30.1 C
Bhubaneswar
Sunday, June 30, 2024
Homeଓଡିଶାଡବଲ ଷ୍ଟାଣ୍ଡାର୍ଡ ନୀତି ଆପଣାଇଛନ୍ତି ନବୀନ: ଠାକୁର ରଞ୍ଜିତ

ଡବଲ ଷ୍ଟାଣ୍ଡାର୍ଡ ନୀତି ଆପଣାଇଛନ୍ତି ନବୀନ: ଠାକୁର ରଞ୍ଜିତ

 କଲେଜ କ୍ୟାମ୍ପସକୁ ରାଜନୀତିକରଣ କରିବାକୁ ଷଡଯନ୍ତ୍ର ରଚିଛନ୍ତି ରାଜ୍ୟ ସରକାର
 ଶାସକ ବିଜେଡି କଲେଜ କ୍ୟାମ୍ପସର ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛିି
 କଲେଜ କ୍ଲାସ ଭିତରେ ଦଳୀୟ କ୍ୟାମ୍ପେନ କରୁଛନ୍ତି ବିଜେଡି ନେତା ଓ କର୍ମୀ
 ଲିଙ୍ଗଡୋ କମିଶନ ନିୟମକୁୁ ଉଲ୍ଲଙ୍ଘନ କରୁଛନ୍ତି ରାଜ୍ୟ ସରକାର
 ରାଜ୍ୟରେ ଅନେକ ସ୍ୱଂୟଶାସିତ କଲେଜ ନାକ୍ ଗ୍ରେଡ ହାସଲ କରିପାରୁ ନାହିଁ
 ୟୁନିଭରସିଟି ଆମେଣ୍ଡମେଂଟ ଆକ୍ଟ-୨୦୨୦ ଲାଗୁ କରି ୟୁଜିସି ରେଗୁଲେସନ ଆକ୍ଟ -୨୦୧୮ର ଖୁଲମଖୁଲା ଉଲ୍ଲଙ୍ଘନ କରିଛନ୍ତି ରାଜ୍ୟ ସରକାର
 ବିଜୁ ଯୁବ ବାହିନୀ ଯୋଜନା ଗଲା କୁଆଡେ?
 ସରକାରୀ କଲେଜରେ ଶିକ୍ଷାର ମାନ ବଢାଇବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି?
 କେତୋଟି ନୂଆ ଶିକ୍ଷା ଭିତିଭୂମି ପ୍ରସ୍ତୁତ ହୋଇଛି, କେତେ ଜଣ ଅଧ୍ୟାପକମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି?
 କେବଳ ଆଗାମୀ ନିର୍ବାଚନରେ ଭୋଟ ହାତେଇବା ପାଇଁ “କ୍ରୀଡାପ୍ରେମ” ଦେଖାଉଛନ୍ତି ରାଜ୍ୟ ସରକାର
 “କ୍ରୀଡା ଭିତିଭୂମି ରୂପାନ୍ତରଣ” ନାଁରେ ଲୁଟ୍ ଚାଲିଛି
 ମୋଦି ସରକାରଙ୍କ ‘ଖେଲୋ ଇଣ୍ଡିଆ’ ଯୋଜନାରେ ମିଳୁଥିବା କେନ୍ଦ୍ରୀୟ ଅର୍ଥକୁ କିଛି ହାତ ଗଣତି ଠିକାଦାରଙ୍କ ଜରିଆରେ ଆତ୍ମସାତ କରାଯାଉଛି

ଭୁବନେଶ୍ୱର : ବିଜେଡି ଦଳୀୟ ପ୍ରଚାର ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରୁଛି । କଲେଜ କ୍ୟାମ୍ପସରେ ଦଳୀୟ ପତାକା ଉଡୁଛି, ବ୍ୟାନର ଲାଗିଛି, ଶଙ୍ଖ ଚିହ୍ନ ଲଗାଇ ପ୍ରଚାର ହେଉଛି ଏବଂ ନୂଆ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ କ୍ଲାସ ଭିତରେ କ୍ୟାମ୍ପେନ କରୁଛନ୍ତି ବିଜେଡି ନେତା ଓ କର୍ମୀ । ଗୋଟିଏ ପଟେ ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ୬ ବର୍ଷ ହେଲା ବନ୍ଦ କରି ଆସୁଛନ୍ତି । ଅନ୍ୟପଟେ ଦଳୀୟ ନେତା ଆଗାମୀ ନିର୍ବାଚନ ପାଇଁ କଲେଜ କ୍ୟାମ୍ପସରେ ରାଜନୀତିର ମାହୋଲ ତିଆରି କରିବାରେ ଲାଗିଛନ୍ତି । ଏହା ହେଉଛି ନବୀନ ବାବୁଙ୍କୁ ଡବଲ ଷ୍ଟାଣ୍ଡାର୍ଡ ନୀତି । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଂଚିତ ରଖି ନିଜର ରାଜନୈତିକ ଫାଇଦା ପାଇଁ ଶାସକ ବିଜେଡି କଲେଜ କ୍ୟାମ୍ପସର ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛିି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ, ଲିଙ୍ଗଡୋ କମିଶନ ନିୟମକୁୁ ଉଲ୍ଲଙ୍ଘନ କରୁଛନ୍ତି ରାଜ୍ୟ ସରକାର । ଛାତ୍ର ସଂସଦ ନିର୍ବାଚନ ବାତିଲ କରିବା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ଓଡ଼ିଶାର ଛାତ୍ରନେତା ଆଜି ଦେଶର ବଡ ବଡ ପଦବୀରେ ନିଜର ଦକ୍ଷତା ଦେଖାଉଛନ୍ତି । ଦେଶର ରାଷ୍ଟ୍ରପତି ଶ୍ରୀମତି ଦୌପଦୀ ମୁର୍ମୁ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଅନେକ ବ୍ୟକ୍ତିତ୍ୱ ଛାତ୍ର ନେତାରୁ ଆସି ଦେଶର ବିକାଶରେ ପ୍ରମୁଖ ଚେହେରା ପାଲଟିଛନ୍ତି । ଏବେର ଛାତ୍ରଛାତ୍ରୀମାନେ କାଳେ ଆଗାମୀ ଦିନରେ ଓଡିଶାର ନେତୃତ୍ୱ ନେଇଯିବେ ସେହି ଭୟ ବିଜେଡିକୁ ଘାରିଛି । ଛାତ୍ର ନେତାଙ୍କୁ ରାଜ୍ୟସରକାର କାହିଁକି ଡରୁଛନ୍ତି ବୋଲି ଶ୍ରୀ ଠାକୁର ପ୍ରଶ୍ନ କରିବା ସହ ଆଗାମୀ ନିର୍ବଚାନରେ ଛାତ୍ରଛାତ୍ରୀମାନେ ଏହି ଅନ୍ୟାୟ ବିରୁଦ୍ଧରେ ଉଚିତ୍ ଜବାବ ଦେବେ ବୋଲି ଠାକୁର କହିଛନ୍ତି ।

କଲେଜଗୁଡିକରେ ଗୁଣାତ୍ମକ ଶିକ୍ଷାର ଅଭାବ ରହିଛି । ଅନେକ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ଏବଂ ଅଧ୍ୟାପକ ନାହାଁନ୍ତି । ଏହାର ପ୍ରଭାବ ଛାତ୍ରଛାତ୍ରୀମାନଙ୍କ ଉପରେ ପଡୁଛି । ରାଜ୍ୟ ସରକାର କଲେଜ କ୍ୟାମ୍ପସରେ ପାନୀୟ ଜଳ, ସାଇକେଲ ଷ୍ଟାଣ୍ଡ, କମନ ରୁମ, ଲାଇବ୍ରେରୀ, ଖେଳ ପଡିଆ, ଲାବ୍ରୋଟୋରୀ, ଲେଡିଜ ହଷ୍ଟେଲ ଆଦିର ଉନ୍ନତିକରଣ ପାଇଁ କୌଣସି ଠୋସ ପଦକ୍ଷେପ ନେଇ ନାହାଁନ୍ତି । ଛାତ୍ରଛାତ୍ରୀମାନଙ୍କୁ ମୌଳିକ ସୁବିଧା ନଯୋଗାଇ ରାଜ୍ୟ ସରକାର ବିଜେଡିର ଦଳୀୟ ଚିହ୍ନକୁ ବ୍ୟବହାର କରି “ଯୁବ ଓଡ଼ିଶା ନବୀନ ଓଡିଶା” ନାଁରେ କ୍ୟାମ୍ପେନ କରି କଲେଜଗୁଡିକରେ ଭୋଜି ଭାତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ଠାକୁର କହିଛନ୍ତି । ରାଜ୍ୟରେ ଅନେକ ସ୍ୱଂୟଶାସିତ କଲେଜ ନାକ୍ ଗ୍ରେଡ ହାସଲ କରିପାରୁ ନାହାଁନ୍ତି । ନାକ୍ ଗ୍ରେଡ ନପାଇବାରୁ ବିଜେବି କଲେଜ ପରି ୧୦ ରୁ ଅଧିକ କଲେଜ ସ୍ୱଂୟଶାସିତ ମାନ୍ୟତା ହରାଇଛନ୍ତି । ନାକ୍ ମାନ୍ୟତା କ୍ଷେତ୍ରରେ ସରକାରୀ କଲେଜଗୁଡିକ ଭଲ ପ୍ରଦର୍ଶନ କରିପାରୁନଥିବା ବେଳେ ଘରୋଇ କଲେଜଗୁଡିକ ନାକ୍ ଗ୍ରେଡରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଏହା ହେଉଛି ରାଜ୍ୟ ସରକାରଙ୍କ ଶିକ୍ଷା ମଡେଲ୍ ।

କେବଳ ସେତିକି ନୁହେଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ନିଜର ଆଧିପତ୍ୟ ବିସ୍ତାର କରିବା ଲାଗି ୟୁନିଭରସିଟି ଆମେଣ୍ଡମେଂଟ ଆକ୍ଟ-୨୦୨୦ ଲାଗୁ କରି ୟୁଜିସି ରେଗୁଲେସନ ଆକ୍ଟ -୨୦୧୮ର ଖୁଲମଖୁଲା ଉଲ୍ଲଙ୍ଘନ କରିଛନ୍ତି । ଯାହା ଉପରେ ଏବେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି । ଏହି ଆଇନ ଲାଗୁ କରି ବିଶ୍ୱବିଦ୍ୟାଳୟ ଗୁଡିକର ସ୍ୱତନ୍ତ୍ରତା ନଷ୍ଟ କରିବା ସହ କୁଳପତିମାନଙ୍କର ଚୟନରେ ରାଜ୍ୟ ସରକାର ହସ୍ତକ୍ଷେପ କରି କଲେଜ କ୍ୟାମ୍ପସକୁ ରାଜନୀତିକରଣ କରିବାର ଷଡଯନ୍ତ୍ର କରିଛନ୍ତି । ହୀନ ରାଜନୀତି ଛାଡି ରାଜ୍ୟ ସରକାର ତୁରନ୍ତ ସ୍ଥାୟୀ ଅଧ୍ୟାପକମାନଙ୍କୁ ନିଯୁକ୍ତି ଦେଇ ଗୁଣାତ୍ମକ ଶିକ୍ଷାର ବ୍ୟବସ୍ଥା କରନ୍ତୁ ଏବଂ ‘ନୂଆ-ଓ’, “ଯୁବ ଓଡିଶା ନବୀନ ଓଡିଶା” ନାଁରେ ରାଜନୀତି ନକରି କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ତିଆରି କରିବା ପାଇଁ ଶ୍ରୀ ଠାକୁର ଦାବି କରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ଭୋଟର ଓ ଯୁବବର୍ଗଙ୍କଠାରୁ ଭୋଟ ହାତେଇବା ‘ବିଜୁ ଯୁବ ବାହିନୀ’ଯୋଜନା କରିଥିଲେ ରାଜ୍ୟ ସରକାର । ଏବେ ବିଜୁ ଯୁବ ବାହିନୀ” ଯୋଜନା ଗଲା କୁଆଡେ? ସେ ଯୋଜନାରେ କେତେ ଜଣ ଯୁବକ ଲାଭବାନ ହେଲେ? ଗତ ୫ ବର୍ଷରେ କେତେ ଜଣ ଯୁବକଙ୍କୁ ନିଯୁକ୍ତି ମିଳିଛି? ସରକାରୀ କଲେଜରେ ଶିକ୍ଷାର ମାନ ବଢାଇବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ? କେତୋଟି ନୂଆ ଶିକ୍ଷା ଭିତିଭୂମି ପ୍ରସ୍ତୁତ କରାଯାଇଛି? କେତେ ଜଣ ଅଧ୍ୟାପକମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି ତାହାର ତଥ୍ୟ ରାଜ୍ୟ ସରକାର ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ଶ୍ରୀ ଦାସ ଦାବି କରିଛନ୍ତି ।

ସେହିପରି ରାଜ୍ୟ ସରକାର କେବଳ ବିଜ୍ଞାପନରେ କ୍ରୀଡା ଭିତିଭୂମିର ରୂପାନ୍ତରଣ ଓ କ୍ରୀଡାବିତମାନଙ୍କୁ ପୋତ୍ସାହନ ଦେଉଛନ୍ତି । କ୍ରୀଡା ଭିତିଭୂମି ନିର୍ମାଣ ଦିଗରେ ସରକାରଙ୍କ କୌଣସି ଆଗ୍ରହ ନାହିଁ । କେବଳ ଆଗାମୀ ନିର୍ବାଚନରେ ଭୋଟ ହାତେଇବା ପାଇଁ କ୍ରୀଡାପ୍ରେମ ଦେଖାଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ କ୍ରୀଡାର ଭିତିଭୂମି ଅଭାବ ରହିଛି ଏବଂ କ୍ରୀଡାବିତ ମାନେ ସଠିକ ମାନର ପ୍ରଶିକ୍ଷଣ ସୁବିଧା ପାଇ ପାରୁନାହାଁନ୍ତି । ଯେଉଁ ଖେଳାଳିମାନେ ନିଜ ଉଦ୍ୟମରେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ସେମାନଙ୍କୁ ବି ରାଜ୍ୟ ସରକାର ମୌଳିକ ସୁବିଧା ଯୋଗାଇ ନାହାଁନ୍ତି । ରାଜ୍ୟ ମହିଳା କବାଡି ଟିମର ଅଧିନାୟିକା ନମିତା ଭୋଇ ଏବଂ କବାଡି ଖେଳାଳି ସୁନିତା ମାଝୀ ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ଏବେ ଛେଳି ଚରାଇବା, ଧାନ କାଟିବା ଆଦି କାମ କରି ନିଜ ପେଟ ପୋଷିବାକୁ ବାଧ୍ୟ ହେଉଛନ୍ତି । ମହିଳା ସମ୍ମାନର ଡିଣ୍ଡିମ ପିଟୁଥିବା ବିଜେଡି ଦଳ ଏବଂ କ୍ରୀଡା ପ୍ରେମ ଦେଖାଉଥିବା ସରକାର କ୍ରୀଡାବିତଙ୍କୁ ସଶକ୍ତ କରିବାରେ କେତେ ଧୁରନ୍ଧର ତାହା ଆଜିି ପ୍ରମାଣିତ ହୋଇଛି । କ୍ରୀଡା ଭିତିଭୂମି ରୂପାନ୍ତରଣ ନାଁରେ ଲୁଟ ଚାଲିଛି ଏବଂ ମୋଦି ସରକାରଙ୍କ ‘ଖେଲୋ ଇଣ୍ଡିଆ’ ଯୋଜନାରେ ମିଳୁଥିବା କେନ୍ଦ୍ରୀୟ ଅର୍ଥକୁ କିଛି ହାତ ଗଣତି ଠିକାଦାରଙ୍କ ଜରିଆରେ ଆତ୍ମସାତ କରାଯାଉଛି ବୋଲି ଶ୍ରୀ ଠାକୁର ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking