ହୁଏଭା: ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ଭାରତର ଯୁବ ଶଟଲର୍ ଲକ୍ଷ୍ୟ ସେନ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ଏଥିସହ ଏହି ୨୦ ବର୍ଷୀୟ ଖେଳାଳି ଜଣକ ପଦକ ସୁନିଶ୍ଚିତ କରିଛନ୍ତି । ଏହି ପଦକ ଜିତିବା ପରେ ସେ ଭାରତ ପକ୍ଷରୁ ଏପରି ସଫଳତା ପାଇବାରେ ସର୍ବକନିଷ୍ଠ ଭାରତୀୟ ସିଙ୍ଗଲ୍ସ ପ୍ରତିଯୋଗୀ ହୋଇପାରିବେ । ସେମିଫାଇନାଲ୍ରେ ତାଙ୍କର ମୁକାବିଲା ଅନ୍ୟତମ ଭାରତୀୟ ସିଙ୍ଗଲ୍ସ ପ୍ରତିଯୋଗୀ କିଦାମ୍ବୀ ଶ୍ରୀକାନ୍ତଙ୍କ ସହ ହେବ । କିନ୍ତୁ ଦେଶର ଶୀର୍ଷ ମହିଳା ଖେଳାଳି ପିଭି ସିନ୍ଧୁଙ୍କ ଅଭିଯାନରେ ବ୍ରେକ୍ ଲାଗିଛି । କାରଣ ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟର୍ରେ ଥାଇଲାଣ୍ଡ୍ ପ୍ରତିଯୋଗୀ ତାଇ ଜୁ ୟିଙ୍ଗ୍ଙ୍କଠାରୁ ୧୭-୨୧, ୧୩-୨୧ ଗେମ୍ରେ ପରାସ୍ତ ହୋଇଛନ୍ତି । ଏଥିସହ ୟିଙ୍ଗ୍ଙ୍କଠାରୁ ବିଂଶତମ ମୁକାବିଲାରେ ସିନ୍ଧୁ ପଞ୍ଚଦଶ ପରାଜୟ ବରଣ କରିଛନ୍ତି ।
ଅନ୍ୟପକ୍ଷରେ ଲକ୍ଷ୍ୟ ଓ ଶ୍ରୀକାନ୍ତଙ୍କ ମଧ୍ୟରୁ ଜଣେ ଫାଇନାଲ୍ ଖେଳିବା ନିଶ୍ଚିତ ଥିବାରୁ ପ୍ରଥମ ଥର ପାଇଁ କୌଣସି ଭାରତୀୟ ପ୍ରତିଯୋଗୀଙ୍କ କ୍ଷେତ୍ରରେ ଏପରି ସୌଭାଗ୍ୟ ଜୁଟିବ । ୨୦ ବର୍ଷୀୟ ଲକ୍ଷ୍ୟ ଦେଶର କିମ୍ବଦନ୍ତୀ ଶଟଲର୍ ପ୍ରକାଶ ପାଦୁକୋନ୍ଙ୍କ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ବେଳେ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ସିଙ୍ଗଲ୍ସ ପଦକ ଜିତିବା ପରେ ତାଙ୍କ ଗୁରୁଙ୍କୁ ପଛରେ ପକାଇଦେବେ। କାରଣ ୨୮ ବର୍ଷ ବୟସରେ ପାଦୁକୋନ୍ ୧୯୮୩ ମସିହାରେ ସିଙ୍ଗଲ୍ସରେ ବ୍ରୋଞ୍ଜ୍ ପଦକ ଜିତିଥିଲେ । ସେହିପରି ୩୬ ବର୍ଷ ପରେ ଗତ ୨୦୧୯ରେ ୨୭ ବର୍ଷୀୟ ସାଇ ପ୍ରଣୀତ ବ୍ରୋଞ୍ଜ୍ ପଦକ ଜିତି ପାଦୁକୋନ୍ଙ୍କୁ ଅତିକ୍ରମ କରିଥିଲେ ।
କିନ୍ତୁ ଏବେ ଲକ୍ଷ୍ୟ ଏହି ତାଲିକାର ଶୀର୍ଷ ସ୍ଥାନ ନେବା ନିଶ୍ଚିତ ହୋଇଛି । ସେହିପରି ଲକ୍ଷ୍ୟ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ଦେଶ ପାଇଁ ଦ୍ୱାଦଶ ପଦକ ସୁନିଶ୍ଚିତ କରିଥିବାରୁ ତାଙ୍କୁ ଭାରତୀୟ ବ୍ୟାଡ୍ମିଣ୍ଟନ୍ ସଂଘ (ବାଇ) ପକ୍ଷରୁ ବଧେଇ ଦିଆଯାଇଛି । ସେ ତାଙ୍କ କ୍ୱାର୍ଟର୍ ମୁକାବିଲାରେ ଶୁକ୍ରବାର ଚୀନ୍ର ଝାଓ ଜୁନ୍ ପେଙ୍ଗ୍ଙ୍କୁ ୨୧-୧୫, ୧୫-୨୧, ୨୨-୨୦ରେ ପରାସ୍ତ କରିଛନ୍ତି । ଏହି ମୁକାବିଲାର ଶେଷ ୫ ପଏଣ୍ଟ୍ ହାସଲ କରିବା ଅବସରରେ ଲକ୍ଷ୍ୟଙ୍କ ପ୍ରଦର୍ଶନ ବେଶ୍ ଆକର୍ଷଣୀୟ ଥିଲା । ଏକଦା ଶେଷ ଗେମ୍ରେ ୧୯-୨୦ରେ ପଛୁଆ ଥିଲେ ମଧ୍ୟ ଶେଷ ୩ ପଏଣ୍ଟ୍ରୁ ଦୁଇଟି ସ୍ମାଶ୍ ଶଟ୍ ମାଧ୍ୟମରେ ହାସଲ କରିଥିଲେ ।
ଏଥିସହ ବିଶ୍ୱର ଏହି ପୂର୍ବତନ ଏକ ନମ୍ବର ଜୁନିୟର୍ ଖେଳାଳି ଜଣକ ତାଙ୍କ ଅସଲ ପ୍ରତିଭାର ପ୍ରଦର୍ଶନ କରିଥିଲେ । ଏହି ମୁକାବିଲା ପୂର୍ବରୁ ଶ୍ରୀକାନ୍ତ ନେଦରଲାଣ୍ଡ୍ସର ମାର୍କ କାଲଜୋଙ୍କୁ ୨୧-୮, ୨୧-୭ରେ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିଲେ । ଏଥିସହ ସେ ଦେଶ ପାଇଁ ଏହି ଟୁର୍ଣ୍ଣାମେଣ୍ଟ୍ରେ ଏକାଦଶ ପଦକ ନିଶ୍ଚିତ କରିଥିଲେ । ଏହି ମୁକାବିଲାଟି ମାତ୍ର ୨୬ ମିନିଟ୍ ଚାଲିଥିଲା ଓ ଶ୍ରୀକାନ୍ତ ପ୍ରଭାବ ବିସ୍ତାର ପୂର୍ବକ ମାତ୍ର ୧୫ ପଏଣ୍ଟ୍ ହରାଇଥିଲେ । ଏଥିସହ ସେ ଦୀର୍ଘ ୪ ବର୍ଷ ପରେ ଅନ୍ତର୍ଜାତୀୟ ପଦକ ପାଇବେ । ଗତ ୨୦୧୭ରେ ସେ ସୁପର୍ ସିରିଜ୍ରେ ତାଙ୍କର ଶେଷ ଟାଇଟଲ୍ ଜିତିଥିବା ବେଳେ ୨୦୧୮ରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇପାରିଥିଲେ ।