ଚଣ୍ଡିଗଡ: ହରିୟାଣାର ଜିନ୍ଦ ଜିଲ୍ଲାରେ ଏକ ସରକାରୀ ବସ ଓ କ୍ରୁଜର କାର ମଧ୍ୟରେ ମୁଁହାମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏକାଧିକ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ଆଜି (ଶନିବାର) ପୂର୍ବାହ୍ନରେ ଜିନ୍ଦ ଜିଲ୍ଲାର ବିପିପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ, ହରିୟାଣ ପରିବହନ ନିଗମର ଏହି ବସଟି ଜିନ୍ଦରୁ ଭୁଇଆନି ଅଭିମୁଖେ ଯାତ୍ରା କରୁଥିଲା । ବିପିପୁର ନିକଟରେ ବୀପରିତ ଦିଗରୁ ଆସୁଥୁବା ଏକ କ୍ରୁଜର କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ କ୍ରୁଜର କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା ।
ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ସ୍ଥାନୀୟ ପ୍ରଶାସନ ୬ ଟି ଆମ୍ବୁଲାନ୍ସ ସହ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା କାର୍ଯ୍ୟ କରିଥିଲେ । ଏହି ଅଘଟଣରେ ଉଭୟ ଗାଡିରେ ଥିବା ଯାତ୍ରୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ କ୍ରୁଜର କାରରେ ଥିବା ଯାତ୍ରୀଙ୍କ ମଧ୍ୟରେ ସମସ୍ତ ମୃତକ ଓ ଅନ୍ୟ କିଛି ଗୁରୁତର ଥିବା ସୂଚନା ମିଳିଛି ।
ଜଣେ ମହିଳାଙ୍କୁ ମିଶାଇ ମୋଟ ୮ ମୃତଦେହକୁ ପୋଲିସ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ପଠାଇଛି । ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚଯ ସ୍ପଷ୍ଟ କରାଯାଇ ପାରିନାହିଁ । ବ୍ୟବଚ୍ଛେଦ ସରିବା ପରେ ପୋଲିସ ମୃତକଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରିବା ନେଇ ସୂଚନା ଦେଇଛି । ସେହିପରି ଆହତଙ୍କ ସଂଖ୍ୟା ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନାହିଁ । ସମସ୍ତ ମୃତର କ୍ରୁଜର କାରରେ ଥିଲେ ବୋଲି କୁହାଯାଉଛି । ବସର ଡ୍ରାଇଭରଙ୍କ ସମେତ ଅନ୍ୟ କିଛି ଯାତ୍ରୀ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।