31.1 C
Bhubaneswar
Friday, September 20, 2024
Homeଓଡିଶାପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ରାଜ୍ୟରେ ଚାଲିଛି ଜମି ହଡପ୍‌ : ଅପରାଜିିତା ଷଡଙ୍ଗୀ

ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ରାଜ୍ୟରେ ଚାଲିଛି ଜମି ହଡପ୍‌ : ଅପରାଜିିତା ଷଡଙ୍ଗୀ

 ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଥିବା ଜମି ଦୁର୍ନୀତି ପଛରେ ତୃତୀୟ ମହଲା ଲିଙ୍କ୍‌ରେ ଥିବା ଅଧିକାରୀ ଏବଂ ପ୍ରଭାବଶାଳୀ ଲୋକମାନଙ୍କ ହାତ ରହିଛି
 ଶାସନ ବ୍ୟବସ୍ଥା ‘ହାଇଜାକ୍‌’ କରିଥିବା ପ୍ରଶାସନିକ ଅଧିକାରୀଙ୍କ ଏହା ଆଉ ଏକ ରୂପ
 ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସ୍ପଷ୍ଟୀକରଣ ଦାବୀ କଲେ ସାଂସଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଛି ଜମି ଦୁର୍ନୀତି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଚାଲିଥିବା ଜମି ଦୁର୍ନୀତି ପଛରେ ତୃତୀୟ ମହଲା ଲିଙ୍କ୍‌ରେ ଥିବା ଅଧିକାରୀ ଏବଂ ପ୍ରଭାବଶାଳୀ ଲୋକମାନଙ୍କ ହାତ ରହିଛି । ରାଜ୍ୟରେ ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ଜମି ହଡପ ଚାଲିଛି । ସରକାରୀ ଅଧିକାରୀ ଯିଏ ଏ ଶାସନ ବ୍ୟବସ୍ଥା ହାଇଜାକ୍ କରିଥିଲେ ଏ ହେଉଛି ତାଙ୍କର ଆଉ ଏକ ରୂପ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।
ଚଳିତ ମାସ ଅଗଷ୍ଟ ୪, ୧୫ ଏବଂ ୨୦ ତାରିଖରେ ବିଭିନ୍ନ ଅଭିଯୋଗକାରୀମାନଙ୍କର ଅଭିଯୋଗ ପାଇବା ପରେ ଭୁବନେଶ୍ୱରର ମାନନୀୟା ସାଂସଦ ଅପରାଜିତା ଷଡଙ୍ଗୀ ଅଗଷ୍ଟ ୨୧ ତାରିଖରେ ଭଗବତୀପୁର ଓ ଗିରିଙ୍ଗାପୁଟ୍ଟ ଗ୍ରାମ ପରିଦର୍ଶନରେ ଯାଇଥିଲେ । ଏହି ଦୁଇଟି ଗ୍ରାମ ଚନ୍ଦକାର ନିକଟବର୍ତୀ ଅଟେ । ଏଠାରେ ପହଁଚିବା ପରେ ଅଧିବାସୀମାନେ ମସ୍ତିଷ୍କ ଚହଲେଇଦେବା ଭଳି ଅଭିଯୋଗ କରିଥିଲେ । ଏହି ଚାଂଚଲ୍ୟକର ଅଭିଯୋଗ କୌଣସି ସିନେମା କାହାଣୀଠାରୁ କମ୍ ନଥିଲା । ଅର୍ଥ ବଳ ଓ ବାହୁବଳ ପ୍ରୟୋଗ ସହିତ ଉଚ୍ଚ ସରକାରୀ ପ୍ରଭାବ ଦ୍ୱାରା କିଭଳି ଜମି ଅକ୍ତିଆର କରାଯାଇଥିଲା ଏବଂ ଏହି ଜମିରେ ଅୟସ ପାଇଁ ପ୍ରାଚୁର୍ଯ୍ୟତା ଭରିରହିଥିଲା, ତାହାର ଅଭିଯୋଗ ଗ୍ରାମବାସୀମାନେ କରିଥିଲେ ।
୧. ସରକାରୀ ଜମି, ଦେବସ୍ଥଳୀ ଓ ବେସରକାରୀ ଜମି ଅକ୍ତିଆର- ଦେଖାଯାଇଥିଲା ଯେ ୧୫୦ ଏକର ପରିମିତି ଜାଗା ତାରବାଡ ଦ୍ୱାରା ଘେରା ଯାଇଛି । ଅଧିକୃତ ଜମି ଭିତରେ ସରକାରୀ ଅନାବାଦୀ, ଛୋଟ ଜଙ୍ଗଲ ଜମି ରହିବା ସଂଗେ ସଂଗେ ଗରିବ ଓ ଅସହାୟ ଜନସାଧାରଣଙ୍କ ଜମିକୁ ଜବରଦଖଲ କରାଯାଇଛି । ଚାରିପଟେ ତାରବାଡ ବୁଲାଇ ରାସ୍ତା ଅବରୋଧ କରିଥିବାରୁ ଘରୋଇ ଜମିର ମାଲିକମାନେ ନିଜ ଜମିକୁ ଯିବା ପାଇଁ ଅସମର୍ଥ ହେଉଛନ୍ତି ।
ସେ ଶୁଣିବାକୁ ପାଇଲେ ଯେ, ଐଇଖ କର୍ମଚାରୀମାନଙ୍କର ହାଉସିଂ ସୋସାଇଟି ଜାଗାକୁ ମଧ୍ୟ ତାରବାଡ ଦ୍ୱାରା ଘେରି ବନ୍ଧା ହୋଇଛି । ଧବଳେଶ୍ୱରଦେବଙ୍କ ଦେବସ୍ଥଳୀ ଏବଂ ଅନ୍ୟାନ୍ୟ ଦେବସ୍ଥଳୀ ମଧ୍ୟ ତାରବାଡ ଦ୍ୱାରା ଆବଦ୍ଧ ହୋଇଯାଇଛି । ଏଭଳି ତାରବାଡ କରାଯାଇଛି ଯାହାଦ୍ୱାରା ଜମି ମାଲିକମାନେ ଘେରି ଭିତରକୁ ପ୍ରବେଶ କରିପାରିବେନାହିଁ ଏବଂ ବାଧ୍ୟ ହୋଇ ତାମିଲନାଡୁର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଆଉ ସରକାରୀ ପୃଷ୍ଠପୋଷକତା ପ୍ରାପ୍ତ ମହିଳାଙ୍କୁ ବିକିବାକୁ ବାଧ୍ୟ ହେବେ । ଏହି ଜମି ସବୁ କ୍ରୟ କରିଥିବା ମହିଳା ତାମିଲନାଡୁର ଅଧିବାସୀ ଅଟନ୍ତି ଏବଂ ସେ କିଭଳି ଓଡିଶା ପ୍ରଦେଶରେ ଏତେ ପ୍ରଭାବ ବିସ୍ତାର କରି ଜମି ଦଖଲ କରୁଛନ୍ତି ତାହା ସନ୍ଦେହଜନକ ତଥା ଅନୁସନ୍ଧାନ ସାପେକ୍ଷ । ତୃତୀୟ ମହଲାର ପୃଷ୍ଠପୋଷକତାରେ ଏଭଳି କାର୍ଯ୍ୟ ଚାଲିଥିବା ଜନସାଧାରଣରେ ଆଲୋଚିତ ହେଉଛି । ଲୋକେ ଏହାକୁ “ପାଣ୍ଡିଆନ ପ୍ରୋଜେକ୍ଟ” ବୋଲି କହୁଛନ୍ତି ।
କିଛିଦିନ ତଳେ ଶୁଣାଯାଉଥିଲାକି, ତାମିଲନାଡୁର ଜଣେ ଭଦ୍ର ମହିଳା ଭୁବନେଶ୍ୱରରେ ଅନୈତିକ ଭାବେ ଜମିଜମା କିଣାରେ ଲିପ୍ତ ରହିଛନ୍ତି । ଅନୁସନ୍ଧାନରୁ ଜଣାଯାଉଛି ଯେ କିଣା ଯାଉଥିବା ଜମି ମୁଖ୍ୟମନ୍ତ୍ରୀ ଦପ୍ତରର ଜଣେ ପ୍ରଭାବଶାଳୀ କର୍ମଚାରୀଙ୍କର ତତ୍ୱାବଧାନରେ କିଣାଯାଉଛି ।
ଗ୍ରାମବାସୀମାନେ ଉପରୋକ୍ତ ଅଭିଯୋଗ କରିବାକୁଗଲେ, କୌଣସି ରେଭେନ୍ୟୁ ଅଫିସର କିମ୍ବା ପୋଲିସ ଅଫିସର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଜଣେ ପ୍ରଭାବଶାଳୀ ପ୍ରଶାସକଙ୍କର ନାମ ନେଇ ତାଙ୍କୁ ଚୁପ୍ କରାଇଦେଉଛନ୍ତି ।
ସାଂସଦ ମହୋଦୟାଙ୍କର ପରିଦର୍ଶନପରେ ନଜରକୁ ଆସିଛି ଯେ ୧୫୦ ଏକରରୁ ଅଧିକ ଜମି ଏହି ଭଦ୍ର ମହିଳାଙ୍କ ଦ୍ୱାରା ବଳପୂର୍ବକ ଦଖଲକୁ ନିଆଯାଇ ତାରବାଡ ଦ୍ୱାରା ଆବଦ୍ଧ କରାଯାଇଛି । ଏହା ରାଜ୍ୟ ପ୍ରଶାସନର ସହଯୋଗ ବିନା ଆଦୌ ସମ୍ଭବ ନୁହେଁ ।
୨. କେନାଲ ଜବରଦଖଲ- ଏକ ବିଚଳିତ କଲା ଭଳି ଘଟଣାଟି ହେଲା, ଜଳସେଚନ ପାଇଁ ଉଦ୍ଦିଷ୍ଟ ‘ଡେରାସ କେନାଲ’ ନିର୍ଦ୍ଦିଷ୍ଟ ଜାଗାରେ ପୋତିଦେଇ ବନ୍ଦ କରିଦିଆଯାଇଛି । ଡେରାସ ଡ୍ୟାମ୍‌ରୁ ଏହି କେନାଲ ମାଧ୍ୟମରେ ଚାଷୀମାନଙ୍କର ଚାଷ ଜମି ଜଳସେଚିତ ହେଉଥିଲା । କେନାଲକୁ ବନ୍ଦ କରିଦେବା ଦ୍ୱାରା ପ୍ରାୟ ୩୦୦ ଏକର ପରିମିତ ଜମି ଜଳସେଚନ ଅଭାବରୁ ୨ବର୍ଷ ହେବ ଫସଲ ହୋଇପାରୁନାହିଁ । ଜବରଦଖଲକାରିଣୀ କେନାଲଟିକୁ ଦଖଲ କରି ତାରବାଡ ଆବଦ୍ଧ ଦ୍ୱାରା ଜଳସେଚନ ବ୍ୟବସ୍ଥାକୁ ଅବରୋଧ କରିଦେଇଛନ୍ତି । ଭୁବନେଶ୍ୱରର ଅତ୍ୟନ୍ତ ନିକଟରେ ବାହୁବଳ ଦ୍ୱାରା ଗରିବ ଜନସାଧାରଣଙ୍କୁ କ୍ଷତି ପହଂଚାଇବା ଭଳି କାର୍ଯ୍ୟ ଇତିହାସରେ ବିରଳ । ୨୩ବର୍ଷ ଶାସନ କରୁଥିବା ସରକାରଙ୍କ ପ୍ରୋତ୍ସାହନରେ ରାଜଧାନୀର ଖୁବ୍ ନିକଟବର୍ତୀ ଅଂଚଳରେ ଏଭଳି ଘଟଣା ଘଟିବା ଏକ ନିନ୍ଦନୀୟ ବିଷୟ ।
୩. ବିଳାସବ୍ୟସନ ଭରା ଫାର୍ମ ହାଉସ- ତାରବାଡ ଦ୍ୱାରା ଆବଦ୍ଧ ଜମି ଉପରେ ଗୋଟିଏ ବିଶାଳ ଫାର୍ମ ହାଉସ ଗଢି ଉଠିଛି । ଆପଣମାନେ ଜାଣନ୍ତି ଯେ ଖଣି ଖାଦାନ ଅଂଚଳରେ ବାହୁବଳ ମାଧ୍ୟମରେ କାର୍ଯ୍ୟ ହାସଲ କରାଯାଏ । ଆପଣ ଯଦି ଏହି ସ୍ଥାନ ବୁଲି ଦେଖିବେ ତାହାଲେ ଦେଖିପାରିବେ ଯେ ଗ୍ରାମବାସୀମାନଙ୍କୁ କିଭଳିଭାବେ ଗୁଣ୍ଡା ମାଧ୍ୟମରେ ବାହୁବଳ ଦ୍ୱାରା ଧମକ ଚମକ ଦେଇ ନିରବ କରାଯାଇଛି । ଗୋଟେ ଉଚ୍ଚ ମଂଚ ଉପରେ କିଛି ଐଶ୍ୱର୍ଯ୍ୟଶାଳୀ ଚୌକି ଉପବେଶନ କରାଯାଇ ସମଗ୍ର ଇଲାକାକୁ ସର୍ଭେ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ଆବଦ୍ଧ କ୍ଷେତ୍ର ଭିତରେ ବଡବଡ ଗଛର ଗଣ୍ଡିମାନ କଟାଯାଇ ରଖାଯାଇଅଛି । ସଂରକ୍ଷିତ ଜଙ୍ଗଲ ନିକଟରେ ଏଭଳି ବଡବଡ କାଠ ଗଣ୍ଡି ସଂରକ୍ଷିତ ରଖିବା ଅନୁସନ୍ଧାନ ସାପେକ୍ଷ । ବଡବଡ ଗ୍ରାନାଇଟ ଯାହା ଆନ୍ଧ୍ରପ୍ରଦେଶର ତିରୁପତି ଇଲାକାରେ ମିଳିଥାଏ, ତାହାକୁ ଏହି ଫାର୍ମ ହାଉସ ନିର୍ମାଣରେ ବ୍ୟବହାର କରାଯାଇଛି । ଏହି ନିର୍ମାଣ କାର୍ଯ୍ୟ ଏବଂ ତାରବାଡ ଦ୍ୱାରା ଆବଦ୍ଧ କାର୍ଯ୍ୟ ଗତ ଦୁଇ ବର୍ଷ ଧରି ଚାଲି ଆସିଛି । ଗରିବ ଓ ଅସହାୟ ଜନ ସାଧାରଣଙ୍କର ଅଧିକାର ଉପରେ ଏଭଳି ବ୍ୟୟବହୁଳ ଅଟ୍ଟାଳିକା ନିର୍ମାଣ କରି ବିଳାସବ୍ୟସନ ଭରା ଜୀବନ ଜାପନ କେତେଦୂର ଯଥାର୍ଥ? କୃଷକମାନଙ୍କୁ ସେମାନଙ୍କର ଜମି ଓ ଜଳସେଚନ ସୁବିଧାରୁ ବଂଚିତ କରି ସେମାନଙ୍କର ଲୁହ ଓ ଲହୁ ଉପରେ ଏଭଳି କୁଠାରଘାତ ଓ ସାମ୍ରାଜ୍ୟ କେତେଦିନ ତିଷ୍ଠିବ?
୪. ରାଜ୍ୟ ସରକାରଙ୍କୁ ପ୍ରଶ୍ନ- ବର୍ତମାନର ମୁଖ୍ୟମନ୍ତ୍ରୀଙ୍କର ଅତୀତର କାର୍ଯ୍ୟଧାରା ସୂଚନା ଦିଏ ଯେ ଏଭଳି ଜଘନ୍ୟ କାର୍ଯ୍ୟ ସେ ଯଦି ଜାଣିବାକୁ ପାଇଥାନ୍ତେ, ତେବେ ସେ ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦେଇଥାନ୍ତେ । କିନ୍ତୁ ଆମ୍ଭେ ସବୁ ଜାଣିଛେ ଯେ ବର୍ତମାନର ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ଜଣେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଅପହୃତ ହୋଇଛି, ଯାହା ଫଳରେ ଏଭଳି ଘଟଣାର ଖବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚିବ କି ନାହିଁ ତାହା ସନ୍ଦେହଜନକ ।
ସେ ଯାହା ହେଉନା କାହିଁକି ଭଗବତୀପୁର ଓ ଗିରିଙ୍ଗାପୁର ଗ୍ରାମର ଅଧିବାସୀମାନେ ଓଡିଶା ସରକାରଙ୍କଠାରୁ କିଛି ଉତର ଆଶା କରନ୍ତି । ମୁଖ୍ୟମନ୍ତ୍ରୀ ଏ ସମସ୍ତ ପ୍ରଶ୍ନର ଜବାବ୍ ରଖିବା ଉଚିତ୍ ।
(କ) ଭୁବନେଶ୍ୱରର ଅତି ନିକଟରେ ଥିବା ଏହି ଦୁଇଟି ଗ୍ରାମକୁ ମୁଖ୍ୟମନ୍ତ୍ରୀ ଆସିବେକି? ଏବଂ କହିବେକି ଏହି ମାଫିଆମାନଙ୍କର ଜମି ଦଖଲ କରିବାରେ ତାଙ୍କ କାର୍ଯ୍ୟାଳୟର ଭୂମିକା ଅଛି ନା ନାହିଁ? ମୁଖ୍ୟମନ୍ତ୍ରୀ ମହୋଦୟ ସରକାରୀ ଜମି ତଥା ଦେବସ୍ଥଳୀ ଜବରଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇପାରିବେକି? ଜନସାଧାରଣଙ୍କ ନିକଟରେ ରାଜ୍ୟ ସରକାର ସୁନିଶ୍ଚିତ କରିବେକି ଏହି ଚଂଚକମାନେ ଭବିଷ୍ୟତରେ କୃଷକମାନଙ୍କର ଜମି କିମ୍ବା ସରକାରୀ ଜମିକୁ କେବେବି ଦଖଲ କରିପାରିବେନାହିଁ?
(ଖ) ୨୩ବର୍ଷର ଶାସନରେ ଅନେକ ଉନ୍ନତି କରିଥିବାର ଡିଣ୍ଡିମ ପିଟୁଥିବା ମାନନୀୟ ମୁଖ୍ୟମନ୍ତ୍ରୀ ଏହି ଜଘନ୍ୟ କାର୍ଯ୍ୟ ବିରୁଦ୍ଧରେ ଗୋଟିଏ ତଦନ୍ତ କରିବେକି? ଏବଂ କହିବେକି କାହିଁକି ଗରିବ ଚାଷୀମାନେ ଏହି ଦଲାଲ ମାନଙ୍କର ଦୌରାତ୍ମ୍ୟ ପ୍ରଭାବରେ ଜମି ବିକିବାକୁ ବାଧ୍ୟ ହେଉଛନ୍ତି?
ମାନନୀୟ ମୁଖ୍ୟମନ୍ତ୍ରୀ ୩୦୦ କୃଷକ ପରିବାର ଜଳସେଚନର ଅଭାବରୁ ହଇରାଣ ହରକତ ନହେବା ପାଇଁ ଜଳସେଚନ କେନାଲକୁ ପୁନରୁଦ୍ଧାର କରିବେକି? ଏବଂ ବେଆଇନ ଭାବେ ଜଳସେଚନ କେନାଲକୁ ପୋତିଥିବା ଲୋକ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେକି?
(ଗ) ମାନନୀୟ ମୁଖ୍ୟମନ୍ତ୍ରୀ ଜାଣନ୍ତିକି ତାଙ୍କ ଦପ୍ତରର ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କର ଏହି ଜମି ମାଫିଆ ମାନଙ୍କ ସହିତ ଅନୈତିକ ବୁଝାମଣା ଅଛି? କାହିଁକି ଅଂଚଳବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ପ୍ରଶାସନିକ ଅଧିକାରୀଙ୍କ ନାମ ଏହି ଜମି ଦଖଲ ସମ୍ବନ୍ଧରେ ଅଭିଯୋଗ କରୁଛନ୍ତି? ତାହାର ଏକ ବିଧିବଧ ତଦନ୍ତ କରିବେକି? ଜନସାଧାରଣ ଜାଣିପାରିବେକି ମାଫିଆ ମାନଙ୍କ ସହିତ ଏହି ଅଧିକାରୀଙ୍କର କିପ୍ରକାର ଅନୈତିକ ବୁଝାବଣା ରହିଛି?
ଯଦି ଏହାର କିଛି ସନ୍ତୋଷଜନକ ଉତର ନମିଳେ ତେବେ ଜନ ସାଧାରଣଙ୍କର ଦୁଃଖ ଓ କ୍ରୋଧର ଶିକାର ଓଡିଶା ସରକାର ହେବେ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ରଙ୍କ ପରି କାର୍ଯ୍ୟ କଲେ ଭବିଷ୍ୟତ ଦିନରେ ଜନସାଧାରଣଙ୍କର ରୋଷର ଶିକାର ହେବେ ଏଥିରେ ସନ୍ଦେହ ନାହିଁ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ବଡଜେନା, ଡାକ୍ତର ବେହେରା ଏବଂ ପ୍ରଦୀପ ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking