16.1 C
Bhubaneswar
Friday, January 17, 2025
Homeଦେଶ ବିଦେଶବ୍ରିଟ୍ରେନ୍ ପ୍ରଧାନମନ୍ତ୍ରୀ ନିର୍ବାଚନ: ଲିଜ୍ ଟ୍ରସ୍ ବୁକିଙ୍କ ପ୍ରଥମ ପସନ୍ଦ: ରିପୋର୍ଟ

ବ୍ରିଟ୍ରେନ୍ ପ୍ରଧାନମନ୍ତ୍ରୀ ନିର୍ବାଚନ: ଲିଜ୍ ଟ୍ରସ୍ ବୁକିଙ୍କ ପ୍ରଥମ ପସନ୍ଦ: ରିପୋର୍ଟ

ଲଣ୍ଡନ: ବୋରିସ୍ ଜନ୍‌ସନ୍‌ଙ୍କ ଇସ୍ତଫା ପରେ ଏବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଏହି ପଦ ପାଇଁ ଦୌଡ଼ରେ ପ୍ରାରମ୍ଭିକ ସ୍ତରରେ ମୋଟ ୧୦ ଜଣ ପ୍ରାର୍ଥୀ ସାମିଲ ଥିଲେ ମଧ୍ୟ କ୍ଷମତାସୀନ କନ୍‌ଜରଭେଟିଭ୍ ପାର୍ଟି ପକ୍ଷରୁ ଅନୁଷ୍ଠିତ ପାଞ୍ଚ ରାଉଣ୍ଡ୍ ମତଦାନ ପରେ ଅନ୍ତିମ ରାଉଣ୍ଡ୍ ପାଇଁ ଦୁଇଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ସେମାନେ ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍ ଏବଂ ପୂର୍ବତନ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍ । ବୁଧବାର ଶେଷ ହୋଇଥିବା ପଞ୍ଚମ ରାଉଣ୍ଡ୍ ମତଦାନ ସୁଦ୍ଧା ଋଷି ସୁନକ୍ ୧୩୭ ଭୋଟ୍ ସହ ଟ୍ରସ୍‌(୧୧୩)ଙ୍କଠାରୁ ଆଗରେ ରହିଛନ୍ତି । ସୋମବାର ଉଭୟଙ୍କ ମଧ୍ୟରେ ବିବିସି ଟିଭିରେ ଲାଇଭ୍ ଡିବେଟ୍ ହେବ । ଏହାପରେ ଉଭୟ ପାର୍ଟିର କର୍ମକର୍ତ୍ତାଙ୍କ ନିକଟକୁ ଯାଇ ଭୋଟ୍ ଭିକ୍ଷା କରିବେ ।

ଏହାପରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ହେବ । ଗତ ରାଉଣ୍ଡ୍ ସୁଦ୍ଧା ଋଷି ସୁନକ ଆଗରେ ରହିଥିଲେ ମଧ୍ୟ ୧୦ ଡାଉନିଂଷ୍ଟ୍ରିଟ୍‌ସ୍ଥିତ ପ୍ରଧାନମନ୍ତ୍ରୀ ଅଫିସ୍‌ରେ ପହଞ୍ଚିବା ତାଙ୍କ ପାଇଁ କଷ୍ଟକର ସାବ୍ୟସ୍ତ ହୋଇପାରେ ବୋଲି ବୁକିଙ୍କ ପକ୍ଷରୁ ଆକଳନ କରାଯାଇଛି । ଟ୍ରସ୍ ପୂର୍ବରୁ ୟୁରୋପୀୟ ୟୁନିୟନ୍‌ର ସମର୍ଥକ ଥିବାବେଳେ ପରେ ବ୍ରେକ୍‌ଜିଟ୍‌କୁ ସମର୍ଥନ କରିଥିଲେ । ଛୋଟ ଥିବାବେଳେ ସେ ୧୯୮୦ରେ ମାର୍ଗାରେଟ୍ ଥାଚର୍‌ଙ୍କ ସରକାର ବିପକ୍ଷରେ ସ୍ଳୋଗାନ ଦେଇଥିଲେ ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟିର ଲିବରରାଲ୍ ଡେମୋକ୍ରାଟ୍ ସୋସାଇଟିର ନେତୃତ୍ୱ ନେଇ ଟୋରୀ ପାର୍ଟିର ଡାର୍ଲିଂ ସାଜିଥିଲେ ।

ଏବେ ସେ ବୁକିଙ୍କ ପ୍ରଥମ ପସନ୍ଦରେ ରହିଛନ୍ତି । ପାର୍ଟିର ତୃଣମୂଳ ସ୍ତରରେ ତାଙ୍କ ପ୍ରତି ବହୁ ସମର୍ଥନ ଥିବାରୁ ସେ ଅନ୍ତିମ ପର୍ଯ୍ୟାୟରେ ସୁନକ୍‌ଙ୍କୁ ପଛରେ ପକାଇ ପାରନ୍ତି ବୋଲି ବୁକିଙ୍କ ପକ୍ଷରୁ କୁହାଯାଇଛି । ଆସନ୍ତା ସପ୍ତାହରେ ୪୭ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଟ୍ରସ୍ ନିଜର ଉଦାରତାବାଦୀ, ମୁକ୍ତ ବଜାର ଓ ଟ୍ୟାକ୍ସ ହ୍ରାସ ପ୍ରତି ସମର୍ଥନ ତଥା ‘ନାନୀ ଷ୍ଟେ୍‌ଟ୍‌’କୁ ନେଇ ମନୋଭାବ ମାଧ୍ୟମରେ ପାର୍ଟିର ଦକ୍ଷିଣପନ୍ଥୀ ଗୋଷ୍ଠୀଙ୍କୁ ମନେଇବାକୁ ଉଦ୍ୟମ ମଧ୍ୟ କରିଛନ୍ତି । ଅନ୍ୟପକ୍ଷରେ ସୋସିଆଲ୍ ଇଭେଣ୍ଟ୍ ‘ଫିଜ୍ ୱିଥ୍ ଲିଜ୍‌’ ଏବଂ ସତର୍କତାର ସହ ଇନ୍‌ଷ୍ଟ୍ରାଗ୍ରାମ୍ ପୋଷ୍ଟ ମାଧ୍ୟମରେ ସୁନକ୍‌ଙ୍କ ସୋସିଆଲ୍ ମିଡିଆ ଅପରେସନ୍ ଟିମ୍‌କୁ ପଛରେ ପକାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking