35.1 C
Bhubaneswar
Monday, June 17, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି ଯୁବମୋର୍ଚ୍ଚା: ଇରାସିସ୍ ଆଚାର୍ଯ୍ୟ

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି ଯୁବମୋର୍ଚ୍ଚା: ଇରାସିସ୍ ଆଚାର୍ଯ୍ୟ

 ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟର ଉନ୍ମୋଚନ ପାଇଁ ଘଟଣାର ତଦନ୍ତ ସିବିଆଇକୁ ହସ୍ଥାନ୍ତର କରନ୍ତୁ ରାଜ୍ୟ ସରକାର

 ରାଜ୍ୟ ସରକାର ତଦନ୍ତ ଆଳରେ ପ୍ରହେଳିକା ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି
 ରାଜ୍ୟର ୧୪୭ ବିଧାନସଭା କ୍ଷେତ୍ରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ

ଭୁବନେଶ୍ୱର : ଓଡ଼ିଶାରେ ଶାସନ କିଏ ଚଳାଉଛି? ଓଡ଼ିଶା ପୋଲିସ ବିଜୁ ଜନତା ଦଳର କର୍ମୀ ସାଜିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱରେ ଥିବା ଗୃହବିଭାଗ ସବୁଠି ଅରାଜକତା କରୁଛି । ଓଡ଼ିଶାରେ ଗଣତନ୍ତ୍ର ନାଁରେ ଗୁଣ୍ଡାତନ୍ତ୍ର, ବାବୁତନ୍ତ୍ର ଓ ପୋଲିସତନ୍ତ୍ର ଚାଲିଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଆଜିଠାରୁ ରାଜ୍ୟର ସମସ୍ତ ବିଧାନସଭା କ୍ଷେତ୍ରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ଏବଂ ଆନ୍ଦୋଳନ କରାଯିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ରାଜ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଗୃହବିଭାଗ ଦାୟୀତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ବାବୁ ନୀରବଦ୍ରଷ୍ଟା ସାଜିଛନ୍ତି । ଶାସକ ଦଳର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଜଣେ ପୋଲିସ କର୍ମଚାରୀ ଦିବାଲୋକରେ ଗୁଳିକରି ହତ୍ୟା କଲେ । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟିବାର ୨୦ ଦିନ ବିତିଯାଇଥିଲେ ସୁଦ୍ଧା ସତ୍ୟାସତ୍ୟ ସାମ୍ନାକୁ ଆଣିବାରେ ବିଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ତଦନ୍ତ ଆଳରେ ପ୍ରହେଳିକା ସୃଷ୍ଟି କରାଯାଇ ଜନସାଧାରଣଙ୍କୁ ଭ୍ରମିତ କରିବାର ଅପଚେଷ୍ଟା ଜାରୀ ରହିଛି । କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପୋଲିସ ବିଭାଗକୁ ଦଳୀୟ ସ୍ୱାର୍ଥ ପାଇଁ ବ୍ୟବହାର କରି ସାଧାରଣ ଲୋକଙ୍କ ସୁରକ୍ଷା ଦେବାରୁ ବଂଚିତ ରଖୁଛି ବିଜେଡି ସରକାର । ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ବିରୋଧୀ ଦଳ ଭାବେ ଭାରତୀୟ ଜନତା ପାର୍ଟୀ ଏବଂ ସାଧାରଣ ଜନତା ପ୍ରଶ୍ନ କରୁଥିଲେ ମଧ୍ୟ ନବୀନ ବାବୁ କାଚଘରେ ବସି ରହି ମୌନ ଧାରଣ କରୁଛନ୍ତି, ଯାହା ଗଣତନ୍ତ୍ର ଲାଗି ବିପଦ । ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଂଚ ହାତକୁ ଦେଇ ତଥ୍ୟ ଓ ପ୍ରମାଣ ନଷ୍ଟ କରାଯିବାର ପ୍ରୟାସ କରୁଛି ବିଜେଡି ସରକାର । ସତ୍ୟାସତ୍ୟର ଉନ୍ମୋଚନ ପାଇଁ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯିବାକୁ ଶ୍ରୀ ଆଚାର୍ଯ୍ୟ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ମନୋଜ ପଶ୍ଚିମକବାଟ ଏବଂ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking