ବୁଗୁଡ଼ା : କରୋନା ମହାମାରୀ ଏବେ ସମ୍ପର୍କ ଛିନ୍ନ କରିଛି। ପରିବାର, ଜ୍ଞାତିକୁଟୁମ୍ବ ଏବଂ ସାହିବାସିନ୍ଦା ମୃତ କରୋନା ରୋଗୀଙ୍କ ପାଇଁ ବଇରୀ ସାଜିଛି। କରୋନାରେ ପ୍ରାଣ ହରାଇଲେ ମୃତଦେହକୁ ଶ୍ମଶାନ ନେବାକୁ ଚାରିକାନ୍ଧ ମିଳୁନି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଘଟଣା ଖୋଦ ବୁଗୁଡା ସହରରେ ବାରମ୍ବାର ଦେଖିବାକୁ ମିଳିଛି।
ଗୁରୁବାର ଠାରୁ ସୋମବାର ୫ଦିନ ମଧ୍ୟରେ ବୁଗୁଡା ସହରରେ ବିଭିନ୍ନ କାରଣରୁ ପ୍ରାଣ ହରାଇଥିବା ୩ଜଣଙ୍କ ମୃତଦେହକୁ ଚାରିକାନ୍ଧ ନମିଳିବାରୁ ସେଗୁଡିକୁ ଟ୍ରଲିରେ ଶ୍ମଶାନକୁ ନିଆଯାଇଥିଲା। ଏଭଳି ସମ୍ବେଦନଶୀଳ ଘଟଣା ସଭ୍ୟ ସମାଜରେ ଗଭୀର ରେଖାପାତ କରିଛି।
ଆଜି ବୁଗୁଡ଼ା ସହରର ମୁଖ୍ୟ ସଡ଼କସ୍ଥିତ ସାଇରାମ ହୋଟେଲ ମାଲିକଙ୍କ ବଡ଼ପୁଅ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ।
ଶବ ନେବାକୁ ଆତ୍ମୀୟସ୍ୱଜନ ପଛଘୁଞ୍ଚାଦେବାରୁ ଶବକୁ ଟ୍ରଲିରେ ନିଆଯାଇଥିଲା। ସେହିପରି ଶୁକ୍ରବାର ମଧ୍ୟ ମୁଖ୍ୟ ସଡ଼କ ସ୍ଥିତ ଏକ ସୁନାଗହଣା ବ୍ୟବସାୟୀଙ୍କ ଶବକୁ ଟ୍ରଲିରେ ବୁହା ହୋଇଥିଲା। ଗୁରୁବାର ବଡ଼ଦାଣ୍ଡର ଜନୈକ ବ୍ୟବସାୟୀଙ୍କ ଶବକୁ ମଧ୍ୟ ଚାରିକାନ୍ଧ ନମିିଳିବାରୁ ଟ୍ରଲିରେ ଶ୍ମଶାନ ଘାଟକୁ ନିଆଯାଇଥିଲା।