ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ସ୍ମାର୍ଟ ସିଟିର ଲୋକମାନେ
ନିଜକୁ ଅସୁରକ୍ଷିତ ମଣୁଛନ୍ତି । ବିଶେଷ କରି ମହିଳା ନିର୍ଯ୍ୟାତନା,ଦୁଷ୍କର୍ମ, ହତ୍ୟା,ମରଣାନ୍ତକ ଆକ୍ରମଣ, ଡକାୟତି, ରାହାଜାନୀ ଏବଂ ସାଇବର
ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ପୋଲିସକୁ ବେଖାତିର କରି ଅପରାଧୀମାନ ବିଭିନ୍ନ ଅପରାଧିକ କାର୍ଯ୍ୟ କରି ଖସି ପଲାଉଛନ୍ତି । ଅନେକ
ସମୟରେ ପୋଲିସ ଅପରାଧୀମାନଙ୍କୁ ଧରିବାରେ ବିଫଳ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ କେସର ତଦନ୍ତ କରୁନାହିଁ । ପୋଲିସ ରେକର୍ଡ ଅନୁଯାୟୀ
ରାଜଧାନୀରେ ଗତ ବର୍ଷ ୪୯ଟି ହତ୍ୟାକାଣ୍ଡ ଘଟିଛି , ଯାହାକି ଗତ ୫ ବର୍ଷ ତୁଳନାରେ ସବୁଠୁ ଅଧିକ । କରୋନା ମହାମାରୀ ଏବଂ ଲକଡାଉନ
ବଳ ବତର ଥାଇ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ସବୁ ଘଟିଛି । ୨୦୧୯ ଅପେକ୍ଷା ୨୦୨୦ ମସିହାରେ ୩୮୮ ଟି ଲୁଟ ଘଟଣା ସାମ୍ନାକୁ ଆସିଛି ।
ଗତ କିଛି ଦିନ ମଧ୍ୟରେ ରାଜଧାନୀରେ ବହୁଚର୍ଚ୍ଚିତ ଦୁଇଟି ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜାନୁଆରୀ ୨୬ ତାରିଖରେ ରମାଦେବୀ
ମହାବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କୁ ହତ୍ୟା କରାଯାଇଥିବା ସମୟରେ କେବଳ ପୋଲିସ ତାଙ୍କ ପୁରୁଷ ବନ୍ଧୁ ରାକେଶକୁ ଗିରଫ କରିଛି ।
ଏପରିକି ସଂପୃକ୍ତ ଛାତ୍ରୀଙ୍କ ମୃତ୍ୟୁ କିପରି ହେଲା ? ତାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ତାହା ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ । ଏହି
ଘଟଣାରେ ସଂପୃକ୍ତ ଥିବା ରାକେଶର ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିବାରେ ବିଫଳ ହୋଇଛି । ଗୋଟିଏ ମୃତ ଦେହକୁ ସ୍କୁଟି
ମାଧ୍ୟମରେ ରାଜଧାନୀରୁ ଯାଜପୁର ଯାଏଁ ନିଆଯିବା ବାଟରେ ବି ପୋଲିସ କେଉଁଠି ଏହି ଘଟଣାକୁ ଦେଖିପାରିଲା ନାହିଁ,ତାହା ସାଧାରଣରେ
ସନ୍ଦେହ ସୃଷ୍ଟି କରୁଛି । ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ସିସିଟିଭି କ୍ୟାମେରା ଲାଗିଥିବା ସତ୍ୱେ ପୋଲିସ ଅପରାଧୀଙ୍କ ଗତିବିଧିକୁ ଯାଂଚ
କରୁନାହିଁ କି ମୃତ୍ୟୁ ଉପରୁ ପରଦା ହଟାଇ ପାରୁନାହିଁ ।
ଫେବୃଆରୀ ୪ ତାରିଖରେ ରାଜଧାନୀର ଭରତପୁର-ଚନ୍ଦକା ରାସ୍ତାର ଦାସପୁର ନିକଟରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ
ଉଦ୍ଧାର କରାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି କି ତାଙ୍କୁ ତଂଟି ଚିପି ହତ୍ୟା କରିବା ପରେ ତାଙ୍କ ମୁଣ୍ଡ କଟାଯାଇଛି । ଏହି
ଘଟଣାକୁ ୬ ଦିନ ବିତିଥିଲେ ସୁଦ୍ଧା ପୋଲିସ ଅପରାଧୀର ଟେର୍ ପାଉନାହିଁ । ଫେବୃଆରୀ ୭ ତାରିଖରେ ଘାଟିକିଆ ହନୁମାନ ମନ୍ଦିର ନିକଟରେ
ଏକ ଗଛରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ଜଣକ କିଏ? ତାଙ୍କୁ କିଏ ଏବଂ କେବେ ହତ୍ୟା କରି ସେ
ଗଛରେ ଟାଙ୍ଗିଛି, ସେ ନେଇ ପୋଲିସ କୌଣସି ତଥ୍ୟ ରଖିନାହିଁ ।
ପଲାଶପଲ୍ଲୀସ୍ଥିତ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ହାଇ ପ୍ରୋଫାଇଲ ସେକ୍ସ ର୍ୟାକେଟ ବହୁ ଦିନ ଧରି ଚାଲିଥିଲା । ଦିବ୍ୟାଙ୍ଗ ଯୁବତୀମାନଙ୍କୁ
ଯୌନ ନିର୍ଯ୍ୟାତନ ଦିଆଯାଉଥିଲା । ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଙ୍ଗର ସଂପାଦକ ଓ ତାଙ୍କ ସହଯୋଗୀ ମାନେ ଏହି କାଣ୍ଡ
ଭିଆଉଥିବା ସମୟରେ କମିଶନରେଟ ପୋଲିସ ଏହାର ଟେର୍ ପାଇନଥିଲା । ପରେ ଅପରାଧୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏଥିରେ ଅନେକ
ବଡ ବଡ ସରକାରୀ ବାବୁ ମାନେ ସାମିଲ ଥିବାର ଆଶଙ୍କା ରହିଛି । ପୋଲିସ ସେମାନଙ୍କୁ କେବେ ଗିରଫ କରିବ ତାହା ସ୍ପଷ୍ଟ କରିବା ଦରକାର ।
ରାଜଧାନୀରେ ସାଇବର କ୍ରାଇମ ମଧ୍ୟ ବୃଦ୍ଧି ପାଇଛି । ୨୦୨୦ ମସିହାରେ ୧୯୩୧ ମାମଲା ରୁଜୁ କରାଯାଇଛି, ଯାହାକି ୨୦୧୯
ମସିହା ଅପେକ୍ଷା ୩୧ ପ୍ରତିଶତ ଅଧିକା । ସାଇବର ଠକଙ୍କୁ ଗିରଫ କରିବାରେ ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଛି । ପ୍ରତିଦିନ ସାଇବର
ଠକମାନେ ରାଜଧାନୀବାସୀଙ୍କୁ ବିଭିନ୍ନ ମନଲୋଭା ବିଜ୍ଞାପନ, ଲଟେରୀ, ପୁରସ୍କାର ଏବଂ ଲକ୍ଷ ଲକ୍ଷ ଟଙ୍କାର ଲୋଭ ଦେଖାଇ ହଜାର ହଜାର
ଟଙ୍କା ଠକେଇ କରୁଛନ୍ତି । କମିଶନରେଟ ପୋଲିସ ସାଇବର କ୍ରାଇମ ସମ୍ବନ୍ଧରେ ସଚେତନା କରିବାରେ ବିଫଳ ହୋଇଛି ।
ରାଜଧାନୀରେ ଘଟିଥିବା ରମାଦେବୀ ମହାବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟାକାଣ୍ଡର ଫର୍ଦ୍ଦାଫାଶ କରିବା ସହ ମୁଖ୍ୟ
ଅଭିଯୁକ୍ତର ସହଯୋଗୀକୁ ତୁରନ୍ତ ଗିରଫ କରାଯାଉ । ମୁଣ୍ଡ ବିହୀନ ମହିଳାଙ୍କ ଶବର ଚିହ୍ନଟ କରାଯିବା ସହ ତାଙ୍କୁ ହତ୍ୟା କରିଥିବା ସମସ୍ତ
ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ । ସାଇବର ଠକେଇ ଶିକାର ହେଉଥିବା ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ବ୍ୟାପକ ସଚେତନ କରାଯିବା
ସହ ସାଇବର କ୍ରାଇମ ଉପରେ କିପରି ରୋକ୍ ଲାଗିବ ସେନେଇ ତ୍ୱରିତ ପଦକ୍ଷେପ କମିଶନରେଟ ପୋଲିସ ପକ୍ଷରୁ ଗ୍ରହଣ କରାଯାଉ ।
ମହିଳାଙ୍କ ସୁରକ୍ଷା ଦିଗରେ କମିଶନରେଟ ପୋଲିସ ଜିରୋ ଟଲେରାନ୍ସ ନିୟମ ଲାଗୁ କରିବା ସହ ରାଜଧାନୀରେ ବସବାସ କରୁଥିବା ଛାତ୍ରୀ,
କର୍ମଜୀବୀ ମହିଳା, ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସେମାନଙ୍କ ମନରେ ଅପରାଧ ମୁକ୍ତ ରାଜଧାନୀର ବିଶ୍ୱାସ ସୃଷ୍ଟି କରାଇବା
ଦାବିରେ ଭୁବନେଶ୍ୱର ଜିଲ୍ଲା ମହିଳାମୋର୍ଚ୍ଚାର ଏକ ପ୍ରତିନିଧୀ ଦଳ ଡିସିପିଙ୍କୁ ଭେଟି ଏକ ସ୍ମ୍ାରକ ପତ୍ର ପ୍ରଦାନ କରିଛି ।
ଆଗାମୀ ୭ ଦିନ ଭିତରେ ମୁଣ୍ଡ ବିହୀନ ମହିଳାଙ୍କ ହତ୍ୟାକାରୀ, ଝରାଫୁଲ ହତ୍ୟାକାଣ୍ଡର ସ୍ପଷ୍ଟତା, ଘାଟିକିଆ ଯୁବକଙ୍କ ହତ୍ୟାକାରୀ,
ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଚାଲିଥିବା ଯୌନ ନିର୍ଯ୍ୟାତନାରେ ସାମିଲ ଥିବା ସରକାରୀ ବାବୁମାନଙ୍କୁ ଗିରଫ ଏବଂ ରୁଜୁ ହୋଇଥିବା ମାମଲା
ଅନୁଯାୟୀ ସାଇବର ଠକଙ୍କୁ ଗିରଫ ନକରାଗଲେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଡିସିପି ଅଫିସ ଘେରାଉ କରାଯିବ ବୋଲି ପ୍ରତିନିଧୀ ଦଳ
ଚେତାବନୀ ଦେଇଛି ।
ଏହି ପ୍ରତିନିଧୀ ଦଳରେ ସୁବାଷିନୀ ପୃଷ୍ଟି, ଉନ୍ନତି ପରିଡା, ତୃପ୍ତିମୟୀ ମକଦ୍ଦମ, ଶଶୀପ୍ରଭା ରଥ, ସୁନୀତା ପତୀ, ସୁମିତ୍ରା ଆଚାର୍ଯ୍ୟ,
ଜ୍ୟୋତିରେଖା ନାୟକ, ପ୍ରତୀକ୍ଷା ମହାପାତ୍ର, ଲିପା ଦାସ, ସସ୍ମିତା ଛୁଆଳସିଂ ଏବଂ ସସ୍ମିତା ପାତ୍ର ପ୍ରମୁଖ ସାମିଲ ଥିଲେ ।