ନୂଆଦିଲ୍ଲୀ: ଭାରତର ସଂସ୍କୃତି ଏବଂ ଐତିହ୍ୟ ସାରା ବିଶ୍ୱରେ ସ୍ୱତନ୍ତ୍ର । ପୂର୍ବରୁ କେବଳ ବ୍ୟବସାୟ ପାଇଁ ଭାରତକୁ ବିଶ୍ୱବାସୀ ଏକ ପ୍ରମୁଖ ସ୍ଥାନ ବୋଲି ବିଚାର କରୁଥିଲେ । ମାତ୍ର ଏହାର ପ୍ରାକୃତିକ ଶୋଭା ରାଜି ଏବଂ ଆଖି ଝଲସିଲା ଭଳି ଦର୍ଶନୀୟ ସ୍ଥାନ ସାରା ବିଶ୍ୱର ପର୍ୟ୍ୟଟକଙ୍କୁ ଭାରତକୁ ଆକୃଷ୍ଟ କରିଛି । ଫଳରେ ଏହି କ୍ଷେତ୍ରର ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି । ଏବେ ଦେଶର ମୋଟ୍ ଜିଡିପିକୁ ପର୍ୟ୍ୟଟନ କ୍ଷେତ୍ରର ଯୋଗଦାନ ୫% ରହିଛି ।
ଏଭଳି ସ୍ଥିତିରେ ଆଗାମୀ ୨ ବର୍ଷ ଯାଏ ପର୍ୟ୍ୟଟନ କ୍ଷେତ୍ରକୁ ଶିଳ୍ପ ମାନ୍ୟତା ଏବଂ ଅଗ୍ରାଧିକାର କ୍ଷେତ୍ର ଭାବେ ବିଚାର କରିବାକୁ ଶିଳ୍ପ ପକ୍ଷରୁ ଦାବି ହୋଇଛି । ଏହି କ୍ଷେତ୍ରକୁ ଟିକସ ପ୍ରୋତ୍ସାହନ ସହ ଦେଶ ମଧ୍ୟରେ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରାଗଲେ ଅର୍ଥନୀତିକୁ ବଳ ମିଳିବ । ଏହା ଦ୍ୱାରା ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ପର୍ୟ୍ୟଟନର ଚାହିଦା ବୃଦ୍ଧି ହେବ ବୋଲି ମତ ରଖିଛି ଶିଳ୍ପ ।
ଦେଶର ଅର୍ଥନୀତିକୁ ପର୍ୟ୍ୟଟନ ଶିଳ୍ପର ସମ୍ଭାବ୍ୟ ଯୋଗଦାନ ୧୫.୯ ଟ୍ରିଲିୟନ ଡଲାର (୧୨୭.୭୧ ଲକ୍ଷ କୋଟି ଟଙ୍କା) । ୨୦୧୯ ତୁଳନାରେ ଏଥିରେ ୧% ବୃଦ୍ଧି ହୋଇଛି । ୩.୫ କୋଟି ଲୋକଙ୍କୁ ନିଯୁକ୍ତି ଦେଇଛି ଏହି କ୍ଷେତ୍ର । ଗତବର୍ଷ ତୁଳନାରେ ଏ କ୍ଷେତ୍ରରେ ୮.୩% ଅଧିକ ଲୋକ ନିଯୁକ୍ତି ପାଇଛନ୍ତି ।
ବାଣିଜ୍ୟିକ ପର୍ୟ୍ୟଟନ ପରିବର୍ତ୍ତେ ଅବସର ପାଇଁ ପର୍ୟ୍ୟଟନ କ୍ଷେତ୍ରରେ ଭାରତର ପ୍ରଦର୍ଶନ ବେଶ୍ ଉନ୍ନତ । ଏ କ୍ଷେତ୍ରରେ ବିଦେଶୀ ରାଷ୍ଟ୍ରଗୁଡିକୁ ଭାରତ ପଛରେ ପକାଇ ଦେଇଛି । କେବଳ ନିଯୁକ୍ତି ସମ୍ପର୍କିତ ଆବଶ୍ୟକତା ଲାଗି ୧୮% ଭାରତୀୟ ଦେଶ ମଧ୍ୟରେ ଭ୍ରମଣ କରିଥିବା ଏକ ରିପୋର୍ଟରୁ ଜଣାପଡିଛି ।ତେବେ ମହାମାରୀ ଯୋଗୁ ଗତ ୩ ବର୍ଷ ହେବ ଏ କ୍ଷେତ୍ରରେ କାର୍ୟ୍ୟକଳାପ ପ୍ରଭାବିତ ହୋଇ ରହିଥିଲା । ପର୍ୟ୍ୟଟନ ଶିଳ୍ପରେ ନିଯୁକ୍ତି ଓ କ୍ଲାଏଣ୍ଟ ହ୍ରାସ ସହ ଅଭିବୃଦ୍ଧି ଠପ୍ ହୋଇଯାଇଥିଲା । ତେବେ ଏବେ ପର୍ୟ୍ୟଟନ ଶିଳ୍ପର କାର୍ୟ୍ୟକଳାପ ପୁଣି ଥରେ ଟ୍ରାକକୁ ଫେରିଛି । ମାତ୍ର ପର୍ୟ୍ୟଟନ ଶିଳ୍ପକୁ ଯେଉଁ ଭଳି ଭାବେ ପ୍ରୋତ୍ସାହନ ମିଳିବା କଥା ତାହା ମିଳିପାରିନାହିଁ । ଶିଳ୍ପକୁ ମିଳୁଥିବା ପ୍ୟାକେଜ ନିମ୍ନ ସ୍ତରରେ ରହିଥିବା ଶିଳ୍ପ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।
ବାର୍ଷିକ ୫୦ ନିୟୁତ ନିଯୁକ୍ତି, ଜିଡିପିକୁ ପ୍ରାୟ ୧୦% ଯୋଗଦାନ ଏବଂ ପରୋକ୍ଷ ଟିକସରେ ବୃହତ୍ ଅଂଶଦାନ ଦେଉଥିବା ପର୍ୟ୍ୟଟନ ଶିଳ୍ପକୁ ବଜେଟରେ ମାତ୍ର ୨ ହଜାର କୋଟି ଟଙ୍କାର ଅର୍ଥବ୍ୟବସ୍ଥା ହେଉଛି । ଏଭଳି ସ୍ଥିତିରେ ଶିଳ୍ପର ସମ୍ଭାବନାକୁ ବିଚାର କରିବାକୁ ପର୍ୟ୍ୟଟନ ଶିଳ୍ପ ବିଶେଷଜ୍ଞମାନେ ସରକାରଙ୍କୁ ନିବେଦନ କରିଛନ୍ତି ।
ସେହିଭଳି ଏହି କ୍ଷେତ୍ରର ପ୍ରଚାର ପ୍ରସାର ଲାଗି ବିଭିନ୍ନ କାର୍ୟ୍ୟକ୍ରମ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଏ କ୍ଷେତ୍ରରେ ଭିତ୍ତିଭୂମି ବିକାଶରେ ନିବେଶ, ଗ୍ରାହକଙ୍କ ପରିବର୍ତ୍ତିତ ଚାହିଦା ଆଧାରରେ ପ୍ରଡକ୍ଟ ଡିଜାଇନ, ଡିଜିଟାଲ ବ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ପଡିବ । ପର୍ୟ୍ୟଟନ ଶିଳ୍ପର ବିକାଶ ଦିଗରେ ଶିଳ୍ପ ଏବଂ ସରକାରଙ୍କୁ ମିଳିତ ହୋଇ କାମ କରିବାକୁ ବଜାର ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ବିଶ୍ୱର ଅନେକ ଦେଶ ପର୍ୟ୍ୟଟନ ଉପରେ ନିର୍ଭରଶୀଳ । ସେହିଭଳି ସାରା ବିଶ୍ୱର ଅର୍ଥନୈତିକ କାର୍ୟ୍ୟକଳାପ କ୍ଷେତ୍ରରେ ପର୍ୟ୍ୟଟନ ଶିଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରହୁଛି । ଏହାର ବିକାଶ ଲାଗି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ପ୍ରୋତ୍ସାହନ ପଦକ୍ଷେପ ଆଣିଲେ କ୍ଷେତ୍ର ଆହୁରି ବିକାଶ ସାଧନ କରିପାରିବ । ଦେଶ ମଧ୍ୟକୁ ଅଧିକ ସଂଖ୍ୟକ ପର୍ୟ୍ୟଟକ ଆସିଲେ ଏହାର ଲାଭ ଅର୍ଥବ୍ୟବସ୍ଥାକୁ ମଧ୍ୟ ମିଳିବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି ।