ଜୌନପୁର: ରବିବାର ରାତିରେ ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରେ ଗୋଟାଏ ଟ୍ରାକ୍ଟର୍ ସହିତ ଏକ ଯାତ୍ରୀବାହୀ ବସ୍ ଧକ୍କା ଖାଇବାରୁ ୬ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ଶ୍ରମିକ ଆହତ ହୋଇଥିବା କଥା ପୁଲିସ କହିଛି। ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ସଡ଼କ ପରିବହନର ଉକ୍ତ ବସ୍ଟି ପ୍ରୟାଗରାଜରୁ ଜୌନପୁର ଅଭିମୁଖେ ଯାତ୍ରା କରୁଥିଲା। ରାତି ପ୍ରାୟ ୧୧.୧୫ରେ ସମଧଗଞ୍ଜ ନିକଟରେ ଶ୍ରମିକମାନେ ବସିଥିବା ଟ୍ରାକ୍ଟର୍-ଟ୍ରଲି ସହିତ ବସ୍ ଧକ୍କା ଖାଇଲା। ପୁଲିସ କହିଛି, ଦୁର୍ଘଟଣାସ୍ଥଳରେ ୫ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲା ହସ୍ପିଟାଲ୍ରେ ଆଉ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଲା। ମରିଥିବା ଶ୍ରମିକମାନେ ଆଲିଶାପୁର ଗାଁ’ର ବାସିନ୍ଦା। ଦୁର୍ଘଟଣା ବିଷୟରେ ସୂଚନା ପାଇବାକ୍ଷଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଶ୍ରମିକମାନଙ୍କୁ ଜିଲ୍ଲା ହସ୍ପିଟାଲ୍କୁ ପଠାଇଥିଲେ।