30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗଏକାମ୍ରକ୍ଷେତ୍ର ପାଇଁ ଏନଏମଏକୁ ବିରୋଧ

ଏକାମ୍ରକ୍ଷେତ୍ର ପାଇଁ ଏନଏମଏକୁ ବିରୋଧ

ଭୁବନେଶ୍ୱର,(ଓଏନଏ): ଏନଏମଏ ଚିଠା ଅଧିନିୟମକୁ ନେଇ ବିବାଦ ତୁଟି ନାହିଁ । ପୁରୀ ଶ୍ରୀମନ୍ଦିର ପରେ ଏବେ ଏକାମ୍ରକ୍ଷେତ୍ରରେ ଏହି ଅଧିନିୟମକୁ ନେଇ ବିବାଦ ମୁଣ୍ଡ ଟେକିଛି । ବିଜେପିର ଭୁବନେଶ୍ୱର ସାସଂଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରାଯାଇଛି । ପୁରୀ ଶ୍ରୀମନ୍ଦିରକୁ ଏହି ଅଧିନିୟମରୁ ପ୍ରତିବାଦ ପରେ ବାଦ ଦିଆଯାଇଥିବା ବେଳେ ଏକାମ୍ର କ୍ଷେତ୍ର ପାଇଁ ବଳବତ୍ତର ରହିଛି । ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଏହି ଅଧିନିୟମର ବାଇ ଲରେ ବଳବତ୍ତର ରହିଛି । କିନ୍ତୁ, ଏଥିନେଇ ସାଂସଦ ଅପରାଜିତା ଷଡଙ୍ଗୀ କୌଣସି ପ୍ରତିକ୍ରିୟା ରଖୁନଥିବାରୁ ଏବଂ କେନ୍ଦ୍ର ନିକଟରେ ଏହି ନିୟମ ହଟାଇବା ପାଇଁ ଦାବି କରୁନଥିବାରୁ ତାଙ୍କୁ ସମାଲୋଚନା କରାଯାଇଛି । ଏପରିକି ଭୁବନେଶ୍ୱର-ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏନେଇ ଟ୍ୱିଟ କରି ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି । ଏହାପରେ ବିଭିନ୍ନ ସଂଗଠନ ଆଗକୁ ଆସି ଅପରାଜିତାଙ୍କୁ ଘେରିଛନ୍ତି ।

 

ଏହି ଅଧିନିୟମ ଅନୁଯାୟୀ, ମନ୍ଦିରର ୩ ଶହ ମିଟର ଭିତରେ କୌଣସି ବିକାଶମୂଳକ କାର୍ଯ୍ୟ କିମ୍ବା ନିର୍ମାଣ କାର୍ଯ୍ୟ କରିବାକୁ ଗଲେ ଏଥିନେଇ ଅନୁମତି ନେବାକୁ ପଡିବ । ବିନା ଅନୁମତିରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ । ଏହାଫଳରେ ସରକାର ଏବେ ଯେଉଁ ଏକାମ୍ର ଯୋଜନା କରି ଲିଙ୍ଗରାଜ ମନ୍ଦିରର ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି, ତାହା ହୋଇପାରିବ ନାହିଁ । ବାସୁଦେବ ମନ୍ଦିରର ୩ ଶହ ମିଟର ପରିଧି ଭିତରେ ଲିଙ୍ଗରାଜ ମନ୍ଦିରର ବିକାଶ କାର୍ଯ୍ୟ ଆସୁଛି । ଏଣୁ ଏହି କାର୍ଯ୍ୟ ବାଧାପ୍ରାପ୍ତ ହେବାକୁ ଥିବାରୁ ଏକାମ୍ରକ୍ଷେତ୍ରର ଲୋକେ ବିରୋଧ କରିବା ଆରମ୍ଭ କରିଛନ୍ତି । ସାଂସଦ ଶ୍ରୀମତି ଷଡଙ୍ଗୀ ଏହି ଘଟଣାକୁ ନେଇ ବିରୋଧ କରିନଥିବାରୁ କିମ୍ବା କୌଣସି ପ୍ରତିକ୍ରିୟା ରଖୁନଥିବାରୁ ତାକୁ ନେଇ ବିରୋଧାଭାବ ସୃଷ୍ଟି ହୋଇଛି । ମନ୍ତ୍ରୀ ଶ୍ରୀ ପଣ୍ଡା ଟ୍ୱିଟ କରି ଅପରାଜିତାଙ୍କ ନିରବତା ନେଇ ପ୍ରଶ୍ନ ଉଠାଇଛନ୍ତି । ‘ଏକାମ୍ରକ୍ଷେତ୍ର ପ୍ରକଳ୍ପ କାର୍ଯ୍ୟରେ ବାଧାପ୍ରାପ୍ତ ହେଲେ ଭୁବନେଶ୍ୱରବାସୀ କ୍ଷମା ଦେବେନାହିଁ’ ବୋଲି ସେ ତାଙ୍କ ଟ୍ୱିଟରେ ଚେତାଇ ଦେଇଛନ୍ତି । ଅନ୍ୟପଟେ ଜନଜାଗରଣ ମଂଚ ଓ ବଳୁନିଯୋଗ ପକ୍ଷରୁ ମଧ୍ୟ ସାସଂଦଙ୍କ ନିରବତା ନେଇ ପ୍ରଶ୍ନ ଉଠାଯାଇଛି । ସାଂସଦଙ୍କ ଏହି ନିରବତା ତାଙ୍କ ପାଇଁ ମହଙ୍ଗା ପଡିବ । ସାସଂଦ କୁଆଡେ ଗଲେ, ସେବାୟତମାନଙ୍କ ସହ ଏନେଇ କାହିଁକି ଆଲୋଚନା କରୁନାହାନ୍ତି , ଏସବୁ ପ୍ରଶ୍ନ ଉଠାଇବା ସହ ତାଙ୍କୁ ଲିଙ୍ଗରାଜ ମନ୍ଦିର ଭିତରକୁ ପୁରାଇ ଦିଆଯିବ ନାହିଁ ବୋଲି କୁହାଯାଇଛି । ଲିଙ୍ଗରାଜ ସେନା ଅପରାଜିତାଙ୍କୁ ବିରୋଧ କରାଯିବ ବୋଲି ଘୋଷଣା କରିଛି । ଏହାଛଡା ବିଭିନ୍ନ ସୋସିଆଲ ମିଡିଆରେ ଅପରାଜିତା କେଉଁଠି ବୋଲି ପ୍ରଶ୍ନ ଉଠାଯାଇଛି ।
ଏହି ଘଟଣା ଉପରେ ଦିଲ୍ଲୀରେ ଥିବା ଅପରାଜିତା ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ‘ସବୁପ୍ରକାର ବିରୋଧ ଓ ସମର୍ଥନକୁ ମୁଁ ସ୍ୱାଗତ କରୁଛି । ବର୍ତମାନ ସଂସଦ ଅଧିବେଶନ ଚାଲିଛି । ମୁଁ ଦିଲ୍ଲୀରେ ଅଛି । ସଂସଦ ଅଧିବେଶନର ପ୍ରଥମ ପର୍ଯ୍ୟାୟ କିଛି ଦିନ ପରେ ସରିଯିବ । ତା ପରେ ୧୫ ତାରିଖରେ ମୁଁ ଭୁବନେଶ୍ୱର ଆସୁଛି । ସବୁବେଳେ ତର୍କ ଓ ତଥ୍ୟକୁ ନେଇ ମୁଁ କଥା ହୁଏ । ତର୍କ ଓ ତଥ୍ୟ ବିନା ମୁଁ କଥା ହୁଏନି କିମ୍ବା କୌଣସି ପ୍ରକାର କାର୍ଯ୍ୟ କରେ ନାହିଁ । ସେଥିପାଇଁ ଭୁବନେଶ୍ୱର ଗଲାପରେ ଏକାମ୍ରକ୍ଷେତ୍ର ଯିବି । ସମସ୍ତଙ୍କ ସହ ଆଲୋଚନା କରିବି । କଥାଟା ସୁନ୍ଦର ଭାବରେ ବୁଝିବି । କିନ୍ତୁ, ଯେଉଁସବୁ କଥା ମୋତେ କୁହାଯାଇଛି, ଅଳ୍ପ ଯେତେ ମୁଁ ଜାଣିଛି ତାକୁ ଆଧାର କରି ମୁଁ କହିବି, ପ୍ରଧାନମନ୍ତ୍ରୀଙ୍କ ରାଜନୀତି ହେଉଛି ବିକାଶର ରାଜନିତୀ । କେବେ ବି କୌଣସି ପରିସ୍ଥିତିରେ ବିକାଶକୁ ବିରୋଧ କରିବୁ ନାହିଁ । ବିକାଶକୁ ବିରୋଧ କରିବାର ପ୍ରଶ୍ନ ଉଠୁନାହିଁ । ଆମେ ସମସ୍ତେ ଚାହୁଁଛୁ ବିକାଶ । କିନ୍ତୁ ମୁଁ ଗୋଟିଏ କଥା କହିବି, ଯେତେବେଳେ ବିକାଶ କାର୍ଯ୍ୟ ହାତକୁ ନିଆଯାଉଛି, ସେତେବେଳେ ଉତ୍ସାହ ରହିବା ଦରକାର । ଏଇଟା ଭଲ କଥା । କିନ୍ତୁ ଆଇନକୁ ଦେଖିକି କାମ କରିବା କଥା । ଯାହା ନୀତି ନିୟମ ଓ ରେଗୁଲେସନ ଅଛି ତାକୁ ଦେଖିକି କାମ କରିବା କଥା । ଆଉ ଯେତେ ଷ୍ଟେକ ହୋଲ୍ଡର ଅଛନ୍ତି ତାଙ୍କ ମତାମତ ନେଇ କାମ କରିବା କଥା । କିଛିଟା ପାଠ ପଢି କାମ କରିବା କଥା । ଯେଉଁ ଘଟଣାଟି ହେଲା ଏଏସଆଇ ତରଫରୁ ହେଲା, ଏଏସଆଇ ଅବଜେକ୍ସନ କଲା, ମୁଁ ଯେତିକି ଜାଣିଛି କହିବି । ଏହା ଶାସନର ଅପରିପକ୍ୱତା କହିଲେ ଅତ୍ୟୁକ୍ତି ହେବନାହିଁ । ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କନସର୍ନକୁ ନେଇ କାମ କରିବା କଥା । ଏହାପରେ ଯେଉଁସବୁ ପଦକ୍ଷେପ ନିଆଯିବା କଥା, ମୁଁ ୧୫ ତାରିଖ ପରେ ଆସିଲେ ଅନୁସନ୍ଧାନ କରିବା ପରେ ନିଷ୍ପତି ନେବି । ସେବାୟତମାନେ ଆମର । ମୁଁ ସେବାୟତଙ୍କର’ ।
‘ସମସ୍ତଙ୍କର ବହୁ ଆଶୀର୍ବାଦ ଓ ସ୍ନେହ ରହିଛି । ମୁଁ ଯାଏ, ସମସ୍ତଙ୍କ ସହିତ ଆଲୋଚନା କରିବି । ଯେଉଁଟା ଠିକ ହେବ ଆମ ସମସ୍ତଙ୍କ ପାଇଁ ଭଲ ସେଇଟା ହିଁ କରାଯିବ’ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking