ଭୁବନେଶ୍ୱର: କିଛି ଦିନର ନୀରବତା ପରେ ପୁଣି ୫ଟି ସଚିବଙ୍କୁ ଘେରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏଥର ସଚିବଙ୍କ ହେଲିକପ୍ଟର ଯାତ୍ରାକୁ ଟାର୍ଗେଟ କରିଛନ୍ତି ସାଂସଦ ଅପରାଜିତା। ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ନେଇ ରାଜ୍ୟ ବିଭିନ୍ନ ସ୍ଥାନରେ ବିରୋଧର ନିଆଁ ଜଳୁଥିବାବେଳେ ସାଂସଦଙ୍କର ଗୋଟିଏ ଟୁଇଟ ସେ ନିଆଁରେ ଘିଅ ପକାଇବା ପରି ହୋଇଛି ।
ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସଚିବଙ୍କ ଗସ୍ତ ବାବଦ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ଏହି ଗସ୍ତ ବାବଦରେ ସଚିବ ୩୦୦ କୋଟି ଖର୍ଚ୍ଚ କରି ସାରିଥିବା ସେ କହିଥିଲେ । ଏବେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ସାଂସଦ ଅପରାଜିତା ଆଜି ଏକ ଟୁଇଟ କରି କହିଛନ୍ତି, ମାତ୍ର ୩୦ରୁ ୪୦ କିମି ଗସ୍ତ ପାଇଁ ସଚିବ ହେଲିକପ୍ଟର ବ୍ୟବହାର କରୁଛନ୍ତି । ତାଙ୍କ ଯାତ୍ରା ପାଇଁ ଖର୍ଚ୍ଚ ହେଉଥିବା ଏହି ଅର୍ଥ, ସାଧାରଣ ମିଟିଂ ଆୟୋଜନ କରିବା, ଏସଏଚଜି ମହିଳା ଏବଂ ଛାତ୍ରଛାତ୍ରୀଙ୍କୁ ମିଟିଂସ୍ଥାନକୁ ଆଣିବା ବାବଦରେ ଖର୍ଚ୍ଚ ଅର୍ଥ ଜଣେ କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କର ବ୍ୟକ୍ତିଗତ ଅର୍ଥ ନୁହେଁ ।