ମୁମ୍ବାଇ: ୨୦୨୩ ଡିସେମ୍ବର ସୁଦ୍ଧା ଭାରତରେ ହାରାହାରି ବେତନ ୧୦.୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ପ୍ରଫେସନାଲ ସର୍ଭିସେସ୍ ସଂସ୍ଥା ଅର୍ନେଷ୍ଟ ଆଣ୍ଡ୍ ୟଙ୍ଗ୍ ପକ୍ଷରୁ ପ୍ରକାଶିତ ‘ଫ୍ୟୁଚର ଅଫ୍ ପେ’ ଶୀର୍ଷକ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୨ରେ ଭାରତରେ ହାରାହାରି ବେତନ ୧୦.୪ ପ୍ରତିଶତ ବୃଦ୍ଧି ପାଇଥିଲା । ଇ-କମର୍ସ, ପ୍ରଫେସନାଲ ସର୍ଭିସ ଓ ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ କ୍ଷେତ୍ରରେ ଅଧିକ ବେତନ ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି । ଇ-କମର୍ସ କର୍ମଚାରୀଙ୍କ କ୍ଷେତ୍ରରେ ସର୍ବାଧିକ ୧୨.୫ ପ୍ରତିଶତ ବେତନ ବୃଦ୍ଧି ସମ୍ଭାବନା ରହିିଥିବାବେଳେ ପ୍ରଫେସନାଲ ସର୍ଭିସ କ୍ଷେତ୍ରରେ୧୧.୯ ପ୍ରତିଶତ ଏବଂ ଆଇଟି ସେକ୍ଟରରେ ଏହା ୧୦.୮ ପ୍ରତିଶତ ରହିପାରେ ବୋଲି କୁହାଯାଇଛି ।
୨୦୨୨ ଡିସେମ୍ବରରୁ ୨୦୨୩ ଫେବୃଆରୀ ମଧ୍ୟରେ ୧୫୦ ଜଣ ଲିଡର ଏବଂ ସିଏଚ୍ଆରଓ (ମୁଖ୍ୟ ମାନବ ସମ୍ବଳ ଅଧିକାରୀ)ଙ୍କୁ ନେଇ ଏହି ସର୍ଭେ କରାଯାଇଛି । ଏହି ପ୍ରକ୍ରିୟାରେ ଦେଶର ମଧ୍ୟମ ଓ ବୃହତ ସଂସ୍ଥାରେ କାର୍ଯ୍ୟରତ ଏହି ବରିଷ୍ଠ ପଦାଧିକାରୀଙ୍କ ମତାମତକୁ ସ୍ଥାନିତ କରାଯାଇଛି । କୁଶଳୀ କର୍ମଚାରୀ ଏବଂ ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ଅଧିକାଂଶ ସଂସ୍ଥା ବେତନ ବୃଦ୍ଧି ପ୍ରସଙ୍ଗରେ ଅଗ୍ରାଧିକାର ଦେଉଥିବା ଜଣାପଡିଛି । ଭାରତରେ ବର୍ତ୍ତମାନ ଟାଲେଣ୍ଟ (ପ୍ରତିଭା) ମାର୍କେଟ ଦ୍ରୁତଗତିରେ ଅଗ୍ରସର ହେଉଛି । ଆନ୍ତର୍ଜାତିକସ୍ତରରେ ଦେଖାଦେଉଥିବା ଆର୍ôଥକ ସ୍ଥିତି, ବୈଷୟିକ ଅଗ୍ରଗତି ଏବଂ ପରିବର୍ତ୍ତିତ କର୍ମଚାରୀ ବଳ (ୱାର୍କଫୋର୍ସ)କୁ ଦୃଷ୍ଟିରେ ରଖି ଭାରତର ଟାଲେଣ୍ଟ ମାର୍କେଟର ଅଭିବୃଦ୍ଧି ଘଟୁଥିବା କୁହାଯାଇଛି ।
ବିଶ୍ୱରେ ଆର୍ôଥକ ମାନ୍ଦାବସ୍ଥା ଜାରି ରହିଥିବା ସତ୍ତ୍ୱେ ଭାରତୀୟ ଅର୍ଥନୀତି ଉର୍ଦ୍ଧ୍ୱମୁଖୀ ହେବାରେ ଲାଗିଛି । ବିଭିନ୍ନ ସେକ୍ଟରରେ ସର୍ବୋଚ୍ଚ ପଦ ହାତେଇବାକୁ ଯୋଗ୍ୟ ଅଧିକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି । ୨୦୨୩ରେ ଭାରତରେ ଇ-କମର୍ସ, ପୁନଃବ୍ୟବହାରକ୍ଷମ ଶକ୍ତି, ଡିଜିଟାଲ ସର୍ଭିସ, ସ୍ୱାସ୍ଥ୍ୟସେବା, ଟେଲିକମ୍ୟୁନିକେସନ, ଶିକ୍ଷାନୁଷ୍ଠାନ ସେବା, ଲିଜଷ୍ଟିକ୍ ଓ ଫାଇନାନ୍ସିଆଲ ଟେକ୍ନୋଲୋଜିରେ ଚାକିରୀର ଗୁରୁତ୍ୱ ବେଶୀ ବୃଦ୍ଧି ପାଉଛି । ୪୮ ପ୍ରତିଶତ ସଂସ୍ଥାରେ କୁଶଳୀ କର୍ମଚାରୀଙ୍କୁ ଅଧିକ ବେତନର ବ୍ୟବସ୍ଥା କରାଯାଇଛି । ଏମାନେ ଅନ୍ୟ କର୍ମଚାରୀଙ୍କ ତୁଳନାରେ ପ୍ରାୟ ଦୁଇଗୁଣ ଅଧିକ ବେତନ ପାଉଥିବା ରିପୋର୍ଟରେ ଦର୍ଶାଯାଇଛି ।