟଜଳ ପ୍ରକଳ୍ପର ପ୍ରକୃତ ଆବଶ୍ୟକତାକୁ ଆକଳନ କରିବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ସେହିପରି ଖଣି ପ୍ରଭାବିତ ଅଞ୍ଚଳର ଗ୍ରାମଗୁଡିକୁ ପାନୀୟଜଳ ଯୋଗାଣ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରିବା ପାଇଁ ସଠିକ୍ ସର୍ବେକ୍ଷଣ କରିବା, ପକ୍କା ଘରଗୁଡ଼ିକର ହେଇଫେର୍ ଫଟୋଗ୍ରାଫ୍ ଆଧାରରେ ଦେୟକୁ ଏଡ଼ାଇବା ପାଇଁ ତଦାରଖ କରିବା, କେବଳ ଖଣି ଅଞ୍ଚଳରେ ପ୍ରାର୍ଥୀଙ୍କୁ ଦକ୍ଷତା ତାଲିମ ଦେବା, ଖଣି ପ୍ରଭାବିତ ଜିଲ୍ଲାଗୁଡ଼ିକର ଡାକ୍ତରଖାନାଗୁଡିକରେ ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କ ନିଯୁକ୍ତ ପାଇଁ ବିଚାର କରିବା ଏବଂ ସମସ୍ତ ଖଣି ପ୍ରଭାବିତ ଜିଲ୍ଲାରେ ସିଲିକୋସିସ୍ ସ୍କ୍ରିନି ଆରମ୍ଭ କରିବା, ସମସ୍ତ ବିଦ୍ୟାଳୟକୁ ଆବଶ୍ୟକ ଇଣ୍ଟରନେଟ୍ ସଂଯୋଗ ଯୋଗାଇବା, ସ୍ମାର୍ଟ ଶ୍ରେଣୀଗୃହ ଓ ଇ-ଲାଇବ୍ରେରୀ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱଦେବା ଆବଶ୍ୟକ ବୋଲି ସିଏଜି ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି।