ଲକ୍ଷ୍ନୌ : ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗରରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ଏକ ଟ୍ରକ ପଛରେ ଧକ୍କା ଦେବା ଫଳରେ ୮ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ଜଣାପଡିଛି । ଗାଡିରେ ମୋଟ ୧୧ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଗୋରଖପୁର ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ମୃତକ ଏବଂ ଗୁରୁତର ମାନେ ଗୋରଖପୁର ଜିଲ୍ଲା ସୋହରତଗଡର ମହଲା ଗାଁର ବୋଲି ଜଣାପଡିଛି ।
ଦୁର୍ଘଟଣା ପରେ ବୋଲେରୋ ମଧ୍ୟରେ ଫସିିଥିବା ଲୋକମାନେ ଉଦ୍ଧାର କରିବା ପାଇଁ ଚିତ୍କାର କରୁଥିଲା । ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ବୋଲେରୋ ମଧ୍ୟରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣା ଯୋଗୁଁ ରାସ୍ତା ମଧ୍ୟ ବେଶ କିଛି ସମୟ ପାଇଁ ବନ୍ଦ ରହିଥିଲା ।ଖବର ପାଇଁ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । କିଛି ବ୍ୟକ୍ତି ଚାପି ହୋଇରହିଥିବାରୁ ସେମାନଙ୍କୁ ଗ୍ୟାସ କଟର୍ ସାହାଯ୍ୟରେ ବାହାର କରାଯାଇଛି ।
ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଅବସ୍ଥାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଏମାନେ ସମସ୍ତେ ଗାଁକୁ ଫେରୁଥିଲେ । ଗାଡିର ଗତି ଅଧିକ ଥିବାରୁ ଚାଳକ ଭାରସାମ୍ୟ ହରାଇ ବସିଥିଲେ ଏବଂ ଛିଡା ହୋଇଥିବା ଏକ ଟ୍ରକ ପଛରେ ପିଟିଦେଇଥିଲେ । ଦୁର୍ଘଟଣାରେ ଗାଡି ମଧ୍ୟ ସମ୍ପୂର୍ଣ୍ଣ ଭାବେ ଚୁରମାର୍ ହୋଇଯାଇଛି ।