ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଭାମଶିଆଳି ଗ୍ରାମର ନିଖୋଜ ଚାଷୀ ସନ୍ତୋଷ ରାଉତ (୫୭)ଙ୍କ ମୃତଦେହ କେନାଲରୁ ଆଜି ସକାଳେ ଉଦ୍ଧାର କରାଯାଇଛି । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଶନିବାର ସକାଳେ ସନ୍ତୋଷ ବିଲକୁ କାମ କରିବାକୁ ଯାଇ ରାତି ସୁଦ୍ଧା ଘରକୁ ଫେରିନଥିଲେ । ସନ୍ତୋଷ କୁଆଡେ ଗଲେ ବୋଲି ତାଙ୍କ ଘର ଲୋକେ ଚିନ୍ତା କରି ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇପାରିନଥିଲେ । ରବିବାର ସକାଳେ ଗାଁର କେନାଲ ହୁଡାରେ ସନ୍ତୋଷଙ୍କ ଚପଲ ଓ ଗାମୁଛା ଦେଖିବାକୁ ମିଳିଥିଲା ।
ତେବେ କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ସନ୍ତୋଷ କାଳେ ଭାସି ପଳାଇ ଯାଇଥିବେ ବୋଲି ସନ୍ଦେହ କରି ତାଙ୍କ ସ୍ତ୍ରୀ ଶାନ୍ତି ରାଉତ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ôଚ କେନାଲ ସାରା ଖୋଜାଖୋଜି କରିଥିଲେ ହେଁ ରାତି ସୁଦ୍ଧା ସନ୍ତୋଷଙ୍କ ପତ୍ତା ମିଳିନଥିଲା । ତେବେ ଆଜି ସକାଳେ ଡାହାଳିଆଠାରେ କେନାଲ ପାଣିରେ ସନ୍ତୋଷଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଏନେଇ ପୁଲିସକୁ ଖବର ଦେବା ପରେ ଉଦ୍ଧାର କରାଯାଇଥିଲା ।