26.1 C
Bhubaneswar
Tuesday, September 17, 2024
Homeଓଡିଶାହାଇକୋର୍ଟରେ ଡଙ୍ଗାବୁଡ଼ି ମାମଲା:ସରକାରଙ୍କ ସତ୍ୟପାଠ ଦାଖଲ

ହାଇକୋର୍ଟରେ ଡଙ୍ଗାବୁଡ଼ି ମାମଲା:ସରକାରଙ୍କ ସତ୍ୟପାଠ ଦାଖଲ

କଟକ: ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଡଙ୍ଗାବୁଡି ମାମଲାରେ ରାଜ୍ୟ ସରକାର ହାଇକୋର୍ଟରେ ପକ୍ଷରୁ ଆଜି ବିସ୍ତୃତ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠ ଦର୍ଶାଯାଇଛି ଯେ,୨୦୦୪ରୁ ଅଦ୍ୟାବଧି ୩,୭୦୪ଟି ଡଙ୍ଗା ସରକାରୀ ଭାବେ ପଞ୍ଜୀକୃତ ହୋଇଛି । ୨୦୨୧ ଜାନୁୟାରୀ ୧ ତାରିଖରୁ ୨୦୨୩ ନଭେମ୍ବର ୧୭ ତାରିଖ ସୁଦ୍ଧା ୩୮୭ଟି ଡଙ୍ଗାକୁ ଅଚଳ ଘୋଷଣା କରାଯାଇଛି । ଡଙ୍ଗାରେ ଯାତାୟାତ କରୁଥିବା ଯାତ୍ରୀମାନେ ଡଙ୍ଗାବୀମା ଜରିଆରେ ବୀମାଭୁକ୍ତ ହୋଇଛନ୍ତି । କୌଣସି ଡଙ୍ଗା ଦୁର୍ଘଟଣା ଘଟିଲେ ଡଙ୍ଗାଯାତ୍ରୀଙ୍କୁ ବୀମା କମ୍ପାନୀ କ୍ଷତିପୂରଣ ପ୍ରଦାନ କରିବେ ।

ଓଡ଼ିଶା ବୋଟ୍ ରୁଲସ୍ ୨୦୧୯ ଅନୁସାରେ ଉକ୍ତ କ୍ଷତିପୂରଣ ରାଶି ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଅପରପକ୍ଷରେ ରେଡ୍‌କ୍ରସ ଓ ଜିଲା ପ୍ରଶାସନ ପକ୍ଷରୁ ଡଙ୍ଗା ଦୁର୍ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବାର ମଧ୍ୟ ବ୍ୟବସ୍ଥା ରହିଛି । ଏପରିସ୍ଥିତିରେ ସରକାରଙ୍କ ପକ୍ଷରୁ ନୂତନ ନିୟମ ପ୍ରଣୟନ ପାଇଁ ପ୍ରସ୍ତାବ ଦିଆଯାଇଛି । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ନିମନ୍ତେ ଆସନ୍ତା ସପ୍ତାହକୁ ଧାର୍ଯ୍ୟ କରାଯାଇଛି ।

ସୂଚନା ଅନୁସାରେ ଆବେଦନକାରୀଙ୍କ ପକ୍ଷରୁ ୨୦୦୪ ଡଙ୍ଗା ଚାଳନା ନିୟମ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉ ନଥିବା ଅଭିଯୋଗ କରାଯାଇଥିଲା । ହାଇକୋର୍ଟ ରାଜ୍ୟ ସରକାରଙ୍କୁ କେତେକ ତଥ୍ୟ ଦାଖଲ ନିମନ୍ତେ ଗତ ଶୁଣାଣିରେ ନିର୍ଦ୍ଦେଶ ଦେଇଥିଲେ । ପଞ୍ଜୀକରଣ ହୋଇ ନଥିବା କେତେ ଡଙ୍ଗା ଚିହ୍ନଟ ହୋଇଛି । ଲାଇ‘ ଜ୍ୟାକେଟ ନଥିଲେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଡଙ୍ଗାବୁଡ଼ିରେ ମୋଟ କେତେ ଲୋକ ପ୍ରାଣ ହରାଇଛନ୍ତି, କେତେ ପରିମାଣର କ୍ଷତିପୂରଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ଏନେଇ ସବିଶେଷ ତଥା ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, କୋରାପୁଟ ଜିଲା କୋଲାବ ନଦୀର ଶାଖା ପାତାଳି ନଦୀରେ ୨୦୧୪ ମେ ୨୪ରେ ଡଙ୍ଗାବୁଡ଼ି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଇନଜୀବୀ ପ୍ରବୀର ଦାସ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରି ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ନିରାପତ୍ତା ନିମନ୍ତେ ଡଙ୍ଗାର ପଞ୍ଜୀକରଣ, ଜୀବନ ରକ୍ଷାକାରୀ ସରଞ୍ଜାମ ମହଜୁଦ ବ୍ୟବସ୍ଥା ଗ୍ରହଣ ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଆବେଦନରେ ଦର୍ଶାଇଥିଲେ । ସେହିପରି ୨୦୧୪ େ‘ବୃୟାରୀ ମାସରେ ଅଉ ଏକ ଡଙ୍ଗାବୁଡ଼ି ଦୁର୍ଘଟଣା ହୀରାକୁଦରେ ହୋଇଥିଲା ।

ଏଥିରେ ୩୧ ଜଣଙ୍କ ପ୍ରାଣହାନି ଘଟିଥିଲା । ଏହି ଘଟଣାରେ ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରିଥିଲେ । ରାଜ୍ୟର ଅନ୍ୟ ଏକ ସ୍ଥାନରେ ୨୦୧୩ରେ ଘଟିଥିବା ଡଙ୍ଗାବୁଡ଼ି ନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ହାଇକୋର୍ଟ ଏବେ ୩ଟି ଯାକ ମାମଲାର ଏକତ୍ର ଶୁଣାଣି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking