33.3 C
Bhubaneswar
Friday, June 13, 2025
Homeଓଡିଶାଚାର୍ଜସିଟରେ ସତ ନାହିଁ, ସିବିଆଇ ତଦନ୍ତ ଆବଶ୍ୟକ :ମୋହନ ମାଝୀ

ଚାର୍ଜସିଟରେ ସତ ନାହିଁ, ସିବିଆଇ ତଦନ୍ତ ଆବଶ୍ୟକ :ମୋହନ ମାଝୀ

 ଷଡଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେଇଛି କ୍ରାଇମବ୍ରାଂଚ

ଭୁବନେଶ୍ୱର : ବହୁଚର୍ଚ୍ଚିତ ରାଜ୍ୟ ସରକାରଙ୍କ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ୫୧୨ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଶେଷ ଦିନ ତଥା ଶେଷ ମୁହୁର୍ତରେ ଅତି ଚତୁରତାର ସହ ଗତ ୨୬ ତାରିଖ ଦିନ ଦାଖଲ କରାଗଲା । ଚାର୍ଜସିଟ୍ରେ କଣ ରହିଛି, ହତ୍ୟାକାଣ୍ଡର କାରଣ, ହତ୍ୟାକାଣ୍ଡର ପ୍ରକୃତ ଷଡଯନ୍ତ୍ରକାରୀ କିଏ ଏବଂ କାରଣ କଣ ପ୍ରସଙ୍ଗରେ କୈାଣସି ତଥ୍ୟ ନାହିଁ କି କୌଣସି ପ୍ରକାର ତଦନ୍ତ ପ୍ରକ୍ରିୟାକରଣ ଆଦୌ ପ୍ରକାଶ ପାଇନାହିଁ । ବରଂ ଗୋପାଳ ଦାସକୁ ଖସାଇଦେଇ ବଂଚାଇବାକୁ ଉଦ୍ୟମ କରାଯିବାର ଗୋଟିଏ ସୁଚିନ୍ତିତ ରାସ୍ତାଟିଏ ପ୍ରସ୍ତୁତ କରାଯାଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ଶାସକ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀମଣ୍ଡଳର ଜଣେ ସହଯୋଗୀଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ଦେଇପାରିଲେନାହିଁ । ଏହି ହତ୍ୟାକାଣ୍ଡରେ କେବଳ ଗୋପାଳ ଦାସକୁ ବଂଚେଇବା ପାଇଁ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ରହସ୍ୟକୁ ଉନ୍ମୋଚନ କରିଲେ ନାହିଁ ଏବଂ ଏହି ଗୋପାଳ ଦାସର ଚିରାଚରିତ କଥାକୁ ଆଜି ପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟାରେ ରଖିଛନ୍ତି । ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଓ ଏହାର କାରଣ ବାବଦରେ ଅନେକ ସମୟରେ ବିଧାନସଭାରେ ଏବଂ ବିଧାନସଭା ବାହାରେ ମଧ୍ୟ ସରକାରଙ୍କ ନିକଟରେ ବିଜେପି ତରଫରୁ ଦାବୀ କରାଯିବା ସହିତ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବୀ କରାଯାଇଥିଲା । ଏପରିକି ବିଧାନସଭାରେ ମଧ୍ୟ ପ୍ରସଙ୍ଗ ରଖାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟିବା ପୂର୍ବରୁ ଏବଂ ତା ପର ଦିନ ଯେଉଁମାନେ ଗୋପାଳ ଦାସ ସହିତ କଥାବାର୍ତା କରୁଥିଲେ ପ୍ରକୃତରେ ସେହିମାନେ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିଲେ ଏବଂ ସେମାନଙ୍କ କଲ୍ ରେକର୍ଡକୁ ଯାଂଚ୍ କରାଗଲେ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର କହିଥିଲେ । ଏପରିକି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କ ନାମ ପ୍ରକାଶ କରି ତଦନ୍ତ ପରିସରଭୁକ୍ତ ପାଇଁ ଦାବୀ ଜଣାଇଥିଲେ । ଏହାକୁ କଂଗ୍ରେସର ବିଧାୟକମାନେ ମଧ୍ୟ ସମର୍ଥନ ଜଣାଇଥିଲେ । ମାତ୍ର ଏ କଥାକୁ ସମ୍ପୂର୍ଣ୍ଣ ଭାବରେ କ୍ରାଇମବ୍ରାଂଚ୍ ଆଗ୍ରହ କରିଦେଇଥିବା ଏହି ଚାର୍ଜସିଟ୍ରୁ ସ୍ପଷ୍ଟ ଜଣାପଡୁଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଅଭିଯୁକ୍ତ ଗୋପାଳ ଦାସକୁ ସୁସ୍ଥ ଥିବା ଦର୍ଶାଇ ବନ୍ଧୁକ ସହ ଥାନାଧିକାରୀ ଭାବେ ଦାୟୀତ୍ୱ ଦିଆଯାଇଥିଲା । ମାତ୍ର ହତ୍ୟାକାଣ୍ଡ ପରେ ଗୋପାଳ ଦାସ ମାନସିକ ରୋଗୀ ଓ ସେ ୧୦ ବର୍ଷ ଧରି ଔଷଧ ଖାଉଥିବାର ଜଣେ ପାଗଳ ବୋଲି ପ୍ରମାଣିତ କରିବାର ରାଜ୍ୟ ସରକାରଙ୍କ ତରଫରୁ ପ୍ରୟାସ କରାଗଲା । ଏପରିକି ରାଜ୍ୟ ବାହାରକୁ ନିଆଯାଇ ମେଡିକାଲ ଟେଷ୍ଟ କରାଯାଇଥିଲା । ଶେଷରେ ଗୋପାଳ ପାଗଳ ନୁହେଁ ଏବଂ ତାଙ୍କୁ ମାନସିକ ପରୀକ୍ଷା କରାଯାଇପାରିବ ନାହିଁ ବୋଲି ମାନ୍ୟବର କୋର୍ଟଙ୍କ ତାଗିଦ୍ ପରେ ତଦନ୍ତର ଦିଗ ପରିବର୍ତନ କରାଯାଇଛି । ଯଦି ଗୋପାଳ ଦାସ ଓ ନବ ଦାସଙ୍କ ଭିତରେ ମନମାଳିନ୍ୟ ବା ବିଦ୍ୱେଷ ଥିଲା, ତାହେଲେ କାହିଁକି ଥାନାର ଇନଚାର୍ଜ କରାଯାଇଥିଲା ? କାହାର ପୃଷ୍ଠପୋଷକତା ଓ ସମର୍ଥନରେ ଗୋପାଳକୁ ବାରମ୍ବାର ପୁରସ୍କୃତ କରାଯାଇ ଥାନାରେ ଦିଆଯାଇଥିଲା ? ବାସ୍ତବରେ ଏହି ହତ୍ୟାକାଣ୍ଡର ରହସ୍ୟକୁ ସଠିକ୍ ଭାବରେ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ଏଥିରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୧୨୦-ବି ଦିଗ ପ୍ରତି ତଦନ୍ତ ହୋଇନାହିଁ । ଏସବୁ କଥାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ସରକାର ନିଜେ ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା କାରଣରୁ ଆଜି ଏ କଥାକୁ ଘଂଟ ଘୋଡାଇବା ପାଇଁ ବିଭିନ୍ନ ପ୍ରକାର ନାଟକ ରଚନା କରିଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଚାର୍ଜସିଟରେ ଗୋପାଳର ବନ୍ଧୁକରୁ ଗୁଳି ମରାଯାଇଛି ବୋଲି ଉଲ୍ଲେଖ ନଥିବାବେଳେ ତାହେଲେ ଗୁଳି କିଏ ମାରିଛି ? ଶାସକ ଦଳର ବରିଷ୍ଠ ନେତାମାନେ ଏହି ହତ୍ୟାକାଣ୍ଡର ମୁଖ୍ୟ ଆସାମୀ କିନ୍ତୁ ତାଙ୍କ କଲରେକର୍ଡ କାହିଁକି ଯାଂଚ୍ କରାଗଲାନାହିଁ? ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ମଧ୍ୟ ପଶ୍ଚିମ ଓଡିଶାର ସୁଶାନ୍ତ ସିଂ ଙ୍କୁ ମନ୍ତ୍ରୀ ପଦ ଦିଆଯିବ ବୋଲି ଗଣମାଧ୍ୟମରେ ଏତେ ଚର୍ଚ୍ଚା ହେଲା ପରେ ମଧ୍ୟ ତାଙ୍କୁ କାହିଁକି ମନ୍ତ୍ରୀପଦ ଦିଆଗଲାନାହିଁ ? ଏଥିରେ ପ୍ରକୃତରେ ନବ ଦାସର ହତ୍ୟାକାରୀର କଥାକୁ ଏହି ଚାର୍ଜସିଟରେ ସ୍ପଷ୍ଟ କରାଗଲାନାହିଁ । ନବ ଦାସଙ୍କ ଝିଅକୁ ବିଧାୟକ ଟିକେଟ ଦିଆଯାଇ ପରିବାର କିଛି କହିବାର ବାଟ ବନ୍ଦ କରାଯାଇଛି । ଚାର୍ଜସିଟରେ ସତ ନାହିଁ, ତେଣୁ ସିବିଆଇ ତଦନ୍ତ ଦ୍ୱାରା ହିଁ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଗଣମାଧ୍ୟମ ସହ ମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking