କୋଲକାତା: କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ମୃତାହତ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରିଛନ୍ତି । ତେବେ ମୃତକଙ୍କ ପରିବାର ଏବଂ ଆହତଙ୍କୁ କ୍ଷତିପୂରଣ ବାବଦରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଦାନ କରାଯାଉଥିବାରୁ ବିଜେପି ଏହାକୁ ସମାଲୋଚନା କରିଛି । ଏହି ପ୍ରସଙ୍ଗକୁ ନେଇ ତୃଣମୂଳ କଂଗ୍ରେସ (ଟିଏମ୍ସି) ଓ ବିଜେପି ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି ।
ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କ ପରିବାରକୁ ୨୦୦୦ ଟଙ୍କିଆ ନୋଟ୍ ଜରିଆରେ କ୍ଷତିପୂରଣ ଦେଇଛନ୍ତି ବୋଲି ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଅଭିଯୋଗ କରିଛନ୍ତି । ଦକ୍ଷିଣ ଚବିଶ ପ୍ରଗଣାର କେତେକ ମହିଳା କ୍ଷତିପୂରଣ ବାବଦରେ ପାଇଥିବା ୨୦୦୦ ଟଙ୍କିଆ ନୋଟଗୁଡିକୁ ପ୍ରଦର୍ଶନ କରୁଥିବାର ଫଟୋକୁ ସୁକାନ୍ତ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୀଡିତଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, ତେବେ ଏତେସଂଖ୍ୟକ ୨୦୦୦ ଟଙ୍କିଆ ନୋଟ କେଉଁଠୁ ଆସିଲା ବୋଲି ସୁକାନ୍ତ ପ୍ରଶ୍ନ କରିଛନ୍ତି । ପୀଡିତଙ୍କ ପରିବାରକୁ ୨୦୦୦ ଟଙ୍କିଆ ନୋଟ ଦେଇ ରାଜ୍ୟ ସରକାର ସେମାନଙ୍କର ସମସ୍ୟାକୁ ବୃଦ୍ଧି କରୁଥିବା ସେ ଅଭିଯୋଗ କରିଛନ୍ତି ।