ନୂଆଦିଲ୍ଲୀ: ଚଳିତ ୱିମ୍ବଲଡନ୍ରେ ଭାରତର ତାରକା ପୁରୁଷ ଡବଲ୍ସ ଖେଳାଳି ରୋହନ୍ ବୋପନ୍ନା କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ୱିମ୍ବଲଡନ୍ରେ ତ୍ରୟୋଦଶ ଥର ପାଇଁ ଅଂଶଗ୍ରହଣ କରିଥିବା ବୋପନ୍ନା ନିଜ ଯୋଡ଼ିଦାର ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ୍ଙ୍କ ସହ ବୁଧବାର ଖେଳାଯାଇଥିବା ପ୍ରିକ୍ୱାର୍ଟର୍ ମୁକାବିଲାରେ ଆମେରିକାର ରିସ୍ ଷ୍ଟାଲଡର୍ ଓ ନେଦରଲାଣ୍ଡ୍ସର ଡେଭିଡ୍ ପେଲ୍ ଯୋଡ଼ିକୁ ୭-୫,୪-୬,୭-୬(୧୦/୫)ରେ ପରାସ୍ତ କରି ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି ।
ଏହି ମ୍ୟାଚ୍ଟି ଦୁଇ ଘଣ୍ଟା ୧୯ ମିନିଟ୍ ଧରି ଚାଲିଥିଲା । କ୍ୱାର୍ଟର୍ ଫାଇନାଲ୍ରେ ଏହି ଷଷ୍ଠ ସିଡ୍ ଯୋଡ଼ିର ମୁକାବିଲା ନେଦରଲାଣ୍ଡ୍ସର ଟାଲନ୍ ଗ୍ରିକ୍ସ୍ପୁର୍ ଓ ବାର୍ଟ ଷ୍ଟିଭେନ୍ସ ଯୋଡ଼ି ସହ ହେବ । ସୂଚନାଯୋଗ୍ୟ ଯେ ୪୩ ବର୍ଷୀୟ ବୋପନ୍ନା ଚଳିତ ୱିମ୍ବଲଡନ୍ରେ ବୟୋଜ୍ୟେଷ୍ଠ ଖେଳାଳି ରହିଛନ୍ତି । ୫ ବର୍ଷ ତଳେ ଆଣ୍ଠୁରେ ଯନ୍ତ୍ରଣାଜନିତ କାରଣରୁ ବୋପନ୍ନାଙ୍କ କ୍ୟାରିଅର୍ ଏକରକମ ଶେଷ ହେବାକୁ ବସିଥିଲେ ହେଁ ସେ ଏଥିରୁ ମୁକ୍ତି ପାଇବା ସହ ଗତ ମାର୍ଚ୍ଚରେ ଇଣ୍ଡିଆନ୍ ୱେଲ୍ସରେ ବିଶ୍ୱର ବୟୋଜ୍ୟେଷ୍ଠ ଖେଳାଳି ଭାବେ ମାଷ୍ଟର୍ସ ୧୦୦୦ ଟାଇଟଲ୍ ହାସଲ କରିଥିଲେ । ସେହିପରି ଲଣ୍ଡନଠାରେ ଚାଲିଥିବା ଗ୍ରାସ୍କୋର୍ଟ ଟୁର୍ଣ୍ଣାମେଣ୍ଟ୍ରେ ପୂର୍ବରୁ ବୋପନ୍ନା ଗତ ୨୦୧୩ ଓ ୨୦୧୫ରେ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିଥିଲେ ।