28.1 C
Bhubaneswar
Wednesday, May 22, 2024
Homeଓଡିଶାଡି.ଏସ୍‌.କୁଟ୍ଟେଙ୍କୁ ତୁରନ୍ତ ଅନ୍ୟ ରାଜ୍ୟକୁ ବଦଳି କରାଯାଉ: ସମୀର ମହାନ୍ତି

ଡି.ଏସ୍‌.କୁଟ୍ଟେଙ୍କୁ ତୁରନ୍ତ ଅନ୍ୟ ରାଜ୍ୟକୁ ବଦଳି କରାଯାଉ: ସମୀର ମହାନ୍ତି

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେଡି ଗାଦିଚ୍ୟୁତ ହେବ ସ୍ପଷ୍ଟ ହୋଇଗଲାଣି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଜେଡି ପ୍ରଶାସନିକ ଅଧିକାରୀମାନଙ୍କୁ କାର୍ଯ୍ୟରେ ଲଗାଉଛନ୍ତି । ଦୀର୍ଘ ବର୍ଷ ଧରି ଶାସନରେ ଥିବା ସତ୍ୱେ ଅନ୍ୟାୟ, ଅନିତୀ, ବ୍ୟଭିଚାରକୁ ଆପଣାଇଛନ୍ତି ଓ ତାଙ୍କ ଦଳ ଆଦର୍ଶ ଆଚରଣ ବିଧିର ବାରମ୍ବାର ଖୋଲାଖୋଲି ଉଲଘଂନ କରୁଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡିର ହୀନ ଚକ୍ରାନ୍ତ ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆଧିକାରୀଙ୍କୁ ଭେଟି ତଥ୍ୟ ଓ ପ୍ରମାଣ ସହ ଆଲୋଚନା କରିଛନ୍ତି ।
ସନ୍ଦେହପୂର୍ଣ୍ଣ ଏବଂ ପକ୍ଷପାତିତା କାର୍ଯ୍ୟକଳାପ କାରଣରୁ ରାଜ୍ୟର ୮ ଜଣ ବରିଷ୍ଠ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କୁ ଚଳିତ ସାଧାରଣ ନିର୍ବାଚନ ପରିଚାଳନା ଦାୟୀତ୍ୱରୁ ଅନ୍ତର କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ ।

ମାତ୍ର ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ୯ ବର୍ଷ ଧରି ଅତିରିକ୍ତ ଡିଜି ପାହ୍ୟାରେ ବରିଷ୍ଠ ଅଧିକାରୀ ଶ୍ରୀ ଡି.ଏସ.କୁଟ୍ଟେ ଅବସ୍ଥାପିତ କରାଯାଇଛି । କ୍ଷମତା ବଳରେ ଶ୍ରୀ କୁଟ୍ଟେ ନିୟମିତ ଭାବେ ବିଭିନ୍ନ ଜିଲ୍ଲାରେ ଅବସ୍ଥାପିତ ଏସପି, ଆଇଆଇସିଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କୁ ଧମକ ଦେଇ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ପାଇଁ କହୁଛନ୍ତି । ନିର୍ବାଚନ ସମୟରେ ବିଜେଡି ପାଇଁ ଅସଦ ଉପାୟରେ ବ୍ୟାପକ ଟଙ୍କା ବଂଟନ କରିବାକୁ କହୁଛନ୍ତି । ଏପରିକି ତାଙ୍କରି ପ୍ରରୋଚନାରେ ବିଜେପି ସମେତ ଅନ୍ୟାନ୍ୟ ବିରୋଧୀ ଦଳଙ୍କ ଏଫଆଇଆର ରୁଜୁ କରାଯାଉନଥିବାବେଳେ ଶାସକ ବିଜେଡିର ସ୍ୱାର୍ଥଭିତିକି ଅଭିଯୋଗ ଆଧାରରେ ପୋଲିସ ପ୍ରଶାସନକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ କରୁଛନ୍ତି ।

ଅନ୍ୟ ସରକାରୀ ଅଧିକାରୀଙ୍କୁ ଧମକ ଦେଇ ଶାସକ ବିଜୁ ଜନତା ଦଳ ସପକ୍ଷରେ ଭୋଟ କରାଇବା କାର୍ଯ୍ୟ ପାଇଁ ଧମକ ମଧ୍ୟ ଦେଉଛନ୍ତି । ଏହା ଦ୍ୱାରା ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୯ର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ଧମକ ଓ ଭୟଭୀତ କରାଇ ଶ୍ରୀ କୁଟ୍ଟେ ନିର୍ବାଚନକୁ ଶାସକ ବିଜେଡି ସପକ୍ଷରେ କରାଇବା କାର୍ଯ୍ୟରେ ପ୍ରଭାବିତ କରୁଛନ୍ତି, ତାହା ତାଙ୍କ ଫୋନ କଲ୍ ବିବରଣୀକୁ ଅନୁଧ୍ୟାନ ଓ ଯାଂଚ କଲେ ସ୍ପଷ୍ଟ ପ୍ରମାଣିତ ହୋଇପାରିବ । ଏଭଳି ସମ୍ବେଦନଶୀଳ ଘଟଣା ପ୍ରସଙ୍ଗରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବୀ କରାଯାଇଛି ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସମୀର ମହାନ୍ତି ଦାବୀ କରିଛନ୍ତି ।

ଚଳିତ ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ କରିବା ପାଇଁ ଶ୍ରୀ କୁଟ୍ଟେଙ୍କ ସମେତ ପକ୍ଷପାତିତା କରୁଥିବା ସମସ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରାଯିବା ସହିତ ଅନ୍ୟ ରାଜ୍ୟକୁ ବଦଳି କରାଯିବାକୁ ଶ୍ରୀ ମହାନ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି । ମିଥ୍ୟା ପ୍ରଚାର ସହାୟତାରେ ଓଡିଶାବାସୀଙ୍କୁ କ୍ରମାଗତ ଭାବେ ଭ୍ରମିତ କରି ଆସୁଥିବା ଶାସକ ବିଜୁ ଜନତା ଦଳ ଏବଂ ମୁଖ୍ୟମନ୍ତ୍ରୀ ପୁଣି ଥରେ ମିଛ ପ୍ରଚାରର ଆଶ୍ରୟ ନେଇଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ଏବଂ ଭାରତୀୟ ନିର୍ବାଚନ ଆୟୋଗଙ୍କ ବାରଣ ସତ୍ୱେ “ଜୁଏଲ୍ସ ଅଫ୍ ଓଡିଶା” ନାମକ ଏକ ଅନାମଧେୟ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେକୁ ରାଜ୍ୟର ଏକ ପ୍ରତିଷ୍ଠିତ ସମ୍ବାଦପତ୍ରରେ ପ୍ରକାଶ କରାଯାଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଏବଂ ପ୍ରଶାସନର ଲୋକପ୍ରିୟତା ବୃଦ୍ଧି ପାଉଥିବାର ଉଲ୍ଲେଖ ରହିଛି ।

ଏପରିକି ପରବର୍ତୀ ସରକାର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ହେବ ବୋଲି ପ୍ରକାଶ କରାଯାଇଛି । ଏହି ଫଳାଫଳ ଓଡିଶାବାସିଙ୍କ ସାମୁହିକ ସ୍ୱରର ଏକ ପ୍ରମାଣ ବୋଲି ମଧ୍ୟ ଲେଖିବାକୁ ପଛାଇ ନାହାନ୍ତି । ଏହା ସଂପୂର୍ଣ୍ଣ ଭାବେ ଏକ ‘ପେଡ୍ ନ୍ୟୁଜ’ ଏବଂ ଏଭଳି ଭ୍ରମାତ୍ମକ ସମ୍ବାଦ ପ୍ରକାଶ କରାଯାଇ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲଘଂନ କରାଯାଇଛି । ତେଣୁ ଭାରତୀୟ ଦଣ୍ଡ ସଂହିତା ଧାରା ୧୭୧(ଜି) ଏବଂ ଜନପ୍ରତିନିଧି ଆଇନ-୧୯୫୧ ଧାରା ୧୨୬(ଏ) ଅନୁଯାୟୀ ବେଆଇନ ଭାବେ ସର୍ଭେ କରିଥିବା ସଂସ୍ଥା ଓ ସମ୍ବାଦ ପରିବେଷଣକାରୀ ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାନ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି । ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଦିଲୀପ ମଲ୍ଲିକ, ପୂର୍ବତନ ସାଂସଦ ତଥା ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ଅରିନ୍ଦମ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking