35.1 C
Bhubaneswar
Monday, June 17, 2024
Homeଓଡିଶାବିଜେଡି ସରକାର କରିଥିବା ଦୁର୍ନୀତିର ଚିଠା ଖୋଲିବ ବିଜେପି : କେ.ଭି ସିଂ ଦେଓ

ବିଜେଡି ସରକାର କରିଥିବା ଦୁର୍ନୀତିର ଚିଠା ଖୋଲିବ ବିଜେପି : କେ.ଭି ସିଂ ଦେଓ

ଭୁବନେଶ୍ୱର : ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ଏଥର ବିଜେପି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତାରେ ସରକାର ଗଢ଼ିବାକୁ ଯାଉଛି ବୋଲି ଗଣମାଧ୍ୟମ ଏବଂ ଜନମତର ଆଭିମୁଖ୍ୟରୁ ଜଣାପଡ଼ିଛି । ଜୁନ୍ ୪ ତାରିଖରେ ଏହା ସ୍ପଷ୍ଟ ହୋଇଯିବ । ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଆହୁରି ଗୋଟିଏ ପର୍ଯ୍ୟାୟ ନିର୍ବାଚନ ବାକିଥିବା ସତ୍ୱେ ସରକାର ଗଢ଼ିବା ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ ନମ୍ବର ବିଜେପି ହାସଲ କରିପାରିଛି । ଓଡିଶାର ସବୁ ବର୍ଗର ଲୋକେ ବିଜେପିକୁ ସମର୍ଥନ କରିଥିବାରୁ ଏହା ସମ୍ଭବ ହୋଇପାରିିଛି । ଗତ ୨୫ ବର୍ଷ ମଧ୍ୟରେ ବିଜେଡି ସରକାର ଅନେକ ଦୁର୍ନୀତି କରିଛି । ବିଜେପି ସରକାର ଗଢ଼ିଲେ ଏହାର ତଦନ୍ତ କରାଯିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂ ଦେଓ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ ଦେଓ କହିଛନ୍ତି ଯେ, ଗତ୨୫ ବର୍ଷ ମଧ୍ୟରେ ବିଜେଡି ସରକାର ୨୪ଟି କମିଶନ ବସାଇଥିଲେ । ମାତ୍ର ଏହା ଭିତରୁ କୌଣସି ଗୋଟିଏର ତଦନ୍ତ ରିପୋର୍ଟ ଲୋକଲୋଚନକୁ ନ ଆଣି ଚାପି ଦେଇଥିଲେ । ଏହି କମିଶନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ପ୍ରତି କମିଶନରେ ୩ ରୁ ୪ କୋଟି ଟଙ୍କା ହିସାବରେ ୨୪ଟି କମିଶନ ପାଇଁ ଶତାଧିକ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ଦୁଃଖର ବିଷୟ, ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିଜେଡି ସରକାର କ୍ୟାବିନେଟ୍ କିମ୍ବା ବିଧାନସଭାକୁ ନେଇ ନ ଥିଲା । ରାଜ୍ୟରେ ବିଜେପି ସରକାର ଆସିଲେ ବିଜେଡି ସରକାର ଅମଳରେ ଯେଉଁ ୨୪ଟି କମିଶନ ବସାଯାଇଥିଲା ତାହାର ରିପୋର୍ଟ ସାର୍ବଜନୀନ କରାଯିବ । ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟର ନିର୍ଦ୍ଦେଶ ପରେ ବି ବିଜେଡି ସରକାର କୌଣସି ପଦକ୍ଷେପ ନେଇ ନାହିଁ । ଭାରତୀୟ ଜନତା ପାର୍ଟିର ସରକାର ହେଲେ ରତ୍ନଭଣ୍ଡାର ତଥ୍ୟ ୩ ମାସ ମଧ୍ୟରେ ସାର୍ବଜନୀନ କରାଯିବ । ଏହାର ଚାବି କୁଆଡେ ଗଲା ତାହାର ମଧ୍ୟ ତଦନ୍ତ କରାଯାଇ ଓଡ଼ିଶାର ଜନସାଧାରଣଙ୍କୁ ଅବଗତ କରାଯିବ ।

ବିଜେଡି ସରକାର ପକ୍ଷରୁ ଚାପି ଦିଆଯାଇଥିବା ଖଣି ଦୁର୍ନୀତି ଘଟଣା ଉପରେ ବିଜେପି ସରକାର ତଦନ୍ତ କରିବ । ୨୦୦୯ ଓ ୨୦୧୦ରେ ଏହି ଦୁର୍ନୀତି ଉପରେ ବିଜେପି ପ୍ରଥମେ ବିଧାନସଭାରେ ଉଠାଇଥିଲା । ମାତ୍ର ରାଜ୍ୟ ସରକାର ସେତେବେଳେ ଏହି ପ୍ରସଙ୍ଗକୁ ଚାପି ଦେବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ । ଏହି ଦୁର୍ନୀତି ୨ ପ୍ରକାର ଥିଲା । ଗୋଟିଏ ହେଲା ଯେଉଁମାନେ ଲିଜ୍‌ରେ ଖଣି ନେଇଥିଲେ । ସେମାନେ ଅବଧି ସରିଗଲା ପରେ ପୁନଃ ପଞ୍ଜୀକରଣ ପାଇଁ ଆବେଦନ କରି ଖଣି ବିଭାଗକୁ ନିଜ ପ୍ଲାନ ଦେଖାଇ ଖନନ କାର୍ଯ୍ୟ କରୁଥିଲେ । ଅନ୍ୟଟି ହେଲା, ଖଣି ଲିଜ୍ ନ ଥାଇ ମଧ୍ୟ କେତେ ଜଣ ଖଣିରୁ ଲଗାତାର ଚୋରି କରୁଥିଲେ । ଏ ବିଷୟରେ ବିଜେପି ପକ୍ଷରୁ ଉଠାଯାଇଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ ଅଣଦେଖା କରିଥିଲେ । ଏନେଇ ସାହା କମିଶନ ବସାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟରେ ଆସି ନ ଥଲା । ଏହି କେଳେଙ୍କାରୀ ପ୍ରସଙ୍ଗକୁ ବିଜେପି ପୁଣି ଥରେ ଲୋକଲୋଚନକୁ ଆଣି ଦୋଷୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନେବ । ସେହିପରି ଚିଟ୍‌ଫଣ୍ଡ ଦୁର୍ନୀତିରେ ହିତାଧିକାରୀମାନେ ହରାଇଥିବା ଟଙ୍କା କିପରି ସେମାନଙ୍କୁ ମିଳିବ ସେନେଇ ପଦକ୍ଷେପ ନିଆଯିବ । ରାଜ୍ୟ ସରକାର ଚିଟ୍‌ଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସେତେବେଳେ କହିଥିଲେ, ଚିଟ୍‌ଫଣ୍ଡ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି । ଯେଉଁମାନେ ଚିଟ୍‌ଫଣ୍ଡରେ ଟଙ୍କା ହରାଇଛନ୍ତି ସେମାନଙ୍କୁ କର୍ପସ ଫଣ୍ଡରୁ ଟଙ୍କା ଫେରସ୍ତ କରାଯିବ । ମାତ୍ର ଏହା କେବଳ ପ୍ରତିଶ୍ରୁତିରେ ହିଁ ସୀମିତ ଥିଲା । ଏହି କର୍ପସ ଟଙ୍କା କୁଆଡ଼େ ଗଲା ତାହାର ତଦନ୍ତ କରାଯାଇ ଲୋକଙ୍କୁ ସେମାନଙ୍କ ଟଙ୍କା ଫେରାଇବା ପାଇଁ ବ୍ୟବସ୍ଥା କରାଯିବ । ଏହା ବ୍ୟତୀତ ବିଜେଡି ସରକାର ଦ୍ୱାରା କରାଯାଇଥିôôବା ଆବାସ, ପାଣି ଓ ଅନ୍ୟାନ୍ୟ ଦୁର୍ନୀତିର ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯିବା ସହ ଓଡ଼ିଶାବାସୀ ସମ୍ମୁଖୀନ ହେଉଥିôବା ବିଭିନ୍ନ ସମସ୍ୟାର ସମାଧାନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ରାଜ୍ୟ ଗଣାମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking