ଭୁବନେଶ୍ୱର: ନିର୍ବାଚନ ୨୦୨୪କୁ ନଜରରେ ରଖି ବିଜେଡି ତା’ର ରଣନୀତିକୁ ଶାଣିତ କରିଛି । ସଂଗଠନକୁ ଆହୁରି ମଜଭୁତ କରିବା ନିମନ୍ତେ ବହୁ ନେତାଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ଆସୀନ କରାଯାଇଛି । ମିଡିଆ ଟିମ୍କୁ ଅଧିକ ଫୋକସ୍ ଦିଆଯାଇଛି । ୫ ଜଣ ବରିଷ୍ଠ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ ୧୬ଜଣଙ୍କୁ ମୁଖପାତ୍ର ଓ ୯ ଜଣଙ୍କୁ ପ୍ୟାନେଲିଷ୍ଟ କରାଯାଇଛି । ମିଡିଆ ସଂଯୋଜକ ଭାବେ ଲେନିନ୍ ମହାନ୍ତି ଓ ସହ-ସଂଯୋଜକ ଭାବେ ମଧୁସ୍ମିତା ନାୟକ କାର୍ଯ୍ୟ ସମ୍ପାଦନ କରିବେ ।
ନୂଆବର୍ଷର ଦିନକ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠୀ, ସସ୍ମିତ ପାତ୍ର ଓ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଜାତୀୟ ମୁଖପାତ୍ର ନିଯୁକ୍ତ କରାଯାଇଛି । ସେହିପରି ୧୬ ଜଣିଆ ମୁଖପାତ୍ରଙ୍କ ମଧ୍ୟରେ ବିଧାୟକ ଦେବୀ ମିଶ୍ରଙ୍କ ସମେତ ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ଲେନିନ୍ ମହାନ୍ତି, ସୁଲତା ଦେଓ, ସଂଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ କୁମାର ସାହୁ, ହରୀଶ ଚୌଧୁରୀ, ଗୌତମବୁଦ୍ଧ ଦାସ, ଅମିତ୍ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ୍ପ୍ରକାଶ ସାହୁ ଓ ପ୍ରିୟବ୍ରତ ମାଝୀଙ୍କ ନାମ ରହିଛି । ଅନ୍ୟପକ୍ଷରେ ୯ ନେତାଙ୍କୁ ମିଡିଆ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ଇପ୍ସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲମ୍, ମହୀକ୍ଷିତା ମିଶ୍ର, ଲୋରା ମହାପାତ୍ର, ସ୍ୱାଗତିକା ମହାନ୍ତି, ମିହିର ରାୟ, ସ୍ୱୟଂପ୍ରକାଶ ମହାପାତ୍ର ଓ ଅପୂର୍ବ ଅପରୂପା ।