ଭୁବନେଶ୍ବର: ମାତ୍ର ୩ ଶହ ଟଙ୍କା ଛଡ଼ାଇ ନେବାକୁ ଦୁର୍ବୃତ୍ତମାନେ ଜଣେ ଶ୍ରମିକଙ୍କ ପେଟରେ ମଦ ବୋତଲ ଭାଙ୍ଗି ପୂରାଇ ଦେଇଛନ୍ତି। ମାଷ୍ଟରକ୍ୟାଣ୍ଟିନ୍ ଛକରେ ଘଟିଥିବା ଏଭଳି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି ଦିନ ମଜୁରିଆ ଭିକାରୀ ନାୟକ। ସେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କ୍ୟାପିଟାଲ ଥାନା ପୁଲିସ ଅପରାଧୀମାନଙ୍କୁ ଗିରଫ କରିବାକୁ ଚଢ଼ଉ ଚଳାଇଛି। ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ଭିକାରୀ ସବୁଦିନ ରାତିରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଫୁଟ୍ପାଥ୍ରେ ଶୋଇପଡ଼ନ୍ତି।
ଗତ ୧୦ ତାରିଖ ରାତିରେ ସେ ଶୋଇଥିବା ବେଳେ ତିନି ଦୁର୍ବୃତ୍ତ ଘନ, ମାନସ ଓ କୁନା ତାଙ୍କୁ ଉଠାଇଥିଲେ। ଟଙ୍କା ମାଗି ତାଙ୍କୁ ଧମକଚମକ ଦେଇଥିଲେ। ଭିକାରୀ ମନା କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ତଥାପି ଭିକାରୀ ଟଙ୍କା ନ ଦେବାରୁ ସେମାନେ ଏକ ବିଅର ବୋତଲ ଭାଙ୍ଗି ଭିକାରୀଙ୍କ ପେଟକୁ ଭୁସି ଦେଇଥିଲେ। ରକ୍ତାକ୍ତ ହୋଇ ଭିକାରୀ ତଳେ ପଡ଼ିଯିବା ପରେ ସେମାନେ ତାଙ୍କ ପାଖରେ ଥିବା ୩ ଶହ ଟଙ୍କା ଓ ମୋବାଇଲ ଫୋନ୍ ଛଡ଼ାଇ ପଳାଇଥିଲେ। ପାଟି ଶୁଣି କିଛି ଲୋକ ସେଠାକୁ ଧାଇଁ ଆସି ପୁଲିସକୁ ଖବର ଦେଇଥିଲେ। ପୁଲିସ ଭିକାରୀଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।