କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ନୂଆ ପଦକ୍ଷେପ
ଭୁବନେଶ୍ୱର: କ୍ୟାନ୍ସର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରି ଆସୁଥିବା “କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍’ ଆଉ ଏକ ମହତ କାର୍ଯ୍ୟ ହାତକୁ ନେଇଛି । ବର୍ତ୍ତମାନ ସମୟରେ ଓଡ଼ିଶାର ରକ୍ତଭଣ୍ଡାର ଗୁଡ଼ିକରେ ଦେଖାଯାଉଥିବା ରକ୍ତର ଅଭାବ ପୂରଣ କରିବା ପାଇଁ ନୂଆ ଉଦ୍ୟମ ଆରମ୍ଭ କରାଯାଇଛି । ରକ୍ତ ବିନା କାହାରି ଜୀବନ ଯେଭଳି ବିପଦରେ ନ ପଡ଼େ ଏହାକୁ ଦୃଷ୍ଟିରେ ରଖି ” ଅମୃତ ବିନ୍ଦୁ” ନାମରେ ରକ୍ତ ସଂଗ୍ରହ ଅଭିଯାନର ଆଜି ଶୁଭାରମ୍ଭ ହୋଇଛି ।
“କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍’ ପକ୍ଷରୁ ପ୍ରଥମ ରକ୍ତଦାନ ଶିବିର ” ଅମୃତ ବିନ୍ଦୁ” ଭୁବନେଶ୍ୱର ୟୁନିଟ୍-୯ ସ୍ଥିତ ରୋଟାରୀ ଭବନଠାରେ ଆୟୋଜିତ ହୋଇଥିଲା । ଖ୍ୟାତାନାମା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ୧୭୧ ଥର ରକ୍ତଦାନ କରି ରେକର୍ଡ ସୃଷ୍ଟି କରିଥିବା ଗୋପୀ ମୋହନ ପଟ୍ଟନାୟକ ଏବଂ କ୍ୟାନ୍ସର ଫାଉଣ୍ଡେସନ୍ ସଦସ୍ୟ ଶିବ ନାରାୟଣ ପଟ୍ଟନାୟକ ମିଳିତ ଭାବେ ଏହି ଶିବିରକୁ ଉଦ୍ଘାଟନ କରିଥିଲେ ।
ରାଜଧାନୀ ରକ୍ତଭଣ୍ଡାର ଅଧିକାରୀ ଏବଂ ତାଙ୍କ ଟିମ୍ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ । ଶିବିରକୁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ । ଉକ୍ତ ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଓଡ଼ିଶାରେ ପ୍ରତିବର୍ଷ ଆବଶ୍ୟକୀୟ ପାଖାପାଖି ୪ ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକତା ଥିବାରୁ ଏହାର ଅଭାବ ପୂରଣ କରିବା ଦିଗରେ “ଅମୃତ ବିନ୍ଦୁ’ ନିରନ୍ତର ଭାବେ ରାଜ୍ୟବ୍ୟାପୀ କାର୍ଯ୍ୟ କରିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, କ୍ୟାନ୍ସର ପୀଡ଼ିତ ରୋଗୀଙ୍କୁ ଚିକିତ୍ସାରେ ସହଯୋଗ କ୍ଷେତ୍ରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “କୋଣାର୍କ କ୍ୟାନସର୍ ଫାଉଣ୍ଡେସନ୍’ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏହି ଅନୁଷ୍ଠାନ କ୍ୟାନସର୍ ରେ ପୀଡ଼ିତ ଅସହାୟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ସହ ସେମାନଙ୍କୁ ଆର୍ଥିକ ଓ ମାନସିକ ସହାୟତା ପ୍ରଦାନ କରିଆସୁଛି । ଓଡ଼ିଶାର କ୍ୟାନ୍ସର ରୋଗୀଙ୍କୁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍ କ୍ୟାନ୍ସର ହସ୍ପିଟାଲ ରେ ଉନ୍ନତମାନର ଚିକିତ୍ସା ସେବା ପ୍ରଦାନରେ ସବୁ ପ୍ରକାର ସହଯୋଗ କରାଯାଉଛି । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ତଥା ମୁମ୍ବାଇର ପୂର୍ବତନ ପୁଲିସ କମିସନର ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା କାର୍ଯ୍ୟ କରୁଛି ।