30.1 C
Bhubaneswar
Monday, May 20, 2024
Homeଓଡିଶାରାଜ୍ୟ ସରକାର ‘ଓଡିଆ ଭାଷା’କୁ ନେଇ ଅଭିନୟ କରୁଛନ୍ତି : ଦିଲୀପ ମଲ୍ଲିକ

ରାଜ୍ୟ ସରକାର ‘ଓଡିଆ ଭାଷା’କୁ ନେଇ ଅଭିନୟ କରୁଛନ୍ତି : ଦିଲୀପ ମଲ୍ଲିକ

 ଯେଉଁ ଜାତି ବିଶ୍ୱାସ ଓ ଭରଷା କରି ୨୪ବର୍ଷ ଶାସନ ସମର୍ପି ଦେଲା, ସେ ଜାତିର ଭାଷାକୁ କହିବା, ପଢ଼ିବା ଓ ଲେଖିବାକୁ ଆନ୍ତରିକତା ରଖିନଥିବା ବ୍ୟକ୍ତିଙ୍କ ଅଭିନୟକୁ ଓଡ଼ିଶାବାସୀ ବିଶ୍ୱାସ କରିବେ ନାହିଁ

 ଓଡିଆ ଭାଷା ପ୍ରତି ବିଗତ ୨୪ବର୍ଷ ହେଲା ରାଜ୍ୟ ସରକାର ଅନ୍ୟାୟ କରି ଆସିଛନ୍ତି

ଭୁବନେଶ୍ୱର : ମା’ମାଟି ଆରାଧନାର ମନ୍ତ୍ର ହେଉଛି ଭାଷା । କିନ୍ତୁ ଦୁର୍ଭାଗ୍ୟର ବିଷୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ତାଙ୍କ ସରକାର ଭାଷାକୁ ନେଇ ଅଭିନୟ କରୁଛନ୍ତି । ଭାଷା ହିଁ ଗୋଟିଏ ଜାତିର ପରିଚୟ, ବିଜେଡି ସରକାରର ଆନ୍ତରିକତା ଅଭାବରୁ ଓଡ଼ିଶାର ପରିଚୟ ବୁଡି ଯିବାକୁ ବସିଛି । ଓଡିଆ ଭାଷାର ବିକାଶ ପରିବର୍ତେ ସବୁବେଳେ ବିନାଶ କରିଆସିଛି ନବୀନ ବାବୁଙ୍କ ସରକାର । ଯେତେବେଳେ ନବୀନ ବାବୁ ଅପବାଦ ଓ ସମାଲୋଚନାର ଶିକାର ହୁଅନ୍ତି ସେତେବେଳେ ଏକ ପୁରସ୍କାର ସାଉଂଟିବାର ଯୋଜନା ପ୍ରସ୍ତୁତ କରିଥାନ୍ତି । ଲାଂଚ୍ଛନା ଓ ସମାଲୋଚନାରୁ ନିଜକୁ ରକ୍ଷା କରିବା ପାଇଁ ୨୪ବର୍ଷ ପରେ ଓଡ଼ିଆ ଭାଷା କଥା ମନେ ପଡିଲା ନବୀନ ସରକାରଙ୍କର ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ୍ ବାର୍ତାରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଗତ୨୦୧୫ମସିହାରେ ମନ୍ତ୍ରୀସ୍ତରୀୟ କମିଟି ଘୋଷଣା କରି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଚାଲିବ ବୋଲି ସରକାର କହିଥିଲେ । ପରେ ଡିସେମ୍ବର ୨୬, ୨୦୧୭ରେ ପୁରୀଠାରେ ଐତିହ୍ୟ କ୍ୟାବିନେଟ୍ କରିକି ଘୋଷଣା ମଧ୍ୟ କରିଥିଲେ । ପରବର୍ତୀ ସମୟରେ ୨୦୧୮ ମାର୍ଚ୍ଚ ୧୪ ତାରିଖରେ ୫୪ତମ କ୍ୟାବିନେଟ ବୈଠକ ବସିଥିଲା । ସେହି କ୍ୟାବିନେଟ୍‌ରେ ଆଇନ ବିଭାଗ ପରାମର୍ଶ ଅନୁଯାୟୀ ଗୃହିତ ହୋଇଥିଲା । ପରେ ବିଧାନସଭାରେ ଉପସ୍ଥାପନ ବେଳେ ପୂର୍ବ କ୍ୟାବିନେଟ୍‌ରେ ଗୃହିତ ହୋଇଥିବା ଭାଷା ଆଇନ ପ୍ରସ୍ତାବର ପରିଭାଷାକୁ ବଦଳାଇ ଦେଇଥିଲେ ନବୀନ ସରକାର । ଶେଷରେ ବିଧାନସଭାରେ ଏକ ଅକର୍ମଣ୍ୟ ଭାଷା ଆଇନ ପାରିତ ହେଲା । ଯେଉଁଥିରେ ଦଣ୍ଡ ବିଧାନ ବ୍ୟବସ୍ଥା ସ୍ପଷ୍ଟ ନଥିବା କାରଣରୁ ଭାଷା ଆଇନ କାର୍ଯ୍ୟକାରୀ ହେବାରେ ସଫଳ ହେଲା ନାହିଁ ।
ଅନୁଷ୍ଠିତ ପ୍ରଥମ ଓଡିଆ ଭାଷା ସମ୍ମିଳନୀ ପାଇଁ ଓଡିଆ ସୁଧିଜନଙ୍କୁ ‘ବନ୍ଦେ ଉତ୍କଳ ଜନନୀ’ ଗାଇବା ପାଇଁ ନବୀନ ସରକାରଙ୍କର ଇଂରାଜୀ ଭାଷାରେ ନିବେଦନ ଆଉ ଏକ ହାସ୍ୟାସ୍ପଦ ଉଦ୍ୟମ । ଏହି ଭାଷା ସମାରୋହରେ ବହୁ ଲେଖକ, ସାହିତ୍ୟିକ ଓ ଗବେଷକମାନଙ୍କୁ ସଂପୃକ୍ତ କରାଯାଇନାହିଁ । ସରକାର ଭାଷା ସମ୍ମିଳନୀ କରୁଥିବାବେଳେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଅପସଂସ୍କୃତି ଓ ଉଦଣ୍ଡ ନୃତ୍ୟ ଗୀତର ଆସର କରିବା ଆଉ ଏକ ଦୁର୍ଭାଗ୍ୟଜନକ, ଯାହାକି ଓଡିଶାର ଭାଷା ଓ ସଂସ୍କୃତିର ବିରୋଧୀ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଚାଲିଲା ନାହିଁ କିମ୍ବା ସରକାରୀ ଅନୁଷ୍ଠାନ ଓ ବ୍ୟବସାୟୀକ ପ୍ରତିଷ୍ଠାନମାନଙ୍କରେ ସମ୍ପୂର୍ଣ୍ଣ ଓଡ଼ିଆ ଫଳକ ଲାଗିବା ସମ୍ଭବ ହେଲା ନାହିଁ । ଆଜିବି ଅଧିକାଂଶ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ବିଭାଗରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ ଓ ଗବେଷକ ନାହାନ୍ତି । ଏଥିରୁ ସରକାରଙ୍କ ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ନଥିବା ସ୍ପଷ୍ଟ ବାରି ହୋଇପଡୁଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

ଓଡିଆ ଭାଷା ପ୍ରତି ବିଗତ ୨୪ବର୍ଷ ହେଲା ରାଜ୍ୟ ସରକାର ଅନ୍ୟାୟ ଓ ଷଡଯନ୍ତ୍ର କରି ଆସିଛନ୍ତି । ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ସେପରି ଆଖି ଦୃଶିଆ ପଦକ୍ଷେପ ନେଇନାହାନ୍ତି । ରାଜ୍ୟ ଶାସନରେ ଅଣଓଡ଼ିଆମାନଙ୍କ ପାଦ୍ରୁର୍ଭାବ ସାଧାରଣରେ ଅସନ୍ତୋଷ ଆଣିଦେଇଛି । ତେଣୁ ଆଗକୁ ନିର୍ବାଚନ ଥିବାରୁ ଏହି ଜନଅସନ୍ତୋଷରୁ ରକ୍ଷା ପାଇବା ପାଇଁ ‘ଓଡ଼ିଆ ଭାଷା ପ୍ରେମ’ର ଅଭିନୟ କରୁଛନ୍ତି ରାଜ୍ୟ ସରକାର । ଯେଉଁ ଜାତି ବିଶ୍ୱାସ ଓ ଭରଷା କରି ୨୪ବର୍ଷ ଶାସନ ସମର୍ପି ଦେଲା, ସେ ଜାତିର ଭାଷାକୁ କହିବା, ପଢ଼ିବା ଓ ଲେଖିବାକୁ ଆନ୍ତରିକତା ରଖିନଥିବା ବ୍ୟକ୍ତିଙ୍କର ଏହି ଅଭିନୟକୁ ଓଡ଼ିଶାବାସୀ ବିଶ୍ୱାସ କରିବେ ନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଏହି ଅବସରରେ ପ୍ରବକ୍ତା ପ୍ରକାଶ ରଥ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking